ସମାଜ ଓ ସଭ୍ୟତା

 

 

 

 

 

 

 

 

 

 

 

ସମାଜ ଓ ସଭ୍ୟତା

ଅଧ୍ୟାପକ ଡକ୍ଟର ବୈଦ୍ୟନାଥ ମିଶ୍ର

 

ପାଠକମାନେ ସେମାନଙ୍କଦ୍ୱାରା ନିର୍ବାଚିତହୋଇ ଶାସନକାର୍ଯ୍ୟ ପରିଚାଳନା କରୁଚନ୍ତି । ଯେଉଁ ପର୍ଯ୍ୟନ୍ତ ସେମାନେ ଜନସାଧାରଣଙ୍କର ସମର୍ଥନ ଲାଭ କରୁଥିବେ, ସେହି ପର୍ଯ୍ୟନ୍ତ ଶାସନ ଦାୟିତ୍ୱରେ ରହିବ । ତେଣୁ ସେମାନଙ୍କର ଶାସନରେ ଚିରଦିନ ଅଧିକାର ନାହିଁ । ସେହି ଦୃଷ୍ଟିରୁ ଶାସନର ଭଲମନ୍ଦ ସମଗ୍ରେ ବିଚାରକରିବା ଉଚିତ ।

 

ପୁନଶ୍ଚ ଯେଉଁମାନେ ଶାସନ ଭିତରେ ରହି ଶାସନରୁ କେତେକ ସୁବିଧା ଉଠାଉଛନ୍ତି, ସେମାନଙ୍କୁ ଶାସନର ମନ୍ଦ ଦିଗ ଅପେକ୍ଷା ଭଲ ଦିଗଟା ବେଶୀ ଦିଶିବ । ତେଣୁ ଶାସନ ଦାୟିତ୍ୱରେ ଥିବା ଲୋକମାନଙ୍କ ଉପରେ ଶାସନର ଭଲମନ୍ଦ କଥା ଛାଡ଼ି ନ ଦେଇ ଅନ୍ୟମାନେ କିଛି ଚିନ୍ତା ଖଟାଇବା ଉଚିତ । ଏହି କ୍ଷୁଦ୍ର ପୁସ୍ତକରେ ମୁଁ ଶାସନ, ରାଜନୀତି, ଗଣତନ୍ତ୍ର ଓ ସମାଜବାଦ ପ୍ରଭୃତି ବିବାଦାତ୍ମକ ସମସ୍ୟା ଉପରେ ଆଲୋଚନା କରିଛି । ଏହି ଆଲୋଚନା ଠିକ୍ ବୋଲି କହିବାର ଅହମିକା ମୋର ନାହିଁ । କିନ୍ତୁ ଏହି ପୁସ୍ତକ ପାଠକରିବା ଫଳରେ ଯଦି କୌଣସି ଶିକ୍ଷିତ ଲୋକ ମନରେ ଦ୍ୱନ୍ଦ୍ୱ ଜନ୍ମେ କିମ୍ବା ନୂତନ ପ୍ରଶ୍ନ ଜାଗ୍ରତ ହୁଏ, ତାହାହେଲେ ମୋର ପରିଶ୍ରମ ସାର୍ଥକ ହେଲା ବୋଲି ମନେ କରିବି ।

 

ଏହି ପୁସ୍ତକରେ ପ୍ରକାଶ ପାଇଥିବା କେତେ ପ୍ରବନ୍ଧ ପୂର୍ବ ନବଜୀବନ ଓ ଝଂକାରରେ ପ୍ରକାଶ ପାଇଛି । ଏହି ପ୍ରବନ୍ଧଗୁଡ଼ିକ ପୁସ୍ତକ ଆକାରରେ ପ୍ରକାଶ କରିବାକୁ ଅନୁମତି ଦେଇଥିବାରୁ ଏହି ପତ୍ରିକାଦ୍ୱୟର ସଂପାଦକମାନଙ୍କ ପାଖରେ କୃତଜ୍ଞ ।

 

ବୈଦ୍ୟନାଥ ମିଶ୍ର

୮ । ୧୦ । ୬୪

 

ସୂଚିପତ୍ର

 

୧.

ଆଧୁନିକ ସଭ୍ୟତାରେ ବ୍ୟକ୍ତିର ସ୍ଥାନ

୧.

ଶିଳ୍ପ ସଭ୍ୟତା ଓ ସାମାଜିକ ଚିନ୍ତା

୩.

ବ୍ୟକ୍ତି, ସମାଜ ଓ ସଂସ୍କୃତି

୪.

କାର୍ଯ୍ୟବ୍ୟସ୍ତତା

୫.

ଅତୀତର ଆକର୍ଷଣ

୬.

ନୂତନଯୁଗ ଓ ପୁରାତନ ଚିନ୍ତା

୭.

ସାମାଜିକ ଚିନ୍ତାଧାରା

୮.

ଭାରତରେ ସାମାଜିକ ପରିବର୍ତ୍ତନ ଓ ତାର ପ୍ରତିକ୍ରିୟା

୯.

ସମାଜ ସଂସ୍କାର ବିଷୟରେ କେତୋଟି ପ୍ରଶ୍ନ

୧୦.

ସମାଜ ସଂସ୍କାର ଓ ଧର୍ମାନ୍ଧତା

Image

 

ଆଧୁନିକ ସଭ୍ୟତାରେ ବ୍ୟକ୍ତିର ସ୍ଥାନ

 

ସମାଜର ପରିବର୍ତ୍ତନ

 

ସମାଜ ବଦଳି ଚାଲିଛି । ଆମର ପୂର୍ବପୁରୁଷମାନେ ଯେପରି ସରଳ ଭାବରେ ଜୀବନଯାପନ କରୁଥିଲେ, ସେମାନଙ୍କର ଚିନ୍ତାଧାରା ଯେମିତି ସୂକ୍ଷ୍ମ ଥିଲା; ଆଜି ତା ନାହିଁ । ପରିବର୍ତ୍ତନ ସାମାଜିକ ଜୀବନର ଧାରା । ପରିବର୍ତ୍ତନକୁ ଉନ୍ନତି ବୋଲି ଆଖ୍ୟା ଦିଆ ନ ଗଲେ ବି, ଆମର ସାମାଜିକ ଜୀବନରେ ଯେ ଉନ୍ନତି ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ । ଆମର ଜ୍ଞାନର ପରିସର ବଢ଼ିଛି, ବଞ୍ଚିବା ପ୍ରଣାଳୀରେ ଉନ୍ନତି ହୋଇଛି, ଉପଭୋଗ କରିବା ପାଇଁ ସାମଗ୍ରୀ ମିଳିଛି, ବ୍ୟକ୍ତିତ୍ୱର ବିକାଶ ହୋଇଛି––କିନ୍ତୁ ମନୁଷ୍ୟର ମହତ୍ତ୍ୱ ବଢ଼ି ନାହିଁ । ଆଦିମ ଯୁଗରେ ଆମେ ଯେତେବେଳେ ବଣ ଜଙ୍ଗଲରେ ବା ଗାଁଗହଳରେ ଦଳଦଳ ହୋଇ ବାସ କରୁଥିଲେ, ସେତେବେଳେ ପରସ୍ପର ପ୍ରତି ଯେତିକି ସ୍ନେହ, ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟ ଥିଲା, ଆଜି ତା ନାହିଁ ।

 

ଭଲପାଇବାର ଦୃଷ୍ଟିକୋଣ

 

ଯେତେବେଳେ ରାସ୍ତାର ଉନ୍ନତି ହୋଇ ନ ଥିଲା, ରେଲ, ମଟର, ଜାହାଜ, ରେଡ଼ିଓ ଓ ଟେଲିଫୋନ ପ୍ରଭୃତିର ଆବିଷ୍କାର ହୋଇ ନ ଥିଲା, ସେତେବେଳେ ବି ମନୁଷ୍ୟର ହୃଦୟରେ ସ୍ନେହ ଓ ଶ୍ରଦ୍ଧା ଥିଲା––କିନ୍ତୁ ସେହି ସ୍ନେହ ଓ ଶ୍ରଦ୍ଧା ନିଜର ଭାଇ ଭଉଣୀ ବାପା ମା’ ଓ ବନ୍ଧୁବାନ୍ଧବଙ୍କ ଭିତରେ ଆବଦ୍ଧ ହୋଇ ରହୁଥିଲା । ମନୁଷ୍ୟ ପ୍ରଥମ ତା’ର ପରିବାରକୁ ଭଲ ପାଇବାକୁ ଶିଖିଲା––ଆସ୍ତେ ଆସ୍ତେ ଏହି ଭଲ ପାଇବାର ପରିସର ପରିବାରରୁ ଯାଇଁ ବନ୍ଧୁବାନ୍ଧବ, ବନ୍ଧୁବାନ୍ଧବରୁ ଯାଇ ସାଇପଡ଼ିଶା, ସାଇପଡ଼ିଶାରୁ ଗାଁ ଗଣ୍ଡା ଓ ଗାଁ ଗଣ୍ଡାରୁ ଜିଲ୍ଲା, ପ୍ରଦେଶ ଓ ଦେଶ ଆଡ଼କୁ ବ୍ୟାପିବାକୁ ଲାଗିଲା । ଆଜି କିନ୍ତୁ ଭଲ ପାଇବାର ପରିସର ଆନ୍ତର୍ଜାତିକ ଆଭିମୁଖ୍ୟ ଧରିଛି । ଆମର ପୂର୍ବପୁରୁଷମାନେ ଜାତିଗତ (Racial) ଓ ଆଞ୍ଚଳିକ (Territorial) ଆକର୍ଷଣଦ୍ଵାରା ଆକୃଷ୍ଟ ହୋଇଥିଲେ––ଆମେ ଏହି ଜାତିଗତ ଓ ଆଞ୍ଚଳିକ ଆକର୍ଷଣକୁ ଦୂରରେ ରହି ଭିନ୍ନ ଭିନ୍ନ ମତବାଦ (Greed or ism) ପଛରେ ଚାଲିବାକୁ ଚେଷ୍ଟା କରୁଛୁଁ । ପୁଞ୍ଜିବାଦ, ସାମ୍ୟବାଦ, ସମାଜବାଦ ବା ଗଣତନ୍ତ୍ର ପ୍ରଭୃତି ମତବାଦ କୌଣସି ଦେଶ, ପ୍ରଦେଶ, ଜିଲ୍ଲା ବା ଗ୍ରାମର ଏକଚାଟିଆ ବ୍ୟବସାୟ ନୁହେଁ––ଏହା ଏକ ଆନ୍ତର୍ଜାତିକ ବିଚାରଧାରା । ଏହି ବିଚାରଧାରାରେ ଆମ୍ଭେମାନେ ପ୍ରଭାବିତ ହୋଇ ଆମର ଦୃଷ୍ଟିକୋଣକୁ ବିସ୍ତୃତ କରିବାରେ କ୍ଷମ ହୋଇ ପାରିଛୁ । ସାମ୍ୟବାଦ ବା ସମାଜବାଦ ନାଁରେ ରୁଷିଆ, ଆମେରିକା ଶ୍ରମିକଶ୍ରେଣୀକୁ ଆପଣାର କରିବା ପାଇଁ ଉଦ୍ୟମ କରୁଛୁ––କଥା ପ୍ରସଙ୍ଗରେ ବକ୍ତୃତାରେ ଓ ଲେଖାଲେଖିରେ । କିନ୍ତୁ ଯାହାକୁ ଦେଖୁନାହୁଁ, ଯାହାର ସମ୍ପର୍କରେ ଆସିନାହୁଁ, ଯା କଥା କେବଳ ଖବରକାଗଜରେ ପାଇଛୁଁ ତା ପ୍ରତି କ’ଣ ସହଜରେ ଅନୁରାଗ ଆସି ପାରିବ ? ଯୁକ୍ତି କରି ଯେଉଁ ବନ୍ଧୁତା ସ୍ଥାପନ କରାଯାଏ, ସେଥିରେ କ’ଣ ଆନ୍ତରିକତା ରହେ ? ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯେପରି ଦେଶ ଓ ବିଦେଶର ଛାତ୍ରମାନଙ୍କ ସହିତ କଲମ-ବନ୍ଧୁତା (Pen-friendship) ସ୍ଥାପନ କରନ୍ତି, ସେହିପରି ଆଜି ସମାଜରେ ଶ୍ରମିକ ବନ୍ଧୁତା, ବ୍ୟବସାୟୀ ବନ୍ଧୁତା, ଶିଳ୍ପୀ ବନ୍ଧୁତା ସ୍ଥାପନ କରାଯାଉଛି । ଯେତେବେଳେ ବ୍ୟବସାୟଗତ ପ୍ରତିଯୋଗିତା ଚାଲିଛି, ସେତେବେଳେ ବ୍ୟବସାୟୀ ତା’ର ପ୍ରତିଯୋଗୀ ବ୍ୟବସାୟୀକୁ ଘୃଣା କରିବାକୁ ପଶ୍ଚାତ୍‍ପଦ ହେଉନାହିଁ––କିନ୍ତୁ ଯେତେବେଳେ ଶ୍ରମିକମାନଙ୍କ ତରଫରୁ ବ୍ୟବସାୟୀମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ସୃଷ୍ଟି ହେଉଛି, ସେତେବେଳେ ସବୁ ବ୍ୟବସାୟୀ ନିଜକୁ ଏକ ପରିବାରର ଲୋକ ବୋଲି ମନେ କରିବାକୁ ଚେଷ୍ଟା କରୁଛନ୍ତି––ଦୃଷ୍ଟିକୋଣର ପରିସର ବୃଦ୍ଧି ହେବାକୁ ଲାଗୁଛି । ସେହିପରି ଶ୍ରମିକ ଓ ଶ୍ରମିକମାନଙ୍କ ଭିତରେ ଅନେକ ମତଭେଦ ଅଛି, ଯାହାକି ଅନେକ ସମୟରେ ସଂଘର୍ଷର ରୂପ ଧାରଣ କରୁଛି । କିନ୍ତୁ ଯେତେବେଳେ ମାଲିକମାନଙ୍କ ତରଫରୁ ଶ୍ରମିକମାନଙ୍କ ବିରୁଦ୍ଧରେ କୌଣସି ଅଭିଯାନ ହେଉଛି, ସେତେବେଳେ ଶ୍ରମିକମାନଙ୍କ ଭିତରେ ଏକତା ଆସିଯାଉଛି । ଆଧୁନିକ ସଭ୍ୟତାରେ ମତବାଦ ନେଇ ଯେଉଁ ସ୍ନେହ, ଶ୍ରଦ୍ଧା ବା ଅନୁରାଗ ମୁଣ୍ଡ ଟେକି ଉଠିଛି, ତା’ର ଆଭିମୁଖ୍ୟ ଆନ୍ତର୍ଜାତିକ ହେଉଛି ସତ୍ୟ, କିନ୍ତୁ ସେଥିରେ ଆନ୍ତରିକତା ନାହିଁ । ଆଧୁନିକ ସମାଜର ଚାପ ଓ ବିଚାରଧାରାର ପରିବର୍ତ୍ତନ ଫଳରେ ମନୁଷ୍ୟର ଭଲ ପାଇବାର ଶକ୍ତି କମିବାକୁ ଲାଗୁଛି । ଯେ ନିଜର ବାପା, ମା ଓ ଭାଇ ଭଉଣୀଙ୍କୁ ଦୂରରେ ରଖି ରୁଷିଆ ବା ଆମେରିକାର ଶ୍ରମିକ ଶ୍ରେଣୀକୁ ନିଜର କରି ଭଲ ପାଇବାକୁ ଉଦ୍ୟମ କରୁଛି, ତା’ର ଜ୍ଞାନ ଅଧିକ ହୋଇପାରେ, ଚିନ୍ତାଧାରା ପରିମାର୍ଜିତ ହୋଇପାରେ, କିନ୍ତୁ ହୃଦୟ ଅପରିପକ୍ୱ ବୋଲି କୁହାଯିବ । ଆଧୁନିକ ସଭ୍ୟତାର ଅଗ୍ରଗତି ଫଳରେ ଏ ଯେଉଁ ଦଳଗତ ମନୋଭାବ ପ୍ରକାଶ ପାଉଛି, ଏଥିରେ ବ୍ୟକ୍ତିର ମର୍ଯ୍ୟାଦା ଓ ମହତ୍ତ୍ଵ କ୍ଷୁଣ୍ଣ ହେବାରେ ଲାଗିଛି ।

 

ରାଜନୀତିକ ସଂସ୍ଥାରେ ବ୍ୟକ୍ତିର ସ୍ଥାନ

 

ଦ୍ଵିତୀୟରେ ରାଜନୀତିକ ବିଚାରଧାରାର ପରିବର୍ତ୍ତନ ଫଳରେ ସରକାରୀ କ୍ଷମତା ଦିନକୁ ଦିନ ବଢ଼ି ଚାଲିଛି । ଅଷ୍ଟାଦଶ ଶତାବ୍ଦୀ ବା ଊନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ସରକାରୀ କ୍ଷମତା ଉପରେ ବିଶେଷ ଜୋର ଦିଆଯାଉ ନଥିଲା । ଯେଉଁମାନେ ବ୍ୟକ୍ତିବାଦ (individualism)ର ପ୍ରଚାର ବା ସମର୍ଥନ କରୁଥିଲେ, ସେମାନେ ବ୍ୟକ୍ତିର ଶାନ୍ତି ଓ ସାମର୍ଥ୍ୟ ଉପରେ ବିଶ୍ଵାସ ରଖିଥିଲେ । ବ୍ୟକ୍ତି ଓ ସମାଜ ଭିତରେ ସଂଘର୍ଷ ନାହିଁ ବୋଲି ଅନେକ ଅର୍ଥନୀତିଜ୍ଞ, ରାଜନୀତିଜ୍ଞ ଓ ଦାର୍ଶନିକ ଯେଉଁ ଘୋଷଣା କରିଥିଲେ, ସେଥିରେ ରାଜନୀତିକ ଚିନ୍ତାଧାରାର ଆଭିମୁଖ୍ୟ ବଦଳି ଯାଇଥିଲା । ସରକାର କେବଳ ମାମୁଲି କେତେକ କାମ କରୁଥିଲେ––ସମାଜର ପ୍ରଗତି ବ୍ୟକ୍ତିଗତ ପ୍ରଚେଷ୍ଟା ଉପରେ ନିର୍ଭର କରୁଥିଲା । କିନ୍ତୁ ଶିଳ୍ପ ଓ ବ୍ୟବସାୟୀ ବିପ୍ଳବ ପରେ ବ୍ୟକ୍ତି ଓ ସମାଜ ଭିତରେ ସଂଘର୍ଷ ସୃଷ୍ଟି ହେଇ ଉତ୍ପାଦନ ପ୍ରଣାଳୀର ପରିବର୍ତ୍ତନ ଫଳରେ ଆର୍ଥନୀତିକ ପ୍ରଗତି ପାଇଁ ବ୍ୟକ୍ତିଗତ ଉଦ୍ୟମ ଯଥେଷ୍ଟ ହେଲା ନାହିଁ ଓ ଉତ୍ପାଦନ ପ୍ରଣାଳୀର ପରିଚାଳନାରେ ନାନା ବାଦ ବିସମ୍ବାଦ ସୃଷ୍ଟି ହେଲା । ରାଜନୀତିଜ୍ଞମାନେ ସରକାରୀ କ୍ଷମତା ବୃଦ୍ଧି କରି ଏ ସବୁ ଅଭାବ ଓ ଅସୁବିଧା ଦୂର କରିବାକୁ ମତ ପ୍ରକାଶ କଲେ । ସାମ୍ୟବାଦ ବିଚାରଧାରାରେ ଅଗ୍ରଗତି ସଙ୍ଗେ ସଙ୍ଗେ ସରକାରୀ କର୍ତ୍ତୃତ୍ୱ ଓ ନିୟନ୍ତ୍ରଣ ବୃଦ୍ଧି ହେବାକୁ ଲାଗିଲା । ଯେଉଁ ଦେଶରେ ଏକଛତ୍ର ଶାସନ ପ୍ରତିଷ୍ଠା ହେଲା, ସେଠି ତ ବ୍ୟକ୍ତିର କୌଣସି ମର୍ଯ୍ୟାଦା ରହିଲା ନାହିଁ । ସରକାର ଆଉ ଏକ ଦେବତା ପାଲଟି ଗଲେ । ଏହି ଦେବତାଙ୍କ ପୂଜାରେ ବ୍ୟକ୍ତିତ୍ଵକୁ ଆହୁତି ଦିଆଗଲା । କିନ୍ତୁ ଯେଉଁଠି ବା ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠିତ ହେଲା, ସେଠି ମଧ୍ୟ ସରକାର ସହିତ ବ୍ୟକ୍ତିର କୌଣସି ସଂପର୍କ ରହିଲା ନାହିଁ । ଶାସକ ଓ ଶାସିତ ଭିତରେ ଏତେ ଦୂରସଂପର୍କ ରହିଲା ଯେ ଶାସିତମାନଙ୍କର ଶାସକମାନଙ୍କ ସହିତ କୌଣସି ସମ୍ପର୍କ ଅଛି ବୋଲି ଜଣାଗଲା ନାହିଁ-। ସରକାର ଓ ଶାସକ ଶ୍ରେଣୀ ଏକ ସ୍ୱତନ୍ତ୍ର ଜୀବନଯାପନ କଲେ । ଯେଉଁ ନାଗରିକମାନେ ଭୋଟ ଦେଇ ମନ୍ତ୍ରୀ ନିର୍ବାଚନ କରିଛନ୍ତି, ଟିକସ ଦେଇ ସରକାରୀ କର୍ମଚାରୀମାନଙ୍କୁ ପୋଷୁଛନ୍ତି, ସେମାନେ ମନ୍ତ୍ରୀ ବା ସରକାରୀ କର୍ମଚାରୀମାନଙ୍କର ମାଲିକ ହେଉନାହାନ୍ତି ବରଂ ମନ୍ତ୍ରୀ କର୍ମଚାରୀମାନେ ନିଜକୁ ମାଲିକ ମନେକରି ସାଧାରଣ ଭୋଟର ଓ ଟିକସଦାତା ଉପରେ ପ୍ରଭୁତ୍ଵ ବିସ୍ତାର କରୁଛନ୍ତି । ସେଥିପାଇଁ ଜଣେ ଲେଖକ କହିଛନ୍ତି, ଯେ, The ordinary voter, so far from finding himself the source of all the power of army, navy, police and civil service, feels himself their humble subject, whose duty is as the Chinese used to say, to tremble and obey. ଯେ ପର୍ଯ୍ୟନ୍ତ ଶାସନକ୍ଷମତା କେନ୍ଦ୍ରୀଭୂତ ହୋଇଛି, ମନ୍ତ୍ରୀ ଓ ସରକାରୀ କର୍ମଚାରୀମାନେ ଉପରେ ରହି ଶାସନ ଜାରୀ କରୁଛନ୍ତି, ସେ ପର୍ଯ୍ୟନ୍ତ ବ୍ୟକ୍ତିର କୌଣସି ସମ୍ମାନ ରହି ପାରିବନାହିଁ । ସମୂହଭାବରେ ଆମେ ବ୍ୟକ୍ତିକୁ ସମ୍ମାନ ଦେଖାଉଛୁ ସତ; ବ୍ୟକ୍ତିଗତ ଭାବରେ ବ୍ୟକ୍ତିର କୌଣସି ମର୍ଯ୍ୟାଦା ରଖୁନାହୁଁ । ଆଜିକାଲି ତ ଆଉ ସେ ଗ୍ରୀକ୍ ଯୁଗର ଗଣତନ୍ତ୍ର ନାହିଁ ଯେ ପ୍ରତ୍ୟେକ ଲୋକ ଶାସନରେ ଭାଗ ନେଇପାରିବେ । ଆମର ଏହି ପ୍ରତିନିଧିମୂଳକ ଗଣତାନ୍ତ୍ରିକ ଶାସନ ପଦ୍ଧତିରେ, ଭୋଟରଠାରୁ ପ୍ରତିନିଧିର ସମ୍ମାନ ବେଶୀ । ସମୂହଭାବରେ ଭୋଟରମାନେ ସିନା ସରକାର ବାଛୁଛନ୍ତି––ଜଣେ ଭୋଟରର ସରକାର ବାଛିବାରେ କ୍ଷମତା କେତେ ? ପ୍ରତ୍ୟେକ ଭୋଟରର ସରକାର ବାଛିବାରେ କ୍ଷମତା ଯେପରି କମ୍, ଶାସନରେ ତା’ର ମର୍ଯ୍ୟାଦା ମଧ୍ୟ ସେହିପରି କମ୍ । ବ୍ୟକ୍ତିତ୍ୱର ପରିପୋଷଣ ପାଇଁ ଯେଉଁ ଗଣତନ୍ତ୍ର ପ୍ରତିଷ୍ଠିତ, ସେଥିରେ ଯଦି ବ୍ୟକ୍ତିର ମହତ୍ତ୍ଵ ନାହିଁ, ଏକଛତ୍ର ଶାସନରେ ବା ରହିବ କିପରି ?

 

ଆଧୁନିକ ଉତ୍ପାଦନ ପ୍ରଣାଳୀର ପ୍ରଭାବ

 

ତୃତୀୟରେ, ଆଧୁନିକ ଉତ୍ପାଦନ ପ୍ରଣାଳୀ ମଧ୍ୟ ବ୍ୟକ୍ତି ଓ ସମାଜ ଭିତରେ ଏକ ସଂଘର୍ଷ ସୃଷ୍ଟି କରିଛି । ବୈଜ୍ଞାନିକ ଉତ୍ପାଦନ ପ୍ରଣାଳୀର ପ୍ରଚଳନ ଫଳରେ ଆମର ବଞ୍ଚିବା ମାନଦଣ୍ଡର ବୃଦ୍ଧି ହୋଇଛି । ଯାନ୍ତ୍ରିକ ସଭ୍ୟତାର ଉନ୍ନତି ଫଳରେ ଭୌତିକ ସୁଖ ସ୍ୱାଚ୍ଛନ୍ଦ୍ୟର ଅଗ୍ରଗତି ହୋଇଛି । ପୂର୍ବ ଅପେକ୍ଷା ଲୋକେ ଭଲରେ ଅଛନ୍ତି––ସୁଖରେ ଅଛନ୍ତି ବୋଲି କହୁନାହୁଁ, କିନ୍ତୁ ଭଲରେ ଅଛନ୍ତି । ଅର୍ଥାତ୍ ସମୂହ ଉତ୍ପାଦନ ପ୍ରଣାଳୀର ପ୍ରଚଳନ ଫଳରେ ରେଡ଼ିଓ, ଟେଲିଭିଜନ, ମଟରକାର, ସାଇକଲ, ଘଣ୍ଟା, କଲମ ଶସ୍ତାରେ ବଜାରରେ ବିକ୍ରି ହୋଇପାରୁଛି । ପ୍ରଥମ ମହାଯୁଦ୍ଧ ପରେ ମଟରକାର ଏକ ବିଳାସ ସାମଗ୍ରୀ ଥିଲା । ଯେଉଁମାନେ ଅତି ଧନୀ ଥିଲେ, ସେମାନେ କେବଳ ବ୍ୟବହାର କରିବାକୁ ସୁବିଧା ଓ ସୁଯୋଗ ପାଉଥିଲେ । ଆଜି କିନ୍ତୁ ମଟରକାର ଏକ ସାଧାରଣ ଖାଉଟି ଜିନିଷପରି ବିଦେଶରେ ବ୍ୟବହାର କରାଗଲାଣି । ହୁଏତ ଆଉ ୨୦ । ୨୫ ବର୍ଷ ପରେ ଆମ ଦେଶରେ ବି ଏକ ସାଧାରଣ ଖାଉଟି ଜିନିଷ ପରି ବ୍ୟବହାର କରାଯିବ । ଆଜି ଯେପରି ସାଇକଲ ଗାଁ ଗହଳକୁ ବ୍ୟାପିବାରେ ଲାଗିଛି, ସେହିପରି ମଟର ମଧ୍ୟ ଗାଁଗହଳ ଭିତରେ ଚଳାଚଳ ହେବ । ଲୋକେ ରେଡ଼ିଓ ଓ ଟେଲିଭିଜନ ବ୍ୟବହାର କରିବାକୁ ସୁବିଧା ପାଇବେ । ଯାନ୍ତ୍ରିକ ଉତ୍ପାଦନ ପ୍ରଣାଳୀର ଉନ୍ନତି ଫଳରେ ବିଳାସ ସାମଗ୍ରୀ ସାଧାରଣ ଖାଉଟି ଜିନିଷରେ ପରିଣତ ହୋଇପାରୁଛି । ଏହା ଫଳରେ ଧନୀ ଓ ଦରିଦ୍ର ଭିତରେ ଥିବା ଏକ ପ୍ରଭେଦ ଦୂର କରାଯାଇ ପାରୁଛି । ଆମେରିକାର କୋଟିପତି ଫୋର୍ଡ଼, ରକଫେଲର ଓ ତ୍ରାଇସଲର ପ୍ରଭୃତି ଲୋକମାନେ ଯେଉଁ ମଟରକାର, ରେଡ଼ିଓ, ଘଣ୍ଟା, କଲମ ପ୍ରଭୃତି ବ୍ୟବହାର କରୁଛନ୍ତି, ଦରିଦ୍ର ଭାରତର ସାଧାରଣ ନାଗରିକ ବି ସେ ସବୁ ଜିନିଷ ଉପଭୋଗ କରିବାକୁ ସୁବିଧା ପାଇପାରୁଛି । ଏହା କ’ଣ ବିଜ୍ଞାନର ବିରାଟ ଦାନ ନୁହେଁ ? ବୈଜ୍ଞାନିକ ଉତ୍ପାଦନ ପ୍ରଣାଳୀର ଉନ୍ନତି ଫଳରେ ସାଧାରଣ ଲୋକର ବଞ୍ଚିବା ମାନଦଣ୍ଡ ଯେ ବଢ଼ିଛି, ତା ନୁହେଁ, ବଞ୍ଚିବା ପ୍ରଣାଳୀରେ ଏକ ଆନ୍ତର୍ଜାତିକ ସମତା ସୃଷ୍ଟି ହୋଇଛି । ଏଥିପାଇଁ ଆମେ ଯାନ୍ତ୍ରିକ ସଭ୍ୟତା ଆଗରେ ଋଣୀ । କିନ୍ତୁ ଏହି ବିରାଟ ଯାନ୍ତ୍ରିକ ଉତ୍ପାଦନ ପ୍ରଣାଳୀ ଭିତରେ ବ୍ୟକ୍ତିର ସ୍ଥାନ କାହିଁ ? ଯେହେତୁ ଉତ୍ପାଦନ ପ୍ରଣାଳୀ କୌଣସି ବ୍ୟକ୍ତି ଉପରେ ନିର୍ଭର କରୁନାହିଁ, କଳକାରଖାନା ଓ ଯନ୍ତ୍ରପାତିର ଅଗ୍ରଗତି ଦାନବପରି ଆଗକୁ ମାଡ଼ି ଚାଲିଛି, ସେହେତୁ ବ୍ୟକ୍ତି ନିଜର ବ୍ୟକ୍ତିତ୍ୱ ହରାଇ ସମୂହରେ ପରିଣତ ହେଉଛି । ଏକ ବିରାଟ ଜଙ୍ଗଲ ଭିତରେ ଯେପରି କୌଣସି ଏକ ବୃକ୍ଷର କିଛି ବିଶେଷତ୍ଵ ନାହିଁ, ସେହିପରି ଏକ ଆନ୍ତର୍ଜାତିକ ଓ ସାମୂହିକ ମଣିଷ ସମାଜ ଭିତରେ କୌଣସି ଏକ ବ୍ୟକ୍ତିର କିଛି ବିଶେଷତ୍ୱ ନାହିଁ । ମୁଦ୍ରା ଅର୍ଥନୀତି ଓ ସାମୂହିକ ଉତ୍ପାଦନ (Mass production) ଫଳରେ ଉତ୍ପାଦକର ଉତ୍ପାଦିତ ସାମଗ୍ରୀ ପାଇଁ କୌଣସି ଆଗ୍ରହ ମଧ୍ୟ ରହୁନାହିଁ । ମୁଦ୍ରା ଅର୍ଥନୀତିର ପ୍ରଚଳନ ଯୋଯୁଁ ଉତ୍ପାଦନ ପ୍ରଣାଳୀ କ୍ରୟ ଓ ବିକ୍ରୟ (Exchange) ନୀତି ଅନୁସାରେ ପରିଚାଳିତ ହେଉଛି । ତେଣୁ ଉତ୍ପାଦିତ ସାମଗ୍ରୀର ଆବଶ୍ୟକତା ପାଇଁ ଯେତିକି ଦୃଷ୍ଟି ଦିଆଯାଉଛି, ତା’ର ଆମୋଦଦାୟକତା ପାଇଁ ସେତିକି ଆଗ୍ରହ ଦେଖା ଯାଉନାହିଁ । ସାମୂହିକ ଉତ୍ପାଦନ ସମସ୍ୟା ଏହି ଆବଶ୍ୟକତାର ପରିସର ବୃଦ୍ଧି କରିବାରେ ଲାଗିଛି । ଶିଳ୍ପପତି ଯେତେବେଳେ ସମୂହ ଭାବରେ ମଟର ଉତ୍ପାଦନ କରୁଛି, ସେ ମଟରର ସୌନ୍ଦର୍ଯ୍ୟ ପ୍ରତି ଦୃଷ୍ଟି ନ ଦେଇ, କିପରି ଅଧିକ ଲାଭ ହୋଇ ପାରିବ, ସେଥିପାଇଁ ଚେଷ୍ଟା କରୁଛି । ସେ ଯଦି ନିଜେ ସବୁ ମଟର ବ୍ୟବହାର କରୁଥାନ୍ତା, ତା ହେଲେ ମଟରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାପାଇଁ ତା’ର ମନ ଆନ୍ଦୋଳିତ ହୋଇ ଉଠନ୍ତା । କିନ୍ତୁ ସାମୂହିକ ଉତ୍ପାଦନରେ ବ୍ୟକ୍ତିଗତ ବ୍ୟବହାରର ପ୍ରଶ୍ନ ଉଠିବାର କଥା ନୁହେଁ । ସେଥିପାଇଁ ଉତ୍ପାଦନ ପରିଚାଳନା କରିବାରେ ଯେଉଁ ଆଗ୍ରହ, ପ୍ରେରଣା ବା ଆବେଗ ରହିବାର କଥା, ସେ ଆଗ୍ରହ ଉତ୍ପାଦକ ଶ୍ରେଣୀର ରହୁନାହିଁ । ଶ୍ରମିକ ଶ୍ରେଣୀର ବି ଉତ୍ପାଦନ ପ୍ରଣାଳୀରେ କୌଣସି କର୍ତ୍ତୃତ୍ଵ ନାହିଁ । ଉତ୍ପାଦନ ପ୍ରଣାଳୀରେ ଶ୍ରମିକ ଓ ପରିଚାଳକ ଭିତରେ ଯେଉଁ ଦୂରତା ସୃଷ୍ଟି ହେଉଛି, ସେଥିରେ ଶ୍ରମିକର ଶ୍ରମ ପ୍ରତି ଆସକ୍ତି ଆସୁନାହିଁ । ନିଜର କର୍ମ ପ୍ରତି ନିଗ୍ରହ ଫଳରେ ଜୀବନର ସରସତା ଲୋପ ପାଇ ଯାଉଛି । ଯାନ୍ତ୍ରିକ ସଭ୍ୟତାର ଯନ୍ତ୍ରପରି ମନୁଷ୍ୟ ମଧ୍ୟ ଏକ ଯନ୍ତ୍ର ପାଲଟି ଯାଉଛି––ଫଳରେ ନିଜର ବ୍ୟକ୍ତିତ୍ଵ ପ୍ରକାଶିତ ହୋଇ ପାରୁନାହିଁ ।

 

ସରକାରୀ କ୍ଷମତା ଓ ବ୍ୟକ୍ତିଗତ ପ୍ରତିଷ୍ଠା

 

ପୁଣି ପୂର୍ବକାଳ ପରି ବ୍ୟକ୍ତିତ୍ୱର ପ୍ରଭାବ ଆଜି ସମାଜରେ ନାହିଁ । ପୂର୍ବ କାଳରେ ଲୋକେ ଧର୍ମପ୍ରଚାର କରି, କଳାର ପ୍ରସାର କରି କିମ୍ବା ସାମାଜିକ ସଂସ୍କାରପାଇଁ ଉଦ୍ୟମ କରି ସମାଜରେ ନିଜର ପ୍ରତିଭା ବିକଶିତ କରିପାରିଥିଲେ । ବୁଦ୍ଧଦେବ, ଜିସସ୍ କ୍ରାଏଷ୍ଟ ବା ମହମ୍ମଦ ନିଜର ମତବାଦ ପ୍ରଚାର କରି ସମାଜରେ ଯେପରି ଶୀର୍ଷସ୍ଥାନ ଅଧିକାର କରି ପାରିଥିଲେ, ଆଜି ବୋଧହୁଏ କୌଣସି ବ୍ୟକ୍ତି ପକ୍ଷରେ ତା ସମ୍ଭବ ହୋଇପାରିବନାହିଁ । ଦାନବ–ଶକ୍ତିସମ୍ପନ୍ନ ସରକାରୀ କ୍ଷମତା ଆଗରେ ବ୍ୟକ୍ତିଗତ ପ୍ରତିଭା ଉଦ୍ଭାସିତ ହେବାର କୌଣସି ସମ୍ଭାବନା ନାହିଁ । ଅତୀତରେ କଳାକାର ସମାଜରେ ଯେପରି ପୂଜା ପାଉଥିଲା, ଆଜି ତା’ର ସେ ପୂଜା ନାହିଁ । ହୋମର, ଭର୍ଜିଲ, ସେକ୍ସପିଅର ଓ କାଳିଦାସ ପ୍ରଭୃତି ପୃଥିବୀପ୍ରସିଦ୍ଧ କବିମାନେ ନିଜ ଦେଶ, ଜାତି ଓ ସମ୍ରାଟଙ୍କର ଗୁଣଗାନ କରି ପ୍ରସିଦ୍ଧି ଲାଭ କରିଥିଲେ । ଆଜି ଆମେ କଳାକାରଙ୍କୁ ସମ୍ମାନ ଦେଖାଉଥାଇଁ କିନ୍ତୁ କଳାକାର ସହିତ ଆମ ଜୀବନର କୌଣସି ସମ୍ପର୍କ ଅଛି ବୋଲି ଭାବି ପାରୁନାହିଁ-। ଆଜିର ଲୋକ କଳାକୁ ମର୍ଯ୍ୟାଦା କରୁଛି, କିନ୍ତୁ କଳାକୁ ନିଜର କରି ପାରୁନାହିଁ-। ଜଣେ ଦାର୍ଶନିକଙ୍କ ଭାଷାରେ, “We still honour the artist, but we isolate him, we think of art as something separate, not as an integral part of the life of the community.” ଆଜି ସମାଜର ଅବସ୍ଥା ଯାହା, ସେଥିରେ ଯେଉଁମାନଙ୍କର ଶକ୍ତି ବା ସାମର୍ଥ୍ୟ ଅଛି, ସେମାନେ ହୁଏତ ତିନି ପ୍ରକାରରେ ନିଜର ଶକ୍ତିର ପ୍ରକାଶ କରିପାରନ୍ତି । ରାଜନୀତିକ ଜୀବନଯାପନ କରି ଲେନିନ୍ ବା ଷ୍ଟାଲିନଙ୍କ ପରି ପ୍ରଭାବ ବିସ୍ତାର କରିପାରନ୍ତି, ବୈଜ୍ଞାନିକ ହୋଇ ନୂତନ ଜିନିଷର ଆବିଷ୍କାର କରି ସମାଜର ଆର୍ଥନୀତିକ ବା ରାଜନୀତିକ ଦିଗ ବଦଳାଇ ପାରନ୍ତି କିମ୍ବା ଏଥିରୁ କୌଣସିଟିରେ କୃତକାର୍ଯ୍ୟ ନ ହେଲେ ଦସ୍ୟୁ ବା ଡକାୟତ ବୃତ୍ତି ଅବଲମ୍ବନ କରିବାକୁ ଚେଷ୍ଟା କରିପାରନ୍ତି । ଆଜିକାଲି ବିଜ୍ଞାନର ଆବଶ୍ୟକତା ବଢ଼ିଛି ।

 

ପୁରାତନ ଯୁଗ ଓ ଆଧୁନିକ ଯୁଗ ଭିତରେ ଯେଉଁ ପ୍ରଭେଦ ଅଛି, ତାହା ବିଜ୍ଞାନ ଦ୍ୱାରା ହିଁ ସୃଷ୍ଟି ହୋଇଛି । କିନ୍ତୁ ବିଜ୍ଞାନ ଆଜି ବ୍ୟକ୍ତିଗତ ପ୍ରଚେଷ୍ଟା ଉପରେ ନିର୍ଭର କରୁନାହିଁ । ପ୍ରଥମରେ ତ ଗବେଷଣା ପାଇଁ ଯେଉଁ ଗବେଷଣାଗାର ଓ ଅର୍ଥ ଦରକାର, ତା ବ୍ୟକ୍ତିଗତ ପ୍ରଚେଷ୍ଟାରେ ସଂଗ୍ରହ ହୋଇ ପାରିବ ନାହିଁ । ବୈଜ୍ଞାନିକକୁ ନିଜର ଗବେଷଣା ପାଇଁ ସରକାର ବା ଅନ୍ୟ କୌଣସି ଅନୁଷ୍ଠାନ ଉପରେ ନିର୍ଭର କରିବାକୁ ପଡ଼ିବ । ଦ୍ଵିତୀୟରେ ସରକାର ମଧ୍ୟ ବୈଜ୍ଞାନିକମାନଙ୍କୁ ଯୁଦ୍ଧର ପ୍ରୟୋଜନ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି । ବିଚାରା ବୈଜ୍ଞାନିକ ଯେତେ ସଦୁଦ୍ଦେଶ୍ୟ ଧରି ନିଜର ଆବିଷ୍କାର କରିଥିଲେ ମଧ୍ୟ, ସରକାରଙ୍କ ହାତରେ ସେଇ ଆବିଷ୍କାର ମାରଣାସ୍ତ୍ର ରୂପେ ବ୍ୟବହୃତ ହେଉଛି ।

 

ବୈଜ୍ଞାନିକମାନେ ନିଜର ବୁଦ୍ଧି ସରକାରଙ୍କୁ ବିକି ସରକାରଙ୍କର ଯୁଦ୍ଧ ଯୋଜନାରେ ସହଯୋଗ କରୁଛନ୍ତି । ଯେଉଁମାନେ ନୈତିକତା ଦୃଷ୍ଟିରୁ ଦୂରରେ ରହିବାକୁ ଚାହିଁଛନ୍ତି । ସେମାନେ ଅକାମୀ ହୋଇ ପଡ଼ୁଛନ୍ତି । ଆଉ ଯେଉଁମାନେ ଦସ୍ୟୁ ବା ଡକାୟତ ସେମାନେ ତ କେବେ ହେଲେ ଇତିହାସରେ ପ୍ରଭାବ ପକାଇ ପାରି ନାହାନ୍ତି । ତେଣୁ ଆମ ସମାଜରେ ରାଜନୀତିକମାନେ ହିଁ ଆଜି ବେଶୀ ପ୍ରଭାବଶାଳୀ ହୋଇଛନ୍ତି । ସେମାନଙ୍କର ଇଙ୍ଗିତରେ ସମାଜ ଚାଲୁଛି, ଆର୍ଥନୀତିକ ବ୍ୟବସ୍ଥା ପରିଚାଳିତ ହେଉଛି, କଳା, ସଂସ୍କୃତି ଓ ସଭ୍ୟତାର ମାନଦଣ୍ଡ ଠିକ୍ କରାଯାଉଛି । ଯେଉଁମାନେ କଳା, ସଂସ୍କୃତି ବା ସଭ୍ୟତାର ନାମ ଧରିବାକୁ ଅନୁପଯୁକ୍ତ, ସେମାନେ ଯେତେବେଳେ କଳା, ସଂସ୍କୃତି ଓ ସଭ୍ୟତାର ମାନଦଣ୍ଡ ସୃଷ୍ଟି କରୁଛନ୍ତି, ସେତେବେଳେ ସଭ୍ୟତାର ରୂପରେଖ କି ଆକାର ଧାରଣ କରିପାରେ ତା ସମସ୍ତେ ହୃଦୟଙ୍ଗମ କରି ପାରୁଥିବେ । ରାଜନୀତି ବି କୌଣସି ଏକ ବ୍ୟକ୍ତି ବିଶେଷକୁ ନେଇ ଚାଲୁନାହିଁ––ଆଜିକାଲି ଯୁଗରେ ରାଜନୀତି ଏକ ଦଳଗତ ରାଜନୀତି । ରାଜନୀତିକ ବ୍ୟକ୍ତିର ଆବେଗ ବା ଉଚ୍ଛ୍ୱାସ ଥାଇପାରେ, କିନ୍ତୁ ରାଜନୀତିକ ଦଳର ଉଚ୍ଛ୍ୱାସ ନାହିଁ କି ଆବେଗ ନାହିଁ । ତେଣୁ ଆଧୁନିକ ସଭ୍ୟତାରେ ବ୍ୟକ୍ତିର ଯେଉଁ କରୁଣତା, ସରସତା ବା କୋମଳତା––ଯାହା ନେଇ ମନୁଷ୍ୟ ପଶୁପକ୍ଷୀମାନଙ୍କଠାରୁ ଉଚ୍ଚତର, ତା ଲୋପ ହୋଇଯାଉଛି ।

 

ସ୍ୱାଭାବିକ ମନୋବୃତ୍ତିର ଅବସ୍ଥାନ

 

ମନୁଷ୍ୟ ଆଗେଇ ଚାଲିଛି । ସମାଜ ବଦଳି ଚାଲିଛି । କିନ୍ତୁ ମନୁଷ୍ୟ ଭିତରର ସୂକ୍ଷ୍ମ ବିଚାରଧାରା (Sensibilities) ଦିନକୁ ଦିନ ଲିଭି ଯାଇଛି । ମନୁଷ୍ୟ ପ୍ରକୃତିକୁ ଜୟ କରିବାରେ ଲାଗିଛି, କିନ୍ତୁ ନିଜକୁ ଜୟ କରି ପାରୁନାହିଁ; ମନୁଷ୍ୟ ଜ୍ଞାନ ଆହରଣ କରୁଛି, କିନ୍ତୁ ବିଜ୍ଞ ହୋଇ ପାରୁନାହିଁ । ସମାଜରେ ପ୍ରତ୍ୟେକ ଜିନିଷ ଏପରି ଭାବରେ ସଙ୍ଗଠିତ କରାଯାଇଛି ଯେ କୌଣସିଠାରେ ସ୍ୱାଭାବିକ ମନୋବୃତ୍ତିର ପ୍ରକାଶ ସମ୍ଭବ ହୋଇପାରୁନାହିଁ । ଆଧୁନିକ ମାନବ ଏପରି ଏକ କିମ୍ଭୂତକିମାକାର ଜୀବନ ଯାପନ କରୁଛି ଯେ ସେ ମନ ଖୋଲି ମଧ୍ୟ ହସି ପାରୁନାହିଁ । ସେ ଯଦି ବାଟରେ ଗୀତ ବୋଲିବାକୁ ଚେଷ୍ଟା କରୁଛି, ତାକୁ ଲୋକେ ମାତାଲ ବୋଲି ଭାବୁଛନ୍ତି; ସେ ଯଦି ରାସ୍ତାରେ ନୃତ୍ୟ କରିବାକୁ ଯାଉଛି, ତାକୁ ପୁଲିସ୍‍ ପାଗଳ ବୋଲି ଆରେଷ୍ଟ୍ କରୁଛି । ସ୍ଵାଭାବିକ ଆନନ୍ଦ ଉପଭୋଗ କରିବାକୁ କେହି ଆବଶ୍ୟକ ବୋଲି ମନେ କରୁନାହାନ୍ତି । ବଣ ଜଙ୍ଗଲରେ ଆଦିବାସୀ ପିଲା ଯେତେବେଳେ ଗୀତ ଗାଇ ନାଚି ନାଚି ବୁଲୁଛି, ସେତେବେଳେ ତାକୁ ଆମେ ପସନ୍ଦ କରୁଛୁଁ––କିନ୍ତୁ ନିଜ ଜୀବନରେ ତାକୁ ପ୍ରୟୋଗ କରି ପାରୁନାହୁଁ । ଶିଳ୍ପ ଓ ଯାନ୍ତ୍ରିକ ସଭ୍ୟତା ଯେତିକି ବଢ଼ୁଛି, ଆମର ଜୀବନ ସେତିକି ଜଟିଳ ହେଉଛି, ଆମେ ସେତିକି ବର୍ତ୍ତମାନ କଥା ଛାଡ଼ି, ଆଗାମୀ କଥା ଚିନ୍ତା କରୁଛୁଁ । ଆମେ ଯଦି ବର୍ତ୍ତମାନ ମୁହୂର୍ତ୍ତରେ ନିଜକୁ ରଖି ଆଗାମୀ କଥା ଭୁଲି ଯାଇ ପାରିବା, ତା ହେଲେ ଜୀବନରୁ ପିଲାଙ୍କ ପରି ଆନନ୍ଦ ଅନୁଭବ କରିପାରିବା । କିନ୍ତୁ ଆଧୁନିକ ସଭ୍ୟତାର ରୂପରେଖ ଏପରି ଯେ ଆମେ କୌଣସି କଥାରେ ନିଜକୁ ପୂରାପୂରି ନିମଜ୍ଜିତ କରିପାରୁନାହୁଁ । ତେଣୁ ଜୀବନର ସରସତା ଆସି ପାରୁନାହିଁ । ପ୍ରସିଦ୍ଧ ଦାର୍ଶନିକ ରସେଲଙ୍କ ଭାଷାରେ, “We know too much and feel too little. At least we feel too little of these creative emotions from which a good life springs. In regard to what is important we are passive, where we are active it is over trivialities. ଯାନ୍ତ୍ରିକ ସଭ୍ୟତାର ଏହି ନିରସତାକୁ ଦୂର କରିବାକୁ ହେଲେ, ବ୍ୟକ୍ତିତ୍ୱର ମହତ୍ତ୍ଵ ଓ ପ୍ରତିଭାକୁ ଉଦ୍ଧାର କରିବାକୁ ହେବ । ସୂକ୍ଷ୍ମ ବିଚାରଧାରାକୁ ଉଜ୍ଜୀବିତ କରିବାକୁ ହେବ । ଏଥିପାଇଁ ହୁଏତ କେତେକ ସମାଜ ସଂସ୍କାରକ କହିବେ ଯେ ଆଧୁନିକ ସଂସ୍ଥା, ସମାଜ ଓ ସଂଗଠନକୁ ଧ୍ଵଂସ କରି ପୁରାତନ ନୀତି ଓ ରୀତି ଅନୁସାରେ ଏକ ନୂତନ ସଭ୍ୟତା ଓ ସଂସ୍କୃତି ଗଠନ କରାଯାଉ । ଆମେ ଏହାକୁ ପଳାୟନପନ୍ଥା ବୋଲି ଆଖ୍ୟା ଦେବୁ । ଆଧୁନିକ ସଭ୍ୟତାକୁ ଠେଲି ଦେଇ ପୁରାତନ ସଭ୍ୟତାକୁ ଫେରିଯିବା ଆଜିକାଲି ଯୁଗରେ ସମ୍ଭବ ନୁହେଁ, ଉଚିତ ମଧ୍ୟ ନୁହେଁ । ପୁରାତନ ଯୁଗର ସୂକ୍ଷ୍ମ ବିଚାରଧାରା ଓ ନୂତନ ଶତାବ୍ଦୀର ସମୂହ ଚିନ୍ତାଧାରା ଭିତରେ ଆମକୁ ଏକ ସମନ୍ୱୟ ଆଣିବାକୁ ହେବ । ଏହି ସମନ୍ୱୟରେ ସଭ୍ୟତାର ବିକାଶ ଓ ବ୍ୟକ୍ତିତ୍ଵ ଓ ମାନବିକତାର ପ୍ରକାଶ ସମ୍ଭବ ହୋଇ ପାରିବ ବୋଲି ଆମର ଦୃଢ଼ ବିଶ୍ଵାସ ।

Image

 

ଶିଳ୍ପ ସଭ୍ୟତା ଓ ସାମାଜିକ ଚିନ୍ତା

 

ଅଭାବବୋଧ

 

ପ୍ରତ୍ୟେକ ଦେଶରେ ଏବେ ଆର୍ଥନୀତିକ ପ୍ରଗତି ପାଇଁ ଉଦ୍ୟମ ହେଉଛି । ଯେଉଁ ଦେଶଗୁଡ଼ିକ ଉନ୍ନତ ଏବଂ ଯେଉଁ ଦେଶର ଜନସାଧାରଣ ଖୁବ୍ ମଉଜମଜଲିସରେ ଜୀବନଯାପନ କରୁଛନ୍ତି, ସେଠାରେ ମଧ୍ୟ ଆର୍ଥନୀତିକ ପ୍ରଗତି ପାଇଁ ଉଦ୍ୟମରେ ଅବହେଳା ହେଉ ନାହିଁ । ମନୁଷ୍ୟର ଆଶା ଆକାଂକ୍ଷାର ସୀମା ନାହିଁ । ଯେତେ ଅଭାବ ପୂରଣ ହେଲେ ମଧ୍ୟ ପୁଣି ନୂଆ ଅଭାବ ସୃଷ୍ଟି ହେଉଛି ଏବଂ ସେହି ନୂତନ ଅଭାବ ପୂରଣ ନ ହେଲା ପର୍ଯ୍ୟନ୍ତ ମନରେ ଶାନ୍ତି ଆସୁ ନାହିଁ । ଅଭାବର ପରିସର ନିଜର ଆର୍ଥନୀତିକ ଅବସ୍ଥା ଉପରେ ନିର୍ଭର କରୁଛି । ଯା’ର ପେଟ ପୂରଣ କରିବା ପାଇଁ ଦାନା ନାହିଁ, ଲଜ୍ଜା ନିବାରଣ କରିବା ପାଇଁ କନା ନାହିଁ ଓ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ, ତା’ ପକ୍ଷରେ ଅନ୍ନ, ବସ୍ତ୍ର ଓ ବାସଗୃହ ଚିନ୍ତା ଚମତ୍କାର । ଆମ ଦେଶରେ ଅଧିକାଂଶ ଲୋକ ଏହି ଅତ୍ୟାବଶ୍ୟକ ଅଭାବ ପୂରଣ କରିବାକୁ କ୍ଷମତା ଅର୍ଜ୍ଜନ କରି ନ ପାରି ଥିବାରୁ, ଯୋଜନାରେ ଏହି ସବୁ ଅଭାବ ପୂରଣ ପାଇଁ ବ୍ୟବସ୍ଥା ହେଉଛି ଏବଂ ଅଭାବଗ୍ରସ୍ତ ଲୋକମାନେ ଏହି ସବୁ ଦୈନନ୍ଦିନ ଅଭାବର ପୂରଣ ପାଇଁ ଦିନରାତି ଖଟୁଛନ୍ତି । କିନ୍ତୁ ଯେଉଁମାନେ ଏହି ସାଧାରଣ ଲୋକମାନଙ୍କଠାରୁ ଟିକିଏ ଭଲରେ ଅଛନ୍ତି ଅର୍ଥାତ୍ ଏହି ସବୁ ଅତ୍ୟାବଶ୍ୟକ ଅଭାବ ପୂରଣ କରିବାକୁ ସମର୍ଥ ହେଉଛନ୍ତି, ସେମାନଙ୍କର ଯେ ଅଭାବ ନାହିଁ, ତା’ ନୁହେଁ । ସେମାନେ ହୁଏତ ମଟରକାର, ରେଡ଼ିଓ ଓ ପୋଷାକ ପରିଚ୍ଛଦ ପ୍ରଭୃତି ସଉକିନ୍ ଜିନିଷ ଖୋଜୁଛନ୍ତି । ଅଭାବ ରହୁଛି, ଅଭାବ ବୋଧ ରହୁଛି, ଅଭାବ ପୂରଣ ନହୋଇ ପାରିଲେ ଅଶାନ୍ତି ସୃଷ୍ଟି ହେଉଛି । କିନ୍ତୁ ଅଭାବର ସ୍ଵରୂପରେ ପରିବର୍ତ୍ତନ ଦେଖା ଦେଉଛି ।

 

ଅଭାବ ପୂରଣ ପାଇଁ ପ୍ରତିଯୋଗିତା

 

ସେହିପରି ଯେଉଁମାନେ ଏବେ ଧନୀ ଦେଶ ବୋଲି ଖ୍ୟାତି ଅର୍ଜ୍ଜନ କରିଛନ୍ତି, ସେମାନଙ୍କର ମଧ୍ୟ ଅଭାବ ଅଛି ଏବଂ ଏହି ଅଭାବ ପ୍ରବଳ ଅଶାନ୍ତି ସୃଷ୍ଟି କରୁଛି । ଏ କଥା ସମସ୍ତେ ଜାଣନ୍ତି ଯେ ଆମେରିକା ଏକ ଧନୀ ଦେଶ ଏବଂ ଆମେରିକାର ଜଣ ପିଛା ବାର୍ଷିକ ଆୟ ଆମ ଦେଶର ଜଣ ପିଛା ବାର୍ଷିକ ଆୟଠାରୁ ପ୍ରାୟ ୩୫ ଗୁଣ ଅଧିକ । ସେଠାରେ ଦୈନନ୍ଦିନ ଅଭାବ ବୋଲି ଯାହା ଧରାଯାଏ, ତାହା ପ୍ରାୟ ନାହିଁ । ପ୍ରତ୍ୟେକ ପରିବାରରେ ମଟରକାର ଅଛି, ଟେଲିଭିଜନ ଅଛି ଓ ରେଫ୍ରିଜେରେଟର ଅଛି । ଅଥଚ ଅଭାବବୋଧ ଏତେ ପ୍ରବଳ ଭାବରେ ବିଦ୍ୟାମାନ ରହିଛି ଯେ ପୁରୁଷ ଓ ସ୍ତ୍ରୀ ସମସ୍ତେ ଅର୍ଥ ପଛରେ ଗୋଡ଼ାଇଛନ୍ତି । କାହିଁକି ନାଁ ଅଧିକ ଅର୍ଥ ହେଲେ ନୂଆ ମଡ଼େଲ ମଟରକାର କିଣିବେ, ମଟରକାରରେ ଶୀତାତପ–ନିୟନ୍ତ୍ରିତ ଯନ୍ତ୍ର ଖଞ୍ଜିବେ, ନୂତନ ବାସଗୃହ ନିର୍ମାଣ କରିବେ ଓ ଦେଶ ବିଦେଶ ଭ୍ରମଣ କରି ଜୀବନକୁ ଉପଭୋଗ କରିବେ । ଏହି ସବୁ ଅଭାବ ପୂରଣ ପାଇଁ ପ୍ରବଳ ପ୍ରତିଯୋଗିତା ହେଉଛି । ଯେଉଁମାନେ ଏହି ପ୍ରତିଯୋଗିତାରେ ପାରି ଉଠୁ ନାହାନ୍ତି, ସେମାନେ ଏତେ ହତାଶ ହୋଇ ଯାଉଛନ୍ତି ଯେ ସେମାନଙ୍କର ଜୀବନ ବ୍ୟର୍ଥ ହୋଇଗଲା ବୋଲି ଭାବୁଛନ୍ତି । ସେମାନଙ୍କ ଭିତରୁ ଅନେକ ପ୍ରକୃତରେ ବ୍ୟର୍ଥ ହୋଇ ଯାଉଛନ୍ତି । କାରଣ ମନୁଷ୍ୟର ଯେତେବେଳେ ସ୍ଵପ୍ନ ଭାଙ୍ଗି ଚୁରମାର ହୋଇଯାଏ, ସେତେବେଳେ ତାର ଜୀବନର ସୌଧ ମଧ୍ୟ ଭୁଷୁଡ଼ି ପଡ଼େ । ସେଥିପାଇଁ ଜଣେ ଦାର୍ଶନିକ କହିଛନ୍ତି, ‘There is not much to do but bury a man when the last of his dreams is dead’. ଆମେରିକାରେ ଏହି ଦୃଶ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ଦୃଷ୍ଟିଗୋଚର ହେଉଛି ।

 

ଆମେରିକା ଅଧିବାସୀଙ୍କ କଥା କ’ଣ କହିବା । ଆମେରିକା ରାଷ୍ଟ୍ରର ମଧ୍ୟ ସେହି ଦଶା । ରୁଷିଆ ତରଫରୁ ଗାଗାରିନ୍ ଓ ଟିଟଭ୍ ଯେତେବେଳେ ପୃଥିବୀ ଚତୁଷ୍ପାର୍ଶ୍ଵ ପ୍ରଦକ୍ଷିଣ କରି ଫେରି ଆସିଲେ, ଆମେରିକାରେ କୋକୁଆ ଭୟ ସୃଷ୍ଟି ହୋଇଗଲା । ଏଡ଼େ ବଡ଼ ଦେଶ, ଏତେ ଧନ, ଏଡ଼େ ସୈନ୍ୟସାମନ୍ତ, ଅଥଚ ପ୍ରବଳ ଭୟ ଯେ ରୁଷିଆ ହୁଏତ ଆମେରିକାକୁ ହଟେଇ ଦେବ । ଆମେରିକା ରାଜନୀତିରେ ସଙ୍କଟ ଦେଖାଦେଲା, ଅର୍ଥନୀତି ଦୋହଲିବାକୁ ଲାଗିଲା, ଆମେରିକାବାସୀଙ୍କ ମନରେ କମ୍ପନ ସୃଷ୍ଟି ହେଲା । ସେହି ଦିନଠାରୁ ଆମେରିକାରେ ଆଉ ଏକ ନୂତନ ଅଭାବ ସୃଷ୍ଟି ହେଲା ଏବଂ ଏ ପର୍ଯ୍ୟନ୍ତ ସେହି ଅଭାବ ପୂରଣ ପାଇଁ ଆମେରିକାରେ ରାଷ୍ଟ୍ର ତରଫରୁ ଅସମ୍ଭବ ଉଦ୍ୟମ ହେଉଛି । ଏହି ଅଭବଟି ପୂରଣ ହୋଇଗଲେ ଆମେରିକାରେ ଯେ ଶାନ୍ତି ବିରାଜମାନ କରିବ, ତା ନୁହେଁ । ପୁଣି ନୂଆ ଅଭାବ ସୃଷ୍ଟି ହେବ । ସମୟ ଓ ଅବସ୍ଥାର ପରିବର୍ତ୍ତନ ନେଇ ଅଭାବର ସ୍ୱରୂପରେ ପରିବର୍ତ୍ତନ ହେବ କିନ୍ତୁ ଅଭାବ ରହିବ ।

 

ଯେ ପକ୍ଷୀ ଉଡ଼େ ଯେତେଦୂର

 

ତେଣୁ ଅଭାବର କୌଣସି ସୀମା ଅଛି ବୋଲି କହି ହେବ ନାହିଁ । ବରଂ ଏ କଥା କୁହାଯାଇ ପାରେ ଯେ ଅଭାବରୁ ଅଭାବ ସୃଷ୍ଟି ହୁଏ । ଅତୀତ କାଳରେ ଲୋକମାନେ ଯେତେବେଳେ ବଣ ଜଙ୍ଗଲରେ ବିଚରଣ କରି ଫଳମୂଳ ସଂଗ୍ରହ କରି ଜୀବନଧାରଣ କରୁଥିଲେ, ସେତେବେଳେ ମନୁଷ୍ୟର ବେଶୀ କିଛି ଅଭାବ ନଥିଲା । ଏପରି କି ନିଜର ଶରୀରକୁ ଆବୃତ କରିବାକୁ ଖଣ୍ଡିଏ ବସ୍ତ୍ର ବି ଦରକାର ପଡ଼ୁ ନଥିଲା । ଏହି ଯାଯାବର ଅବସ୍ଥାକୁ ପରିତ୍ୟାଗ କରି ମଣିଷ ଯେତେବେଳେ ଚାଷବାସ କରି ଗୋଟିଏ ସ୍ଥାନରେ ଆବଦ୍ଧ ହୋଇ ଘରଦ୍ୱାର କରି ରହିବାକୁ ଚାହିଁଲା, ସେତେବେଳେ ମଣିଷର ଅଭାବ ପରିସର ବଢ଼ିବାରେ ଲାଗିଲା । କିନ୍ତୁ ବିଜ୍ଞାନ ଓ ଯାନ୍ତ୍ରିକ ସଭ୍ୟତାର ଅଭ୍ୟୁଦୟ ହୋଇ ନ ଥିବାରୁ ମଣିଷ ‘ବହୁ’ ହିସାବରେ ବିଚାର କରିବାକୁ ସୁବିଧା ପାଇ ନଥିଲା । ବିଜ୍ଞାନ ଓ ଯାନ୍ତ୍ରିକ ସଭ୍ୟତା ଯୋଗୁଁ ‘ଏକ’କୁ ଅତି ସହଜରେ ଓ ସୁବିଧାରେ ‘ବହୁ’ରେ ପରିଣତ କରି ହେଲା ଓ ମଣିଷ ମନରେ ଆଶାର ଲହରୀ ଖେଳିଗଲା । ଓଡ଼ିଶାରେ ଗୋଟିଏ ପ୍ରବାଦ ଅଛି: ‘ଯେ ପକ୍ଷୀ ଉଡ଼େ ଯେତେ ଦୂର, ସେ ଜାଣେ ତାର ସମାଚାର ।’ ଶିଳ୍ପ ଓ ଯାନ୍ତ୍ରିକ ସଭ୍ୟତା ଯୋଗୁଁ ମଣିଷ ଡେଣାରେ ପକ୍ଷୀ ଲାଗି ପାରିଲା ଓ ସେ ଦୂର ଦୂରାନ୍ତକୁ ଯାଇ ନୂତନ କଥା ଦେଖିଲା ଓ ନୂତନ ଅଭାବ ସୃଷ୍ଟି କଲା । ଚିନ୍ତନ-ଶକ୍ତିର ବିକାଶରେ ଅଭାବର ବିକାଶ ହେଲା ।

 

ସ୍ୱାର୍ଥପରତା ଓ ବ୍ୟକ୍ତିବାଦ

 

କିନ୍ତୁ ବିଜ୍ଞାନର ପ୍ରୟୋଗ ଯୋଗୁଁ ଅଭାବ ଯେପରି ବୃଦ୍ଧି ହେଲା, ସ୍ୱାର୍ଥପରତା ମଧ୍ୟ ସେତିକି ବୃଦ୍ଧି ହେଲା । ମଣିଷ ଯେତେବେଳେ ନିଜର ଅଭାବ କଥା ବିଚାର କରୁ ନଥିଲା, ସେତେବେଳେ ସେ ଅନ୍ୟମାନଙ୍କ ସହିତ ମିଶି, ଅନ୍ୟମାନଙ୍କ ସାହାଯ୍ୟ ଓ ସହଯୋଗରେ ଜୀବନ ଧାରଣ କରୁଥିଲା । ପ୍ରକୃତି ଉପରେ ମଣିଷର ଅଧିକାର ଯେତେବେଳେ ସୀମିତ ଥିଲା, ସେତେବେଳେ ସେ ଅନ୍ୟର ସହଯୋଗରେ ପ୍ରକୃତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲା । ତେଣୁ ଗୋଷ୍ଠୀ ଜୀବନ ପ୍ରତି ବେଶୀ ଗୁରୁତ୍ଵ ଦିଆ ଯାଉଥିଲା । ଏବେ ମଧ୍ୟ ଆମ ଦେଶରେ କୃଷିର ଗୁରୁତ୍ଵ ଯୋଗୁଁ ଗୋଷ୍ଠୀ ଜୀବନର ଆଦର୍ଶ ପୂରାପୂରି ଗ୍ରାମ ଗହଳରୁ ଉଠି ଯାଇ ନାହିଁ । ଗୋଷ୍ଠୀଜୀବନ ସଙ୍ଗେ ସଙ୍ଗେ ଅନ୍ୟ ପ୍ରତି ଶ୍ରଦ୍ଧା ଓ ଅନ୍ୟ ପାଇଁ ନିଜର ସୁଖ ଓ ସୁବିଧା ତ୍ୟାଗ, ଜୀବନର ଏକ ସାଧାରଣ ବ୍ରତ ବୋଲି ବିବେଚିତ ହେଉଥିଲା । କିନ୍ତୁ ଶିଳ୍ପ ଓ ଯାନ୍ତ୍ରିକ ସଭ୍ୟତାର ଆରମ୍ଭରୁ ମନୁଷ୍ୟ ନିଜର ଅଭାବ ପୂରଣରେ ଏତେ ବ୍ୟସ୍ତ ହୋଇ ପଡ଼ିଲା, ଯେ ସେ ଅନ୍ୟ କଥା ଭୁଲି ଅନ୍ୟର ସୁଖ ଓ ସୁବିଧାକୁ ଜଳାଞ୍ଜଳି ଦେଇ, ନିଜେ କିପରି ଭଲରେ ରହିବ, ସେଥିପାଇଁ ସମସ୍ତ ପ୍ରକାର ଉଦ୍ୟମ କଲା । ତେଣୁ ଗୋଷ୍ଠୀ ଯାଗାରେ ବ୍ୟକ୍ତିର ପୂଜା ସମାଜର ଲକ୍ଷ୍ୟ ହେଲା ।

 

ଆର୍ଥନୀତିକ ଦୃଷ୍ଟିକୋଣରୁ ଏହାକୁ ମଧ୍ୟ ପସନ୍ଦ କରାଗଲା । ଶିଳ୍ପ ବିପ୍ଳବର ପ୍ରଥମାବସ୍ଥାରେ ଆଡ଼ାମ ସ୍ମିଥଙ୍କ ପରି ପ୍ରସିଦ୍ଧ ଅର୍ଥନୀତିଜ୍ଞମାନେ ମତ ଦେଲେ ଯେ ସ୍ଵାର୍ଥପରତା ଓ ବ୍ୟକ୍ତିବାଦରେ କୌଣସି ଦୋଷ ନାହିଁ । କାରଣ ପ୍ରତ୍ୟେକ ଲୋକ ଯଦି ନିଜ ସ୍ୱାର୍ଥ ପାଇଁ କାମ କରନ୍ତି, ତାହାହେଲେ ସମୂହ ସ୍ୱାର୍ଥରେ କୌଣସି ଆଞ୍ଚ ଆସିବ ନାହିଁ, ବ୍ୟକ୍ତିସ୍ଵାର୍ଥ ଓ ସମୂହ-ସ୍ଵାର୍ଥ ବିବଦମାନ ନୁହେଁ, ପରିପୂରକ । ଶିଳ୍ପ ସଭ୍ୟତା ଅର୍ଥନୀତିର ଏହି ଅଭାବ ବୃଦ୍ଧି ଓ ସ୍ୱାର୍ଥପରତାକୁ ଲକ୍ଷ୍ୟକରି ରସ୍କିନ୍, କାରଲାଇଲ, ଥୁରୋ ଓ ଗାନ୍ଧିଜୀ ପ୍ରଭୃତି ଅନେକ ମନୀଷୀ ବିଚଳିତ ହୋଇ ଶିଳ୍ପ ସଭ୍ୟତାର ନିନ୍ଦା କଲେ ଓ ଶିଳ୍ପ ସଭ୍ୟତା ଯାଗାରେ ଏକ ସରଳ ସହଜ ଓ ପ୍ରକୃତିଗତ ସମାଜ ପାଇଁ ଆନ୍ଦୋଳନ କଲେ । ଏହି ଆନ୍ଦୋଳନ ପୃଥିବୀର ପ୍ରତ୍ୟେକ କୋଣରେ ପ୍ରତିଧ୍ଵନିତ ହେଲା । ଏପରିକି, ଆମେରିକା ପରି ଏକ ଜ୍ଞାନ-ବିଜ୍ଞାନପୂର୍ଣ୍ଣ ଯନ୍ତ୍ରଚାଳିତ ଦେଶରେ ଥୁରୋ(Thoreau) ବଜ୍ରଗମ୍ଭୀର ସ୍ଵରରେ ସରଳ, ସହଜ ଓ ପ୍ରକୃତିଗତ ସମାଜ ପାଇଁ ପ୍ରଚାର କରି ଗତାନୁଗତିକ ଚିନ୍ତାଧାରାରେ କଠୋର ଆଘାତ କରିବାକୁ ଲାଗିଲେ । ଅଭାବ ବୃଦ୍ଧିକୁ ସେ “the tyranny of things’ ଏବଂ ‘possessions are like leg irons’ ବୋଲି ଆଖ୍ୟା ଦେଲେ । ଜୀବନକୁ ସରଳ ଓ ସହଜ କରିବା ମତ ଦେଇ ସେ କହିଲେ, ‘Our life is frittered away by detail, Simplicity ! l say, let our affairs be as two or three and not a hundred or a thousand. Keep your accounts on your thumbnail...By poverty, i.e., simplicity of life and fewness of incidents, I am solidified and crystallized. It is a singular concentration of strength and energy and flavour’. ତାଙ୍କ ମତରେ ଏକମାତ୍ର ଧନ ହେଉଛି ଜୀବନ (The only wealth is life) ଏବଂ ଏହି ଜୀବନକୁ ଉପଭୋଗ କରିବା ପାଇଁ ସେ ପ୍ରକୃତି ବିଷୟରେ ଗଭୀର ଚିନ୍ତା (rapt contemplation of nature) କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିଜର ଜୀବନ ବିଷୟରେ ସେ କହିଥିଲେ ଯେ, For many years l was self-appointed inspector of snowstorms and rainstorms, and did my duty faithfully...I have spent a couple of years with the flowers chiefly, having none other so binding engagement as to observe when they open’.

 

ଆଦର୍ଶ ଓ କାର୍ଯ୍ୟ

 

ଥୁରୋଙ୍କ ପରି ରସ୍କିନ୍, କାର୍ଲାଇଲ୍ ଓ ଗାନ୍ଧିଜୀ ମଧ୍ୟ ଏହି ସରଳ, ସହଜ ଓ ପ୍ରକୃତିଗତ ସମାଜ ଉପରେ ଯୋର ଦେଇ ଲେଖନୀ ଚଳାଇଥିଲେ । ପାଶ୍ଚାତ୍ୟ ଦାର୍ଶନିକମାନଙ୍କ ସହିତ ଆମର ସିନା ବେଶୀ ପରିଚୟ ନାହିଁ, ଗାନ୍ଧିଜୀଙ୍କ ଜୀବନସହିତ ଆମେମାନେ ତ ନିବିଡ଼ ଭାବରେ ସଂପୃକ୍ତ । ଗାନ୍ଧିଜୀଙ୍କ ଚିନ୍ତାଧାରା ସହିତ କେବଳ କଂଗ୍ରେସ ନୁହେଁ, ରାଜନୀତିକ କର୍ମୀ ନୁହଁନ୍ତି ଭାରତର ପ୍ରତ୍ୟେକ ନରନାରୀ ଘନିଷ୍ଠ ଭାବରେ ପରିଚିତ । ଯେଉଁ ଆବେଗ ଏବଂ ଯେଉଁ ପ୍ରାଣ ଘେନି ଗାନ୍ଧିଜୀ ସମାଜକୁ ଓ ମଣିଷର ସ୍ୱଭାବକୁ ପରିବର୍ତ୍ତନ କରିବାକୁ ଚାହିଁଥିଲେ, ତାର ଫଳ କଣ ହେଲା ? ସମାଜ ବଦଳିଲା ନାଁ ଅର୍ଥନୀତି ବଦଳିଲା ? ପୃଥିବୀର ପ୍ରତ୍ୟେକ କୋଣରେ ଦାର୍ଶନିକ ଓ ମନୀଷୀମାନଙ୍କର ବାର୍ତ୍ତା ପହଞ୍ଚିଲା । ଯେଉଁମାନେ ଶୁଣିଲେ, ସେମାନେ ଖୁସି ହେଲେ ମନର କୌଣସି ଏକ ନିଭୃତ କୋଣରେ ଟିକିଏ ଧକ୍କା ଲାଗିଲା କିନ୍ତୁ ତାହା କ୍ଷଣକ ପାଇଁ । ଠିକ୍ ପର ମୁହୂର୍ତ୍ତରେ ମଣିଷ ତାର ଗତାନୁଗତିକ ଚିନ୍ତାଧାରାକୁ ଫେରି ଆସିଲା । ଯେଉଁ କେତେଜଣ ନିଜର ଅଭାବକୁ ନିୟନ୍ତ୍ରଣ କରି ସରଳ ଓ ସହଜ ଜୀବନ ଯାପନ କଲେ, ସେମାନେ ହୁଏତ ସମାଜର ନେତା ହେଲେ କିନ୍ତୁ ସେମାନେ କାହାକୁ ସାଙ୍ଗରେ ନିଜ ଆଡ଼କୁ ନେଇ ପାରିଲେ ନାହିଁ; ଦାର୍ଶନିକ ଓ ଜ୍ଞାନୀ ହିସାବରେ ସେମାନଙ୍କର ହୁଏତ ଖ୍ୟାତି ବଢ଼ିଲା କିନ୍ତୁ ସେମାନଙ୍କର ଦର୍ଶନ ଓ ଜ୍ଞାନ ପୋଥିରେ ଲେଖା ହୋଇ ରହିଲା, କାର୍ଯ୍ୟରେ ପରିଣତ ହେଲା ନାହିଁ ।

 

ତେଣୁ ଆଜି ପୃଥିବୀର ସବୁ ଦେଶରେ ଏପରିକି ବୁଦ୍ଧ, ଗାନ୍ଧି, ରାମକୃଷ୍ଣ ଓ ବିବେକାନନ୍ଦ ଦେଶ, ଭାରତରେ ଶିଳ୍ପ ସଭ୍ୟତା ଅର୍ଥନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିବେଚିତ ହେଲା । ଏହି ସ୍ରୋତକୁ ନିୟନ୍ତ୍ରଣ କରି ଚିନ୍ତାର ଧାରାକୁ ଅନ୍ୟ ଦିଗକୁ ପରିବର୍ତ୍ତନ କରିବା ପାଇଁ ଏ ପର୍ଯ୍ୟନ୍ତ ଯେତେ ଚେଷ୍ଟା ହୋଇଛି, ସେ ସବୁ ଚେଷ୍ଟା ବିଫଳ ହୋଇଛି ବୋଲି ନିଶ୍ଚିନ୍ତରେ କୁହାଯାଇ ପାରେ । ମଣିଷ ତାର ସ୍ଵାଭାବିକ ଧାରାରେ ଅଭାବ ସୃଷ୍ଟି କରି ଅଭାବ ପୂରଣ ପାଇଁ ଉଦ୍ୟମ କରୁଛି ଏବଂ ସେଥିପାଇଁ ଶିଳ୍ପ ଓ ଯାନ୍ତ୍ରିକ ସଭ୍ୟତା ଉପରେ ଯୋର ଦିଆଯାଉଛି ।

 

ଶିଳ୍ପବିକାଶ ଓ ସାମାଜିକ ପରିବର୍ତ୍ତନ

 

ଭାରତରେ ଆଜି ସେଥିପାଇଁ ଶିଳ୍ପର ବିକାଶ ସକାଶେ ରାଜନୀତିକ ଦଳ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ଉଦ୍ୟମ କରୁଛନ୍ତି । ଭାରତରେ ଯଦି କିଛି ରାଜନୀତିକ ଓ ଆର୍ଥନୀତିକ ମତ ଅଛି ବୋଲି ଧରାଯାଏ, ତା’ହେଲେ ସେହି ମତକୁ ‘ଶିଳ୍ପ ବିକାଶ’ ମତ ବୋଲି କୁହାଯିବ । କିପରି ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ, କେଉଁ କେଉଁ ଶିଳ୍ପ ପ୍ରତିଷ୍ଠା କରାଯିବ ଏବଂ ଏଥିରେ ସରକାରଙ୍କ ସ୍ଥାନ କଣ ହେବ, ଏସବୁ ବିଷୟରେ ମତଦ୍ୱୈଧ ହୋଇପାରେ, କିନ୍ତୁ ଭାରତୀୟ ଚିନ୍ତାଧାରା ଏବେ ଶିଳ୍ପ ଓ ଯାନ୍ତ୍ରିକ ସଭ୍ୟତାର ଯେ ଅନୁଗାମୀ, ଏଥିରେ କୌଣସି ସନ୍ଦେହ ନାହିଁ । ଯଦି ଏହା ସତ୍ୟ ବୋଲି ଧରାଯାଏ, ତା’ହେଲେ ଶିଳ୍ପର ବିକାଶ ଓ ଯନ୍ତ୍ରର ପ୍ରସାର ଫଳରେ ଭାରତୀୟ ସମାଜର ଯେଉଁ ପରିବର୍ତ୍ତନ ହେବ, ସେଥିପାଇଁ ଆଜିଠାରୁ ପ୍ରସ୍ତୁତ ହେବା ଉଚିତ । ଏଣେ ଅଭାବ ବୃଦ୍ଧି କରି ଏବଂ ଅଭାବର ପୂରଣ ପାଇଁ ନୂତନ ଶିଳ୍ପ ଓ ଯନ୍ତ୍ରର ବ୍ୟବସ୍ଥା କରି, ତେଣେ ସରଳ, ସହଜ ଗ୍ରାମ୍ୟଜୀବନର ଆଦର୍ଶ ପ୍ରଚାର କଲେ, ଚିନ୍ତାର ବିଭ୍ରାଟ ହେଲା ବୋଲି କୁହାଯିବ । ଯଦି ଅଭାବବୋଧକୁ ବୃଦ୍ଧି କରାଯାଏ, ତା’ ହେଲେ ସେଥିରେ ସମସ୍ତେ ପଡ଼ିବେ, ସମସ୍ତଙ୍କର ଅଭାବ ବଢ଼ିବ ଏବଂ ସମସ୍ତଙ୍କର ଅଭାବ ପୂରଣ ନ ହୋଇ ପାରିଲେ ଦ୍ଵନ୍ଦ୍ୱ ହେବ । ତେଣୁ କେତେକଙ୍କ ପାଇଁ ଅଭାବ ବୃଦ୍ଧି ଓ ଅନ୍ୟ କେତେକଙ୍କ ପାଇଁ ସରଳ ଓ ସହଜ ଜୀବନ । ଏହା ଏକ ସଙ୍ଗରେ ଚାଲିପାରିବ ନାହିଁ । ସେହିପରି ଯଦି ଅଭାବବୋଧରୁ ସ୍ୱାର୍ଥପରତା ଆସିବ ତା’ହେଲେ ଯୌଥ ପରିବାର ଭାଙ୍ଗିବ, ଗ୍ରାମାଶକ୍ତି ଯିବ, ମଣିଷ ବହୁ ଭିତରୁ ଆସି ନିଜର କ୍ଷୁଦ୍ର ପରିସର ଭିତରେ ଆବଦ୍ଧ ହୋଇ ରହିବ । ଉତ୍ପାଦନ ପ୍ରଣାଳୀର ପରିବର୍ତ୍ତନ ଯୋଗୁ ‘ଏକ’ ସହଜରେ ଓ ସୁବିଧାରେ ‘ବହୁ’ରେ ପରିବର୍ତ୍ତିତ ହୋଇ ପାରିବ, କିନ୍ତୁ ଅଭାବବୋଧ ଯୋଗୁଁ ସ୍ୱାର୍ଥପରତାର ପରିସର ଏତେ ବୃଦ୍ଧି ହେବ ଯେ ମଣିଷ ‘ବହୁତ’ର ଚିନ୍ତା ନକରି ‘ଅଳ୍ପ’ର ଚିନ୍ତା କରିବ । ଏଥିରେ ମଧ୍ୟ ଚିନ୍ତାଧାରା ଠିକ୍ ରହିବା ଦରକାର । ନିଜେ ଯଦି ଅଭାବ ଭିତରେ ବୁଡ଼ି ନିଜର କ୍ଷୁଦ୍ର ସ୍ୱାର୍ଥ ଭିତରୁ ଉପରକୁ ଉଠିବା କଷ୍ଟ, ଅନ୍ୟଠାରୁ ତ୍ୟାଗ, ଦେଶାତ୍ମବୋଧ ଓ ସମାଜସେବା ଆଶା କରିବା ପ୍ରହସନ ।

 

ଚିନ୍ତାରେ ବିଭ୍ରାଟ

 

ପୁଣି ଶିଳ୍ପ ଓ ଯନ୍ତ୍ର ସଭ୍ୟତାର ପ୍ରସାର ପାଇଁ ଉଦ୍ୟମ କରି ପ୍ରକୃତି, ନିର୍ଜନତା, ସରଳ ଓ ସହଜ ଜୀବନର ପ୍ରଶଂସା ପ୍ରତାରଣା ଛଡ଼ା ଆଉ କିଛି ହୋଇ ନପାରେ । ଶିଳ୍ପ ଓ ଯାନ୍ତ୍ରିକ ସଭ୍ୟତାର ଉଦ୍ଦେଶ୍ୟ ହେଉଛି ଜୀବନ ଧାରଣ ପନ୍ଥାକୁ ଉନ୍ନତ କରିବା, ଜଟିଳ କରିବା । ସେହି ଜଟିଳତା ପାଇଁ ମନକୁ ପ୍ରସ୍ତୁତ କରି ନ ପାରିଲେ ଶିଳ୍ପ ଓ ଯନ୍ତ୍ରର ପ୍ରସାର ପାଇଁ ଯେଉଁ ଉଦ୍ୟୋଗ ହେବ, ତାହା ସଫଳ ହୋଇପାରିବ ନାହିଁ । ତେଣୁ ପୁରାତନ ଯୁଗର ଆଦର୍ଶ ସହିତ ନୂତନ ଯୁଗର ଅର୍ଥନୀତିକୁ ଯେଉଁମାନେ ମିଳାଇବାକୁ ଚେଷ୍ଟା କରୁଛନ୍ତି, ସେମାନେ କୁହୁଡ଼ିରେ ପହଁରିବାକୁ ଚେଷ୍ଟା କରୁଛନ୍ତି । ଯଦି ଶିଳ୍ପର ଉନ୍ନତି ଓ ଯନ୍ତ୍ରର ପ୍ରସାର ଆମର ଉଦ୍ଦେଶ୍ୟ ବୋଲି ଧରି ନିଆଯାଏ, ତା’ହେଲେ ତାର ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ ହୋଇ କାର୍ଯ୍ୟ କରିବାକୁ ହେବ । ଏବେ କିନ୍ତୁ ଭାରତରେ ଆଦିମ ମନୋବୃତ୍ତି ଧରି ଯାନ୍ତ୍ରିକ ଅର୍ଥନୀତି ପାଇଁ ଉଦ୍ୟମ କରାଯାଉଛି । ତେଣୁ ଉଭୟ କ୍ଷେତ୍ରରେ ଗୋଳମାଳ ସୃଷ୍ଟି ହେଉଛି । ଏ କଥା ମାନି ନେବାକୁ ହେବ ଯେ ଶିଳ୍ପ ଓ ଯନ୍ତ୍ରର ପ୍ରସାର ହେଲେ, ଗ୍ରାମ୍ୟ ଅର୍ଥନୀତି ଯାଗାରେ ସହର ଅର୍ଥନୀତି ଗଢ଼ି ଉଠିବ, ପ୍ରକୃତିର ନିର୍ଜ୍ଜନତା ଭାଙ୍ଗି ଟ୍ରେନ, ବସ୍, ଟ୍ରକ୍ ଓ ଜିପ ଚାଲିବ, କଳ କାରଖାନାରୁ ଧୂଆଁ ଓ ଆବର୍ଜନା ବାହାରି ବାୟୁମଣ୍ଡଳକୁ ଅପରିଷ୍କାର କରିବ, ଚାଷୀମାନଙ୍କ ଯାଗାରେ ଶିଳ୍ପପତି ଓ କାରଖାନାର ଶ୍ରମିକମାନେ ସମାଜର ଆଭିମୁଖ୍ୟକୁ ନିୟନ୍ତ୍ରଣ କରିବେ, ଅର୍ଥାତ୍ ଆମର ଆଦିମ ସମାଜର ଢଙ୍ଗ ପୂରାପୂରି ବଦଳିଯିବ । ତେଣୁ ଶିଳ୍ପ ପ୍ରସାର ପାଇଁ ଉଦ୍ୟମ କରି ଆଦିମ ସମାଜର ଢଙ୍ଗ ଅନୁସାରେ ସାମାଜିକ ମାନଦଣ୍ଡକୁ ବିଚାର କଲେ ବିଚାର ଭୁଲ ହେବ, ଶିଳ୍ପ ପ୍ରସାରରେ ଆଘାତ ଆସିବ । ତେଣୁ ଯେଉଁମାନେ ଶିଳ୍ପ ପ୍ରସାର କରି ଭାରତର ଆର୍ଥନୀତିକ ପ୍ରଗତି ପାଇଁ ଉଦ୍ୟମ କରୁଛନ୍ତି, ସେମାନେ ଶିଳ୍ପ ସଭ୍ୟତାର ସମସ୍ତ ଦୋଷ ଓ ଗୁଣକୁ ବିନା ଦ୍ଵିଧାରେ ମାନି ନେବା ଉଚିତ୍ । ଏହା ହିଁ ଆମ ଆଗରେ ଆଜି ଏକ ବଡ଼ ପ୍ରଶ୍ନ ।

Image

 

ବ୍ୟକ୍ତି, ସମାଜ ଓ ସଂସ୍କୃତି

 

ବ୍ୟକ୍ତି, ସମାଜ ଓ ସଂସ୍କୃତି ଭିତରେ ସମ୍ପର୍କ

 

ବ୍ୟକ୍ତି, ସମାଜ ଓ ସଂସ୍କୃତି ପରସ୍ପର ଘନିଷ୍ଠ ଭାବରେ ସଂପୃକ୍ତ । ବ୍ୟକ୍ତି ବ୍ୟତୀତ ସମାଜ ସମ୍ଭବ ହୋଇ ପାରିବ ନାହିଁ କି ସମାଜ ବ୍ୟତୀତ ସଂସ୍କୃତିର ବିକାଶ ହୋଇ ପାରିବ ନାହିଁ । ସମାଜର ପ୍ରଗତି ବ୍ୟକ୍ତିର ବିକାଶ ଆଣେ ଓ ବ୍ୟକ୍ତିର ବିକାଶ ସମାଜକୁ ପରିପୁଷ୍ଟ କରେ । ଫଳରେ ସଂସ୍କୃତି ପରିମାର୍ଜିତ ହୁଏ । ତେଣୁ ବ୍ୟକ୍ତି, ସମାଜ ଓ ସଂସ୍କୃତିକୁ ଏକତ୍ର ବିଚାର କରି ସେମାନଙ୍କ ଭିତରେ ସମ୍ପର୍କ ନିରୂପଣ କରିବା ଉଚିତ ।

 

ସମୂହ ଭାବରେ ସମାଜ ସଂସ୍କୃତିକୁ ଯେତେବେଳେ ବିଚାର କରାଯାଏ, ସେତେବେଳେ କୌଣସି ବ୍ୟକ୍ତିକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ ନାହିଁ । ଜଳବିନ୍ଦୁର ସମଷ୍ଟିରେ ଜଳଧିର ସମ୍ଭବ ହେଲେ ମଧ୍ୟ, ଜଳଧିର ବିରାଟତ୍ଵ ବିଚାର କଲାବେଳେ ଜଳବିନ୍ଦୁର ମହତ୍ତ୍ଵ ଅନୁଭବ କରିବା ସହଜ ହୁଏ ନାହିଁ ।

 

ସେହିପରି ବ୍ୟକ୍ତିର ସମଷ୍ଟିକୁ ସମାଜ ଓ ବ୍ୟକ୍ତିର ବଞ୍ଚିବା ପ୍ରଣାଳୀକୁ ସଂସ୍କୃତି ବୋଲି ଆଖ୍ୟା ଦିଆଗଲେ ମଧ୍ୟ, ସମାଜ ଓ ସଂସ୍କୃତିର ସ୍ୱରୂପ ନିର୍ଣ୍ଣୟ କଲାବେଳେ, ବ୍ୟକ୍ତିର ଗୁରୁତ୍ୱ ଭୁଲିଯିବା ସ୍ଵାଭାବିକ । କିନ୍ତୁ ଏ କଥା ଆମମାନଙ୍କୁ ମନେ ରଖିବାକୁ ହେବ ଯେ ବ୍ୟକ୍ତି ଓ ସମାଜ ସଂସ୍କୃତିର ମୂଳପିଣ୍ତ । ବ୍ୟକ୍ତିର ଆଶା, ଆକାଂକ୍ଷା ଓ ଅଭାବ ପୂରଣ ପାଇଁ ଉଦ୍ୟମ ସମାଜ ଓ ସଂସ୍କୃତିର ନିୟାମକ ।

 

ସାମାଜିକ ସଙ୍ଗଠନର ଆବଶ୍ୟକତା

 

ମନୁଷ୍ୟର ଅଭାବ ଓ ଅସୁବିଧା ସମାଜ ସୃଷ୍ଟି କରେ । ଅନ୍ୟାନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ମନୁଷ୍ୟର ଅଭାବ ବେଶୀ । ତେଣୁ ମନୁଷ୍ୟମାନଙ୍କର ବଞ୍ଚିବା ପ୍ରଣାଳୀ ଅଧିକ ଜଟିଳ । ଏହି ଅଭାବକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଏ––ଶାରୀରିକ ଅଭାବ ଓ ମାନସିକ ଅଭାବ । ନିଜର ପେଟ ପୂରେଇବା ପାଇଁ ମନୁଷ୍ୟ ଖାଦ୍ୟ ଖୋଜେ, ଦେହ ଘୋଡ଼ାଇବା ପାଇଁ ବସ୍ତ୍ର ସଂଗ୍ରହ କରେ, ମୁଣ୍ଡ ଗୁଞ୍ଜିବା ପାଇଁ ଗୃହ ନିର୍ମାଣ କରେ, ଇଦ୍ରିୟ ବାସନା ପୂରଣ କରିବା ପାଇଁ ଗୃହସ୍ଥାଶ୍ରମର ଆଶ୍ରୟ ନିଏ । ଏହି ସବୁ ଶାରୀରିକ ଅଭାବ ପୂରଣ କରିବା ପାଇଁ ମନୁଷ୍ୟମାନେ ଯେପରି ସଙ୍ଗଠିତ ଉଦ୍ୟମ କରନ୍ତି, ତାହା ଅନ୍ୟ ପ୍ରାଣୀମାନେ କରିପାରନ୍ତି ନାହିଁ । ଭିନ୍ନ ଭିନ୍ନ ଲୋକମାନଙ୍କ ଭିତରେ ସଙ୍ଗଠିତ ଉଦ୍ୟମର ପ୍ରକାର ଭେଦ ଦେଖାଯାଏ । ସେଥିପାଇଁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାର ସାମାଜିକ ଓ ଆର୍ଥନୀତିକ ସଙ୍ଗଠନ ଦେଖିବାକୁ ମିଳେ । ଏହିସବୁ ସଙ୍ଗଠନ ଦେଖି ଆମେ ଦେଶର ପ୍ରଗତି ବିଚାର କରୁ । ଯେଉଁ ଦେଶର ସଙ୍ଗଠନ ଯେତେ ଭଲ; ସେ ଦେଶ ସେତେ ଉନ୍ନତ––ତା’ର ଆର୍ଥନୀତିକ ପ୍ରଗତି ସେତେ ଅଧିକ ।

 

ସମାଜର ପ୍ରୟୋଜନୀୟତା

 

ଶାରୀରିକ ଅଭାବ ବ୍ୟତୀତ ମାନସିକ ଅଭାବ ମଧ୍ୟ ମନୁଷ୍ୟର ଏକ ଦରକାରୀ ଜିନିଷ । ମନୁଷ୍ୟ ସ୍ନେହ ଖୋଜେ, ପ୍ରଶଂସା ଲୋଡ଼େ ଓ ସହାନୁଭୂତି ଚାହେଁ । ଏ କଥା ସମସ୍ତେ ଜାଣନ୍ତି ଯେ ଯେଉଁ ପିଲାମାନେ ସ୍ନେହ ପାଆନ୍ତି ନାହିଁ, ସେମାନଙ୍କ ପକ୍ଷରେ ଜୀବନ ଧାରଣ କରିବା କଷ୍ଟ ହୋଇପଡ଼େ । (Babies who are not loved, do not live.) ସମାଜର ଆଇନ, କାନୁନ ଓ ଦଣ୍ଡ ଆମକୁ ଯେତିକି ସାମାଜିକ କରେ, ସମାଜର ସ୍ନେହ, ଶ୍ରଦ୍ଧା ଓ ଭକ୍ତି ଆମକୁ ସେତିକି ସାମାଜିକ କରେ । ସମାଜର ଆଇନ କାନୁନ ଭାଙ୍ଗିଲେ, ଆମେ ଦଣ୍ଡ ପାଉ । ତେଣୁ ସାମାଜିକ ନିୟମକୁ ମାନି ଚଳିବାକୁ ଚେଷ୍ଟା କରୁ । ସେହିପରି ସମାଜ ପାଇଁ କିଛି ଭଲ କାମ କଲେ, ସମାଜ ଆମକୁ ଆଦର କରେ, ପ୍ରଶଂସା କରେ । ତେଣୁ ସମାଜ ପାଇଁ ଭଲ କାମ କରିବାକୁ ଆମର ମନ ବ୍ୟଗ୍ର ହୋଇ ଉଠେ । ଏଥିରୁ ସାମାଜିକ ମନୋଭାବର ସୃଷ୍ଟି ହୁଏ । ଦ୍ଵିତୀୟରେ ଆମେମାନେ କେବଳ ବର୍ତ୍ତମାନକୁ ଧରି ଚଳୁ ନାହିଁ । ଜୀବନ କ୍ଷଣସ୍ଥାୟୀ କିନ୍ତୁ ଆମର ଆଶା ଆକାଂକ୍ଷା ଚିରସ୍ଥାୟୀ-। ଭବିଷ୍ୟତର ସ୍ୱପ୍ନ, ଭବିଷ୍ୟତର କଳ୍ପନା ମାନବିକ ଚିନ୍ତାଧାରାକୁ ଯେତିକି ପ୍ରଭାବିତ କରେ, ମନୁଷ୍ୟ ସମାଜ ଉପରେ ସେତିକି ଅଧିକ ନିର୍ଭର କରେ । ତୃତୀୟରେ ନୂତନର ସନ୍ଧାନ ମାନବିକ ସଭ୍ୟତାର ଏକ ପ୍ରଧାନ ଅଙ୍ଗ । କାହାରି ଜୀବନରେ ସନ୍ତୋଷ ନାହିଁ । ମନୁଷ୍ୟ ଯଦି କାମନା ବିକାଶ କରି ପାରନ୍ତା, ନୂତନ ଅନୁସନ୍ଧାନରୁ ନିବୃତ୍ତ ହୁଅନ୍ତା, ତା’ ହେଲେ ସମାଜର ଅହରହ ପରିବର୍ତ୍ତନ ସମ୍ଭବ ହୁଅନ୍ତା ନାହିଁ । କିନ୍ତୁ ଅସନ୍ତୋଷ ମନୁଷ୍ୟ ଜୀବନର ଲକ୍ଷଣ । ଅସନ୍ତୋଷ ହିଁ ନୂତନର ସୃଷ୍ଟି କରେ, ଜୀବନରେ ସରସତା ଆଣେ, ସମାଜ ସହିତ ମଣିଷର ସମ୍ପର୍କ ଦୃଢ଼ କରେ-। ସମାଜ ବ୍ୟତୀତ ମନୁଷ୍ୟ ନୂତନର ସୃଷ୍ଟି କରି ପାରିବ ନାହିଁ––ତେଣୁ ମନୁଷ୍ୟ ସମାଜ ଚାହେଁ–ସାମାଜିକ ହୋଇ ରହିବାକୁ ଭଲ ପାଏ ।

 

ମନୁଷ୍ୟର ଯଦି ଶାରୀରିକ ଓ ମାନସିକ ଅଭାବ ନ ଥାନ୍ତା, ତା ହେଲେ ତା’ର କର୍ମପ୍ରବଣତା ଲୋପ ପା’ନ୍ତା । ମନୁଷ୍ୟ କାମ କରୁଛି ଏହି ସବୁ ଅଭାବ ଦୂର କରିବା ପାଇଁ । କିନ୍ତୁ ଯେତେ ଅଭାବ ଦୂରକରୁଛି, ସେତେ ନୂଆ ଅଭାବର ସୃଷ୍ଟି ହେଉଛି । ଫଳରେ କର୍ମପ୍ରବଣତା ବଢ଼ୁଛି-। ଅଭାବର ସୀମା ନାହିଁ, କାମନାର ବିନାଶ ନାହିଁ, ତେଣୁ ନିର୍ବାଣ ନାହିଁ । କାମନାର ପୂରଣ ପାଇଁ ସଂଗଠିତ ଉଦ୍ୟମ ଦରକାର । ସଂଗଠିତ ଉଦ୍ୟମ ଯୋଗୁଁ ସମାଜର ସୃଷ୍ଟି । ତେଣୁ ମନୁଷ୍ୟର ଅଭାବ ମନୁଷ୍ୟର ସ୍ଵଭାବ ନିରୂପଣ କରିବାରେ ଦାୟୀ ।

 

ବ୍ୟକ୍ତିଉପରେ ପରିସ୍ଥିତିର ପ୍ରଭାବ

 

କିନ୍ତୁ ଖାଲି ଆଶା, ଆକାଂକ୍ଷା ବା ଅଭାବ ଅନୁସନ୍ଧାନ କରି ସ୍ୱଭାବର ସ୍ୱରୂପ ଆଲୋଚନା କରାଯାଇ ପାରିବ ନାହିଁ । ସମସ୍ତଙ୍କର ତ ଅଭାବ ଅଛି––ତେବେ ସ୍ୱଭାବର ସ୍ୱରୂପରେ ପରିବର୍ତ୍ତନ ଦେଖାଯାଉଛି କାହିଁକି ? ସହରରେ ଖାଦ୍ୟ ସଂଗ୍ରହ କରିବାରେ ଯେଉଁ ପ୍ରକାର ଉଦ୍ୟମ ହେଉଛି, ମଫସଲରେ ସେପରି ହେଉନାହିଁ––ଉଦ୍ୟମର ତାରତମ୍ୟ ଓ ସ୍ୱଭାବର ପରିବର୍ତ୍ତନ ଅନୁସନ୍ଧାନ କରିବାକୁ ହେଲେ ଆମକୁ କେବଳ ଅଭାବ ଉପରେ ଦୃଷ୍ଟି ଦେବାକୁ ପଡ଼ିବ ନାହିଁ । ଅଭାବ ସହିତ ମନୁଷ୍ୟର ଅଭିଜ୍ଞତାକୁ ଯୋଡ଼ିବାକୁ ହେବ । ଭିନ୍ନ ଭିନ୍ନ ଅଞ୍ଚଳର ଲୋକମାନଙ୍କର ଅଭିଜ୍ଞତାରେ ଅନେକ ପ୍ରାର୍ଥକ୍ୟ ଅଛି––ତେଣୁ ଅଭାବ ପୂରଣପାଇଁ ଯେଉଁ ଉଦ୍ୟମ ହେଉଛି, ସେଥିରେ ପୃଥକତା ଦେଖିବାକୁ ମିଳୁଛି । ଅଭିଜ୍ଞତାକୁ ବିଶ୍ଳେଷଣ କରିବାକୁ ହେଲେ, ଆମକୁ ପରିସ୍ଥିତି ଆଡ଼କୁ ନଜର ଦେବାକୁ ପଡ଼ିବ । କାରଣ, ଅଭିଜ୍ଞତା ସୃଷ୍ଟି କରିବାରେ ପରିସ୍ଥିତି ସାହାଯ୍ୟ କରେ । ପରିସ୍ଥିତି ଅର୍ଥ ସାମାଜିକ ପରିସ୍ଥିତି––ଅର୍ଥାତ୍ ସମାଜ । ତେଣୁ ବ୍ୟକ୍ତିଗତ ଅଭିଜ୍ଞତା, କର୍ମପ୍ରବଣତା ଓ ସ୍ଵଭାବ ସମାଜ ଉପରେ ନିର୍ଭର କରେ । ବ୍ୟକ୍ତିର ସମଷ୍ଟିରେ ସମାଜ ସଂଗଠିତ ହେଲେ ମଧ୍ୟ ସମାଜ ମନୁଷ୍ୟର ସ୍ଵଭାବ ନିରୂପଣ କରେ, ମାନସିକ ଉଚ୍ଛ୍ୱାସକୁ ରୂପରେଖ ଦିଏ ।

 

କିନ୍ତୁ ଇତର ପ୍ରାଣୀମାନଙ୍କ ପରି ମନୁଷ୍ୟ ପ୍ରବୃତ୍ତିଦ୍ୱାରା ପରିଚାଳିତ ହୁଏ ନାହିଁ । ମନୁଷ୍ୟ ଯାହା କରେ, ତାହା ପ୍ରାୟ ଭାବି ଚିନ୍ତି କରେ । ତେଣୁ ପ୍ରତ୍ୟେକ ଲୋକର ସ୍ଵଭାବ ସ୍ଵତନ୍ତ୍ର । କେତେକ ପ୍ରକାର ସ୍ଵଭାବରେ ସାମଞ୍ଜସ୍ୟ ଦେଖିବାକୁ ମିଳେ ବୋଲି ଲୋକେ ତାକୁ ପ୍ରବୃତ୍ତି ବୋଲି କହନ୍ତି । କିନ୍ତୁ ଏହା ପ୍ରବୃତ୍ତି ନୁହେଁ । ସ୍ୱଭାବ ଅଭିଜ୍ଞତାରୁ ସୃଷ୍ଟି ହୁଏ । ଅଭିଜ୍ଞତା ସମାନ ହେଲେ, ସ୍ଵଭାବ ସମାନ ହୁଏ । ଅଭିଜ୍ଞତା ପରିସ୍ଥିତି ଉପରେ ନିର୍ଭର କରେ । ତେଣୁ ପରିସ୍ଥିତି ସମାନ ହେଲେ ଅଭିଜ୍ଞତା ଏକ ପ୍ରକାର ସମାନ ହୁଏ ଓ ସ୍ଵଭାବରେ ବେଶୀ କିଛି ପାର୍ଥକ୍ୟ ଦେଖାଯାଏ ନାହିଁ-। କିନ୍ତୁ ଗୋଟିଏ ଅଞ୍ଚଳର ପରିସ୍ଥିତି ଅନ୍ୟ ଅଞ୍ଚଳର ପରିସ୍ଥିତିଠାରୁ ଅଲଗା ହେଉଥିବାରୁ, ଆଞ୍ଚଳିକ ସ୍ୱଭାବରେ ପାର୍ଥକ୍ୟ ଦେଖିବାକୁ ମିଳେ । ସେହିପରି ଦେଶ ଓ ଦେଶ ନେଇ ସ୍ଵଭାବ ଓ ଢଙ୍ଗରେ ପରିବର୍ତ୍ତନ ପରିଲକ୍ଷିତ ହୁଏ । ତଥାପି ଏକଥା ସମସ୍ତେ ମାନିବେ ଯେ ସାମାଜିକ ଢଙ୍ଗ ସ୍ଵତନ୍ତ୍ର ଥାଇ ମଧ୍ୟ ପ୍ରତ୍ୟେକ ପ୍ରକାର ସମାଜରେ ଅନେକ ପ୍ରକାର ସମାନ ଧରଣର ଢଙ୍ଗ ଦେଖିବାକୁ ମିଳେ-

 

ସମାଜର ଗୁରୁତ୍ଵ

 

ବ୍ୟକ୍ତିକୁ ନେଇ ସମାଜ ଗଠିତ ସତ କିନ୍ତୁ ବ୍ୟକ୍ତିଠାରୁ ସମାଜର ପ୍ରାଧାନ୍ୟ ଆଜି ବେଶୀ । କାରଣ ବ୍ୟକ୍ତି ନିଜର ବଞ୍ଚିବା ପାଇଁ ସମାଜ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛି । ପିଲାଟି ଦିନରୁ ପିଲାମାନେ ବାପା ଓ ମା’ଙ୍କ ଉପରେ ନିର୍ଭର କରି ରହୁଛନ୍ତି । ବାପା ଓ ମା’ମାନଙ୍କର ଯତ୍ନ, ସ୍ନେହ ଓ ଆଦର ନ ପାଇଲେ, କୌଣସି ପିଲା ବଞ୍ଚି ବି ପାରିବ ନାହିଁ । ତା’ ପରେ ତ ଶିଖିବା ଓ ଜାଣିବାର ଅଛି । ପିଲା ସମାଜ ଭିତରେ ରହି ଭିନ୍ନ ଭିନ୍ନ କଥା ଶିଖେ; ବାପା, ମା, ଭାଇ, ଭଉଣୀ ଓ ସାଇ ପଡ଼ିଶାକୁ ଅନୁକରଣ କରେ; ଜ୍ଞାନ ଆହରଣ କରେ ଓ ବଞ୍ଚିବାର ପ୍ରଣାଳୀ ଜାଣେ । ପୁଣି ବଞ୍ଚିବା ପ୍ରଣାଳୀରେ ସାମାଜିକତା ଯେପରି ନିର୍ଭର କରି ଉଠୁଛି, ବ୍ୟକ୍ତିତ୍ଵର ସ୍ଵତନ୍ତ୍ରତା ସେତିକି କମୁଛି । ଅର୍ଥାତ୍ ମନୁଷ୍ୟର ଅଭାବ ସେତିକି ବଢ଼ୁଛି, ଉତ୍ପାଦନ ପ୍ରଣାଳୀ ସେତିକି ଜଟିଳ ହେଉଛି । ଉତ୍ପାଦନ ପ୍ରଣାଳୀ ପରିଚାଳନା କରିବା ପାଇଁ ସମସ୍ତଙ୍କର ସହଯୋଗ ଦରକାର ପଡ଼ୁଛି । କୌଣସି ଏକ ବ୍ୟକ୍ତିର ଆବଶ୍ୟକତା ପ୍ରତି ସେତେ ଗୁରୁତ୍ଵ ଦିଆଯାଉ ନାହିଁ ।

 

ଦ୍ୱିତୀୟରେ ସମାଜ ଚିରସ୍ଥାୟୀ, କିନ୍ତୁ ବ୍ୟକ୍ତି କ୍ଷଣସ୍ଥାୟୀ । ଆମେ ସମାଜକୁ ଆସୁଛୁ, ସମାଜ ଉପରେ ନିର୍ଭର କରୁଛୁ, ଚଳୁଥିବା ଢଙ୍ଗକୁ ମାନି ନେଉଛୁ । ହୁଏତ ଆମ ପ୍ରଭାବରେ ସାମାଜିକ ଢଙ୍ଗର କିଛି ପରିବର୍ତ୍ତନ ହେଉଛି । ସମାଜ ତାକୁ ଗ୍ରହଣ କରି ନେଉଛି । ଫଳରେ ଆମର ଅଜାଣତରେ ନୂଆ ସମାଜ ଗଢ଼ି ଉଠୁଛି । ଆମର ସ୍ଵଭାବ ମଧ୍ୟ ବଦଳି ଯାଉଛି । କିନ୍ତୁ ଚଳନ୍ତି ସମାଜର ପ୍ରଭାବରେ ଆମେ ପ୍ରଭାବିତ ହୋଇ ଆମର ଚାଲି ଚଳନ ଢଙ୍ଗ ଓ ସ୍ଵଭାବକୁ ଯେ ନିୟନ୍ତ୍ରିତ କରୁଛୁ, ଏଥିରେ କୌଣସି ସନ୍ଦେହ ନାହିଁ । ତେଣୁ କୌଣସି ଏକ ବ୍ୟକ୍ତି ଠାରୁ ସମାଜ ବଡ଼ ରୂପେ ଦେଖାଯାଉଛି ।

 

ତୃତୀୟରେ ସମାଜ ସମୂହ ପାଇଁ କାର୍ଯ୍ୟ କରେ । ସମୟେ ସମୟେ ବ୍ୟକ୍ତିମାନେ ମଧ୍ୟ ସମୂହ ଦୃଷ୍ଟିରୁ ବିଚାର କରନ୍ତି । ଯେତେବେଳେ ଯୁଦ୍ଧ ଆସେ, ସେତେବେଳେ ଆମେ ଆମ ସମାଜ କଥା ଭାବୁ । ସମାଜର ହିତ ପାଇଁ କେତେକ ବ୍ୟକ୍ତିଙ୍କୁ ସୈନ୍ୟ ଆକାରରେ ଯୁଦ୍ଧ ମୁହଁକୁ ଠେଲିଦେଉ-। ସେମାନେ ଯୁଦ୍ଧରେ ପ୍ରାଣ ଦିଅନ୍ତି––କାରଣ, ସମାଜ ବଞ୍ଚି ରହିବ, ସମାଜର ଉନ୍ନତି ହେବ-। ସମାଜର ଶାନ୍ତି ପାଇଁ ଆମେ ଚୋର ଓ ଡକାୟତମାନଙ୍କୁ ଦଣ୍ଡ ଦେଉ––କାରଣ ବ୍ୟକ୍ତିର ଜୀବନଠାରୁ ସମାଜର ଶାନ୍ତି ଓ ପ୍ରଗତି ଅଧିକ ମୂଲ୍ୟବାନ୍ ବୋଲି ଧରାଯାଏ । ସେହିପରି ବ୍ୟକ୍ତିଗତ ଜୀବନରେ ମଧ୍ୟ ଆମେ ଆମର ଅନେକ ଆଶା ଓ ଆକାଂକ୍ଷାକୁ ନିୟନ୍ତ୍ରଣ କରି ସମାଜ ଅନୁମୋଦିତ ଢଙ୍ଗରେ ଚାଲିବାକୁ ଚେଷ୍ଟା କରୁ । ସମାଜ ବା ସମାଜର ନିୟନ୍ତ୍ରଣ ନ ଥିଲେ, ମନୁଷ୍ୟର ସ୍ଵଭାବ କ’ଣ ହୁଅନ୍ତା, ତାହା ସହଜରେ ଆଲୋଚନା କରି ହେବ ନାହିଁ । ତେବେ ଏ କଥା ସତ, ମନୁଷ୍ୟର ସ୍ୱଭାବରେ ଯଥେଷ୍ଟ ଉଚ୍ଛୃଙ୍ଖଳତା ଦେଖାଯା’ନ୍ତା । ସାମାଜିକ ଜୀବନ ବ୍ୟକ୍ତିଗତ ଜୀବନ ଯେପରି ଉତ୍କର୍ଷ ସାଧନ କରେ, ସେହିପରି ବ୍ୟକ୍ତିଗତ ଜୀବନର ସ୍ଵାଧୀନତା ଓ ଉଚ୍ଛୃଙ୍ଖଳତାକୁ ନିୟନ୍ତ୍ରଣ କରେ । ଯେଉଁମାନେ ସମାଜରେ ଚଳନ୍ତି, ସେମାନେ ସମାଜ ଉପରେ ପୂରାପୂରି ନିର୍ଭର କରିବାକୁ ବାଧ୍ୟ ହୋଇ ପଡ଼ନ୍ତି । ସମାଜ ସେମାନଙ୍କ ପାଇଁ କ’ଣ କରିବ ଓ ସେମାନେ ସମାଜ ପାଇଁ କ’ଣ କରି ପାରିବେ, ତାହା ହିଁ ସେମାନଙ୍କ ଚିନ୍ତାଧାରାକୁ ପ୍ରଭାବିତ କରେ-। ସାମାଜିକ ଜୀବନରେ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜୀବନର ସ୍ୱତନ୍ତ୍ରତା ଭୁଲି ଯାଇ ସମାଜର କଲ୍ୟାଣ ପାଇଁ ଚେଷ୍ଟା କରେ । ତେଣୁ ବ୍ୟକ୍ତି ଓ ସମାଜ ଭିତରେ ସମାଜ ଆଜି ଶୀର୍ଷ ଆସନ ଅଧିକାର କରିବସିଛି ।

 

ସଂସ୍କୃତିର ପ୍ରକୃତ ଅର୍ଥ

 

ସମାଜରେ ମନୁଷ୍ୟ ଯେପରି ଚଳେ, ଯେପରି ବ୍ୟବହାର କରେ, ଯେପରି ଅନ୍ୟମାନଙ୍କ ସହିତ ମିଶେ––ଯାହାକୁ ଆମେ ବଞ୍ଚିବାର ପ୍ରଣାଳୀ ବୋଲି କହୁ, ତାକୁ ସଂସ୍କୃତି ବୋଲି କୁହାଯାଏ । ବଞ୍ଚିବାର ପ୍ରଣାଳୀରେ ଅନେକ ତାରତମ୍ୟ ଅଛି । କିନ୍ତୁ ଏହି ସବୁ ତାରତମ୍ୟ ସତ୍ତ୍ୱେ ଅନେକ ସମାନତା ବି ଅଛି । କେଉଁ ଅବସ୍ଥାରେ କ’ଣ କରିବାକୁ ହୁଏ, ତାହା ଆମେମାନେ ସାଧାରଣତଃ ଜାଣୁ ଏବଂ ସେଇ ଅନୁସାରେ ଆମର ଜୀବନକୁ ପରିଚାଳନ କରୁ । ପ୍ରତ୍ୟେକ ସମାଜର ଏକ ମାନଦଣ୍ଡ ଅଛି ଓ ସେ ସମାଜର ମନଦଣ୍ଡକୁ ଲୋକେ ମାନି ଚଳନ୍ତି ବୋଲି ସମାଜ ବଞ୍ଚି ରହିଛି । ଯେଉଁମାନେ ଏଇ ମାନଦଣ୍ଡକୁ ବେଖାତିର କରନ୍ତି, ମାନଦଣ୍ଡ ବିରୁଦ୍ଧରେ ଯାଇ ନୂଆ ଢଙ୍ଗ ଧରନ୍ତି, ସେମାନେ ହାସ୍ୟାସ୍ପଦ ହୁଅନ୍ତି । ସମାଜରେ ଏବେ ଯେଉଁମାନେ ଅଛନ୍ତି, ସେମାନେ ଯେ ପ୍ରଚଳିତ ବଞ୍ଚିବା ପ୍ରଣାଳୀ ଦ୍ଵାରା ପ୍ରଭାବିତ ହୋଇ ଜୀବନ ଯାପନ କରନ୍ତି, ତା ନୁହେଁ––ଯେଉଁମାନେ ସମାଜକୁ ନୂଆ ହୋଇ ଆସନ୍ତି, ସେମାନେ ମଧ୍ୟ ପୁରୁଣା ମାନଦଣ୍ଡକୁ ଅନୁକରଣ କରନ୍ତି । ଅବଶ୍ୟ ମାନଦଣ୍ଡର ପରିବର୍ତ୍ତନ ହୁଏ । ବ୍ୟକ୍ତି ଏକ ସାମାଜିକ ଜୀବ ହିସାବରେ ସାମାଜିକ ଢଙ୍ଗକୁ ଗ୍ରହଣ କରେ । କିନ୍ତୁ ବ୍ୟକ୍ତିର ବି ଏକ ସ୍ୱତନ୍ତ୍ର ସତ୍ତା ଅଛି । ତେଣୁ ସେ ନୂତନ ଢଙ୍ଗ ବା ପ୍ରଣାଳୀର ସୃଷ୍ଟିକରେ । ସମାଜ ତାକୁ ଗ୍ରହଣ କରେ । ସମାଜର ପ୍ରଭାବରେ ବ୍ୟକ୍ତି ଯେପରି ପ୍ରଚଳିତ ଢଙ୍ଗକୁ ଗ୍ରହଣ କରେ, ବ୍ୟକ୍ତିର ପ୍ରଭାବରେ ସମାଜ ମଧ୍ୟ ନୂତନ ଢଙ୍ଗକୁ ସାମାଜିକ କରି ନିଏ । ସମାଜରେ ଯେତେବେଳେ ଯେଉଁ ଢଙ୍ଗ ଚଳେ, ଯେଉଁ ପ୍ରଣାଳୀ ସାଧାରଣରେ ଗୃହୀତ ହୁଏ ସେତେବେଳେ ତାହା ସମାଜର ସଂସ୍କୃତି ହୁଏ । ସେହି ଦୃଷ୍ଟିରୁ ବିଚାର କଲେ, ପ୍ରତ୍ୟେକ ସମାଜର ଏକ ଏକ ସଂସ୍କୃତି ଅଛି । ଆଦିବାସୀମାନଙ୍କର ଯେପରି ଏକ ସଂସ୍କୃତି ଅଛି, ଇଂଲଣ୍ଡ ଓ ଆମେରିକାର ଲୋକମାନଙ୍କର ମଧ୍ୟ ସେହିପରି ଏକ ଏକ ସଂସ୍କୃତି ଅଛି ।

 

ସଂସ୍କୃତିକୁ ଅଧିକାଂଶ ଲୋକ ଏକ ସଂକୀର୍ଣ୍ଣ ଅର୍ଥରେ ବ୍ୟବହାର କରନ୍ତି । ସେମାନଙ୍କ ଅର୍ଥରେ ସଂସ୍କୃତି ଅର୍ଥ ଏକ ସୂକ୍ଷ୍ମ ଚିନ୍ତାଧାରା । ଯେଉଁମାନଙ୍କର ଏଇ ସୂକ୍ଷ୍ମ ଚିନ୍ତାଧାରା ନାହିଁ ସେମାନଙ୍କର ସଂସ୍କୃତି ନାହିଁ । ସାଧାରଣ ଅର୍ଥରେ କହିଲେ ଜଣେ ଯଦି କାଳିଦାସ ବା ସେକ୍‍ସପିଅରଙ୍କ ବହି ପଢ଼ି ଆଲୋଚନା କରୁଛି, ସଙ୍ଗୀତ, ନୃତ୍ୟ, କଳା ଓ କାରୁକାର୍ଯ୍ୟରେ ଆଗ୍ରହ ପ୍ରକାଶ କରୁଛି, ଧର୍ମର ଚର୍ଚ୍ଚା କରୁଛି, ଆମେ ତାକୁ ସଂସ୍କୃତି ବୋଲି କହୁଛୁ ଏବଂ ଯେଉଁ ସମାଜରେ ଏହି ଧରଣର ଲୋକଙ୍କର ପ୍ରାଦୁର୍ଭାବ, ସେ ସମାଜରେ ସଂସ୍କୃତି ଅଛି ବୋଲି ଧରିନେଉଛୁ କିନ୍ତୁ ଯେଉଁ ସମାଜରେ ଅଧିକାଂଶ ଲୋକ ଟଙ୍କା ପଇସା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, କଳକାରଖାନାରେ କାମ କରୁଛନ୍ତି ଜୀବନର ଦୈନନ୍ଦିନ କାର୍ଯ୍ୟରୁ ଉପରକୁ ଉଠି ପାରୁ ନାହାନ୍ତି ସେ ସମାଜର ସଂସ୍କୃତି ନାହିଁ ବୋଲି ବିଚାର କରାଯାଉଛି । ମାଥ୍ୟୁ ଆରନୋଲ୍ଡ଼ଙ୍କ ଭାଷାରେ, Culture is ‘to know the best that has been said and thought in the world’ ଅର୍ଥାତ ସମାଜରେ ଯେଉଁ ସବୁ ଭଲ କଥା କୁହାଯାଇଛି ଓ ଚିନ୍ତା କରାଯାଇଛି, ତାକୁ ଜାଣିବା ହିଁ ସଂସ୍କୃତି । ସେହିପରି ଟି.ଏସ୍. ଏଲିଏଟ୍ ସଂସ୍କୃତିର ବ୍ୟାଖ୍ୟା କରି କହିଛନ୍ତି ଯେ, In the room the women come and go talking of Michelangelo.

 

ଅନ୍ୟ ଜଣଙ୍କ ଭାଷାରେ,

 

‘A culture is the configuration of learned behaviour and results of behaviour whose component elements are shared and transmitted by the members of a particular society.’

 

ଏ ସବୁ ସଂଜ୍ଞାର ଅବତାରଣ କରିବାର ଅର୍ଥ ଏହି ଯେ ଅନେକ ବିଶିଷ୍ଟ ଲୋକ ସଂସ୍କୃତିକୁ ଶିକ୍ଷାପ୍ରଦ ବା ଜ୍ଞାନପୂର୍ଣ୍ଣ ସ୍ଵଭାବ ହିସାବରେ ଚିତ୍ର କରିଛନ୍ତି । ଆମେ କଥାବାର୍ତ୍ତା କଲାବେଳେ ମଧ୍ୟ ସଂସ୍କୃତିକୁ ଏଇ ଅର୍ଥରେ ବ୍ୟବହାର କରୁ । କିନ୍ତୁ ବୈଜ୍ଞାନିକ ଦୃଷ୍ଟିରୁ ବିଚାର କଲେ ଦେଖାଯିବ ଯେ, ‘Culture refers to the total way of life, not simply to those parts which the society regard as higher or more desirable. ଅର୍ଥାତ୍, ବଞ୍ଚିବା ପ୍ରଣାଳୀର ପ୍ରତ୍ୟେକ ବିଭାଗକୁ ସଂସ୍କୃତି ବୋଲି କୁହାଯିବ କେବଳ ସୂକ୍ଷ୍ମ ଓ ସୁନ୍ଦର ବିଭାଗକୁ ନେଇ ସଂସ୍କୃତିର ବିଚାର କରିବା ଉଚିତ ହେବ ନାହିଁ ।

 

ତେଣୁ ଲୁଗା ସଫା କରିବା, ବାସନ ମାଜିବା ଓ ଗାଡ଼ି ଚଳାଇବା ଯେପରି ସଂସ୍କୃତିର ଅଙ୍ଗ, ଗୀତ ବୋଲିବା, କବିତା ଲେଖିବା ଓ ନୃତ୍ୟ କରିବା ସେହିପରି ସଂସ୍କୃତିର ଅଙ୍ଗ । ତେଣୁ କୌଣସି ଏକ ସମାଜର ସଂସ୍କୃତି ବିଚାର କଲାବେଳେ, ସେହି ସମାଜର ପ୍ରତ୍ୟେକ ବିଭାଗକୁ ଆଖି ଆଗରେ ରଖିବା ଉଚିତ ।

Image

 

କାର୍ଯ୍ୟବ୍ୟସ୍ତତା

 

କାର୍ଯ୍ୟ ବ୍ୟସ୍ତତା ସଭ୍ୟତାର ପ୍ରତିବନ୍ଧକ

କାର୍ଯ୍ୟବ୍ୟସ୍ତତା ରୂପକ ଏକ ସଂକ୍ରାମକ ରୋଗ ଏବେ ଦେଶରେ ବିଶେଷ ଭାବରେ ପ୍ରଚଳନ ହେବାର ଦେଖାଯାଉଛି । ବିଶେଷତଃ ଶିକ୍ଷିତ ଲୋକମାନେ ଏହି ରୋଗରେ ବେଶୀ ଆକ୍ରାନ୍ତ ହେବାର ଜଣାପଡ଼ୁଛି । ଯିଏ ଯେଉଁ ଅବସ୍ଥାରେ ଅଛନ୍ତି, ସମସ୍ତଙ୍କର କିଛି ନା କିଛି କାମ ବଢ଼ି ଚାଲିଛି, ଯାହା ଫଳରେ ନିଶ୍ଚିନ୍ତରେ କେହି ବସି ଧୀରସ୍ଥିର ଭାବରେ କୌଣସି ଗୋଟିଏ ବିଷୟ ଚିନ୍ତା କରିବାର ସୁବିଧା ଓ ସୁଯୋଗ ପାଉ ନାହାନ୍ତି । ଏହି ରୋଗଟିକୁ ସମାଜରୁ କିପରି ଦୂର କରିବାକୁ ହେବ, ସେ ବିଷୟରେ ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଅନୁଧ୍ୟାନ କରିବା ଉଚିତ । କାରଣ କୌଣସି ଦେଶର ସଭ୍ୟତା ଓ ସଂସ୍କୃତି କାର୍ଯ୍ୟବ୍ୟସ୍ତ ଲୋକମାନଙ୍କଦ୍ୱାରା ଅଗ୍ରସର ହୋଇ ପାରେ ନାହିଁ । ଯେଉଁମାନେ ନିଜେ ସବୁବେଳେ କାର୍ଯ୍ୟବ୍ୟସ୍ତ ଥାଇ ଉଚ୍ଚ ଚିନ୍ତା କରିବାର ସୁଯୋଗରୁ ବଞ୍ଚିତ ହୁଅନ୍ତି, ସେମାନଙ୍କର ତ ନିଜର ମାନସିକ ଶକ୍ତି ବିକାଶ ଲାଭ କରିପାରେ ନାହିଁ, ସେମାନେ ସମାଜ ଓ ଦେଶର ଚିନ୍ତାଧାରାରେ ଉନ୍ନତି ଆଣିବେ କୁଆଡ଼ୁ ? Will Durant ଙ୍କ ଭାଷାରେ No man who is in a hurry is quite civilised’

ଅଭାବବୃଦ୍ଧି ଓ କାର୍ଯ୍ୟ ବ୍ୟସ୍ତତା––

ତେବେ ଶିକ୍ଷିତ ଲୋକମାନେ, ଯେଉଁମାନଙ୍କର ବୁଝିବାର ଶକ୍ତି ଅଛି, ଚିନ୍ତା କରିବାର ଶକ୍ତି ଅଛି, ସେମାନେ କାହିଁକି କାର୍ଯ୍ୟବ୍ୟସ୍ତ ହେଉଛନ୍ତି ? ଗୋଟିଏ ଉତ୍ତର ହୋଇପାରେ ଯେ ଆଜିକାଲି ଅଭାବ ଏପରି ଗୁରୁତର ଭାବରେ ବୃଦ୍ଧି ପାଇଛି ଯେ ସେହି ଅଭାବ ପୂରଣ କରିବାପାଇଁ ମନୁଷ୍ୟକୁ ଅହର୍ନିଶି କାମ କରିବାକୁ ପଡ଼ୁଛି । ଏ କଥା ସତ ଯେ ପୂର୍ବାପେକ୍ଷା ଆଜିକାଲି ଅଭାବ ବୃଦ୍ଧି ହୋଇଛି । ବିଶେଷତଃ ଯେଉଁମାନେ ନିଜକୁ ଶିକ୍ଷିତ ଓ ସଭ୍ୟ ବୋଲାଉଛନ୍ତି, ସେମାନେ ବେଶୀ ଅଭାବର ସମ୍ମୁଖୀନ ହେଉଛନ୍ତି । ଯେଉଁମାନେ ଗାଁ ଗହଳରେ ଅଛନ୍ତି, ସେମାନଙ୍କର ହୁଏତ ରେଡ଼ିଓ, ଘଣ୍ଟା, ମଟର ଓ କୋଠାଘର ପ୍ରଭୃତି ଅଭାବ ପୂରଣ ନ ହେଲେ ମନରେ ଅସନ୍ତୋଷ ଆସୁ ନାହିଁ । ସେମାନେ ଅଳ୍ପରେ ସନ୍ତୁଷ୍ଟ ହୋଇ ଜୀବନକୁ ଉପଭୋଗ କରିବାର ସୁଯୋଗ ପାଉଛନ୍ତି । କିନ୍ତୁ ଯେଉଁମାନେ ସହରରେ ରହୁଛନ୍ତି ଏବଂ ଶିକ୍ଷା ଦୀକ୍ଷା ଗ୍ରହଣ କରି ନିଜକୁ ସଭ୍ୟ ଓ ସଂସ୍କୃତ ବୋଲି ଗର୍ବ ଅନୁଭବ କରୁଛନ୍ତି, ସେମାନଙ୍କର ଗୋଟିଏ ଅଭାବ ପୂରଣ ହେଲା ପରେ; ଆଉ ଗୋଟିଏ ଅଭାବ ସୃଷ୍ଟି ହେଉଛି ଏବଂ ସେମାନେ ଅଭାବପୂରଣ ନ କରି ପାରି ଅସନ୍ତୋଷ ଭିତରେ ବୁଡ଼ି ରହୁଛନ୍ତି । ଏଥିପାଇଁ ଅନ୍ୟାୟ ବଢ଼ୁଛି, ଅନାଚାର ବଢ଼ୁଛି ଏବଂ ଏହି ଅନ୍ୟାୟ ଅନାଚାର ବୃଦ୍ଧି କରିବାପାଇଁ କିମ୍ବା ଘୋଡ଼େଇବା ପାଇଁ କାର୍ଯ୍ୟବ୍ୟସ୍ତତା ନାମକ ସଂକ୍ରାମକ ରୋଗ ମାଡ଼ି ଚାଲୁଛି । ତେଣୁ ଯୁକ୍ତି ହେବା ସ୍ଵାଭାବିକ ଯେ, ଯେ ପର୍ଯ୍ୟନ୍ତ ଅଭାବବୃଦ୍ଧି–ଅର୍ଥନୀତି ଦେଶରେ କାମ କରୁଛି, ସେ ପର୍ଯ୍ୟନ୍ତ କାର୍ଯ୍ୟବ୍ୟସ୍ତତା ରୋଗରୁ ତ୍ରାହି ନାହିଁ । କେତେକ ମଧ୍ୟ ସେଥିପାଇଁ କହୁଛନ୍ତି ଯେ, ଆମକୁ ପୂର୍ବଯୁଗକୁ ଫେରିଯିବାକୁ ପଡ଼ିବ ଯେଉଁ ଯୁଗରେ କି ବେଶୀ ଅଭାବ ନ ଥିଲା, ଅଳ୍ପରେ ମଣିଷ ସନ୍ତୁଷ୍ଟ ହୋଇ ପରସ୍ପର ସହିତ ସହଯୋଗ କରି ଏକ ସହଯୋଗୀ ସମାଜ ଓ ସଭ୍ୟତା ଗଢ଼ି ପାରିଥିଲା ।

ଆଧୁନିକ ଅର୍ଥନୀତିରେ ଅଭାବ ପୂରଣର ସୁବିଧା

କିନ୍ତୁ ଆମେ କହିବୁ ଯେ ବର୍ତ୍ତମାନ ଅର୍ଥନୀତିରେ ମଧ୍ୟ ସୁଯୋଗ ଅଛି ଯେଉଁ ସୁଯୋଗକୁ ଉପଯୁକ୍ତ ଭାବରେ ବ୍ୟବହାର କଲେ ସମସ୍ତଙ୍କର ଅଭାବ ପୂରଣ ହୋଇ ପାରିବ ଏବଂ ସମସ୍ତେ କିଛି ବିଶ୍ରାମ ପାଇ ସଭ୍ୟତା ଓ ସଂସ୍କୃତିର ଉନ୍ନତି ପାଇଁ ଚେଷ୍ଟା କରି ପାରିବେ । ଅତୀତରେ ଯେତେବେଳେ ଶିଳ୍ପ ସଭ୍ୟତାର ଉନ୍ନତି ହୋଇ ନ ଥିଲା, ସେତେବେଳେ ଅଧିକାଂଶ ଲୋକ ଦିନରାତି କାମ କରି କରି ମଧ୍ୟ ନିଜ ନିଜର ଅତ୍ୟାବଶ୍ୟକ ଅଭାବ ପୂରଣ କରିବାକୁ ସୁବିଧା ପାଉ ନ ଥିଲେ । ଏବେ ଅନେକ ପ୍ରକାର ଉନ୍ନତ ଧରଣର ଯନ୍ତ୍ରପାତି ଆବିଷ୍କୃତ ହେଲାଣି । ଏହି ଯନ୍ତ୍ରପାତିକୁ ଯଦି ଉପଯୁକ୍ତ ଉପାୟରେ ବ୍ୟବହାର କରାଯାଏ, ମନୁଷ୍ୟକୁ ସମାଜର ଆବଶ୍ୟକ ଅଭାବ ପୂରଣ କରିବା ପାଇଁ ବେଶୀ ପରିଶ୍ରମ କରିବାକୁ ପଡ଼ିବ ନାହିଁ । ମନୁଷ୍ୟକୁ ବିରକ୍ତିକର କାର୍ଯ୍ୟରୁ ଅବସର ଦେବାପାଇଁ ତ ଯନ୍ତ୍ରପାତିର ଉଦ୍ଭାବନ ହୋଇଛି ! ଏ ସବୁ ଯନ୍ତ୍ରପାତି ପ୍ରଚଳନ ହେଲା ପରେ ପୁଣି ଯେ କାହିଁକି ମଣିଷକୁ ଦିନରାତି ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼ିବ, ତାର କୌଣସି ଯୁକ୍ତି ନାହିଁ । ପୂର୍ବକାଳରେ ଯେଉଁମାନେ କାମର ମର୍ଯ୍ୟାଦା ବିଷୟରେ ଟୀକା ତିଆରି କରୁଥିଲେ, ହୁଏତ ସେମାନେ ଜାଣିଥିଲେ ଯେ ସମସ୍ତେ ଅଧିକା କାମ ନ କଲେ, ସମାଜ ଚଳିବନାହିଁ । କାରଣ ସେତେବେଳେ ଉତ୍ପାଦନ ବୃଦ୍ଧି ପାଇଁ ଉନ୍ନତ-ଧରଣର ଯନ୍ତ୍ରପାତିର ବିଶେଷ ଅଭାବ ଥିଲା କିମ୍ବା ସେମାନେ ନିଜର ବିଶ୍ରାମ ପାଇଁ ଅନ୍ୟକୁ ଖଟାଇବା ସକାଶେ ନାନାପ୍ରକାର ନୀତି ବୟାନ କରୁଥିଲେ । ବର୍ତ୍ତମାନ ଅବସ୍ଥାରେ ଏହି ଉଭୟ ଯୁକ୍ତିର କୌଣସି ଆବଶ୍ୟକତା ନାହିଁ-। ସେତେବେଳେ, ଯେଉଁମାନେ ବିଶ୍ରାମର ସୁଯୋଗ ଲାଭ କରୁଥିଲେ, ସେମାନେ ସମାଜର ମାନଦଣ୍ଡ ନିର୍ଣ୍ଣୟ କରି ସଂସ୍କତି ଓ ସଭ୍ୟତାର ବିକାଶ ପାଇଁ ପନ୍ଥା ନିରୂପଣ କରୁଥିଲେ-। ଏହି କେତେଜଣଙ୍କର ବିଶ୍ରାମପାଇଁ ଅନ୍ୟ ସମସ୍ତଙ୍କୁ ଖଟିବାକୁ ପଡ଼ୁଥିଲା । ଏବେ କିନ୍ତୁ ଉତ୍ପାଦନ ପ୍ରଣାଳୀ ଏତେ ଉନ୍ନତି ହୋଇଛି ଯେ ସମସ୍ତେ ଯଦି କିଛି କିଛି କାମ କରିବେ, ତାହେଲେ ଆବଶ୍ୟକୀୟ ଅଭାବ ପୂରଣ ହୋଇ ପାରିବ ଓ ସମାଜର ଉନ୍ନତିପାଇଁ ସମସ୍ତଙ୍କର ସହାୟତା ମିଳିପାଇବ-। ଉଦାରଣସ୍ଵରୂପ ଆମର ଲଜ୍ଜା ନିବାରଣ ପାଇଁ ବସ୍ତୁ ଦରକାର । ଯେତେବେଳେ କଳକାରଖାନା ନ ଥିଲା, ସେତେବେଳେ ଖଣ୍ଡିଏ ବସ୍ତ୍ର ଉତ୍ପନ୍ନ କରିବା ପାଇଁ ହୁଏତ ଏକ ସପ୍ତାହ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା । ଏବେ କଳ ସାହାଯ୍ୟରେ ଏକ ସପ୍ତାହରେ ଗୋଟିଏ ରାଜ୍ୟର ଅଭାବ ପୂରଣ କରିହେବ । ତେଣୁ ଯେଉଁମାନେ କଳକାରଖାନାରେ ଶ୍ରମିକ ହିସାବରେ କାମ କରୁଛନ୍ତି, ସେମାନଙ୍କୁ ଦିନକୁ ଆଠଘଣ୍ଟା ନ ଖଟେଇ, ଯଦି ସମସ୍ତଙ୍କ ପାଇଁ ଚାରିଘଣ୍ଟାର କାର୍ଯ୍ୟର ବ୍ୟବସ୍ଥା କରାଯାନ୍ତା, ତା ହେଲେ ସମସ୍ତେ ବିଶ୍ରାମ ପାଇ ପାରନ୍ତେ ଏବଂ ସମସ୍ତଙ୍କର ଜ୍ଞାନ, ବୁଦ୍ଧି ଓ ସେବା ସମାଜର ମଙ୍ଗଳରେ ଲାଗି ପାରନ୍ତା । କିନ୍ତୁ ଆମେ ଯଦି ଅଭାବ ବୃଦ୍ଧିକୁ ଆଦର୍ଶ ବୋଲି ଧରିବା ଏବଂ ଯେତେ ଅଭାବ ପୂରଣ ହେଲେ ମଧ୍ୟ ନୂତନ ଅଭାବ ସୃଷ୍ଟି କରିବାକୁ ଚେଷ୍ଟା କରିବା, ତା ହେଲେ ଉତ୍ପାଦନ ପ୍ରଣାଳୀ ଯେତେ ଉନ୍ନତ ହେଲେ ମଧ୍ୟ କାହାକୁ ବିଶ୍ରାମ ମିଳିବ ନାହିଁ ଏବଂ ତାହା ଫଳରେ ସମାଜର ମେରୁଦଣ୍ଡ ଭୁଷୁଡ଼ି ପଡ଼ିବ । ଯଦି ସମସ୍ତେ ମାନି ନିଅନ୍ତ ଯେ ବିନା ବିଶ୍ରାମରେ ସଭ୍ୟତାର ବିକାଶ ଅସମ୍ଭବ, ତାହେଲେ ଅଭାବବୋଧର ସୀମାନିୟନ୍ତ୍ରଣ କରିବା ସହଜ ହେବ ଏବଂ ଥରେ ଅଭାବବୋଧ ନିୟନ୍ତ୍ରିତ ହୋଇ ପାରିଲେ ସମସ୍ତଙ୍କୁ ବିଶ୍ରାମ ଦେବା ବେଶୀ କଷ୍ଟକର ହେବ ନାହିଁ-

 

ବିଶ୍ରାମର କୁଫଳ

 

ଆଉ ଗୋଟିଏ ପ୍ରଶ୍ନ ଉଠିପାରେ ଯେ ଯଦି ସାଧାରଣ ଲୋକମାନଙ୍କପାଇଁ ବିଶ୍ରାମର ବ୍ୟବସ୍ଥା କରାଯିବ, ସେମାନେ ଏହି ବିଶ୍ରାମକୁ ଉପଯୁକ୍ତ ଭାବରେ ବ୍ୟବହାର କରି ପାରିବେ ନାହିଁ । ଇଂରେଜିରେ ଗୋଟିଏ ପ୍ରବାଦ ଅଛି ଯେ “The idle man’s brain is the devil’s workshop" ତେଣୁ ସାଧାରଣ ଲୋକମାନଙ୍କୁ ଏପରି କାର୍ଯ୍ୟବ୍ୟସ୍ତ କରି ରଖିବାକୁ ହେବ, ଯେପରିକି ସେମାନେ ଖରାପ ଚିନ୍ତା କରିବାକୁ ସୁବିଧା ବା ସୁଯୋଗ ପାଇବେ ନାହିଁ । ଆମର ବିଶ୍ଵାସ ମଣିଷମାନଙ୍କର ସ୍ଵଭାବ ଉପରେ ଯେଉଁମାନଙ୍କର ବିଶ୍ୱାସ ନାହିଁ, ସେହିମାନେ କେବଳ ଏପରି ଯୁକ୍ତି ବାଢ଼ି ପାରିବେ । ମଣିଷର ଚରିତ୍ର ଯଦି ଖରାପ ବୋଲି ଧରି ନିଆଯାଏ, ତାହେଲେ କାର୍ଯ୍ୟବ୍ୟସ୍ତତା ଭିତରୁ ମଧ୍ୟ ଖରାପ କାମ ଉଦ୍ଭବ ହୋଇ ପାରିବ । ଏବେ ଯେଉଁମାନେ ଦିନରାତି କାର୍ଯ୍ୟବ୍ୟସ୍ତ ଅଛନ୍ତି, ସେମାନେ କଣ ସବୁବେଳେ ଭଲ କାର୍ଯ୍ୟ କରୁଛନ୍ତି ? ଯେଉଁ ବ୍ୟବସାୟୀମାନେ ଅର୍ଥ ଉପାର୍ଜନ ଲାଳସାରେ ଖାଦ୍ୟ ସହିତ ଅପମିଶ୍ରଣ କରି ବଜାରରେ ବିକ୍ରି କରୁଛନ୍ତି, ସେମାନେ କଣ କମ୍ ଖଟୁଛନ୍ତି । କିନ୍ତୁ ଏହା ଫଳରେ ସମାଜର କଣ ମଙ୍ଗଳ ହେଉଛି ? ସେମାନେ ନିଜେ ମଧ୍ୟ କେତେ ଦୁଶ୍ଚିନ୍ତାର ସମ୍ମୁଖୀନ ହେଉଛନ୍ତି । ସେହିପରି ଓକିଲ, ଡାକ୍ତର, ଅଧ୍ୟାପକ, ରାଜନୀତିଜ୍ଞ ଓ ସରକାରୀ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟ ଫଳରେ ସମାଜର କଣ କମ ଅମଙ୍ଗଳ କରୁଛନ୍ତି ! ରାଜନୀତିଜ୍ଞମାନଙ୍କର କ୍ଷମତା ରାଜନୀତି ତ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ବିଭେଦ ସୃଷ୍ଟି କରି ସମାଜର ସ୍ଥିତିକୁ ଦୋହଲାଇ ଦେଲାଣି । ତେଣୁ ପ୍ରତ୍ୟେକ କାର୍ଯ୍ୟରେ ଯେପରି ମଙ୍ଗଳ ଅଛି, ସେହିପରି ମଧ୍ୟ ଅମଙ୍ଗଳ ଅଛି । ରାଜନୀତିଜ୍ଞମାନେ ଯଦି ନିଜର କାର୍ଯ୍ୟକୁ ଉପଯୁକ୍ତ ଭାବରେ ପରିଚାଳନ କରିବେ, ସମାଜରେ ଚେତନା ଆସିବ, କିନ୍ତୁ ସେମାନେ ଯଦି କ୍ଷମତା–ରାଜନୀତିରେ ବୁଡ଼ି ରହିବେ, ତା’ହେଲେ ସାମାଜିକ ବିଭେଦ ସୃଷ୍ଟି ହୋଇ ସମାଜର ଦିଗ ବଦଳି ଯିବ । ସେହିପରି ସରକାରୀ କର୍ମଚାରୀମାନେ ଯଦି ନିଜକୁ ଦେଶର ସେବକ ବୋଲି ମନେ କରି ନିଜର ଦାୟିତ୍ଵ ସୁଚାରୁରୂପେ ତୁଲାଇବେ, ତା’ହେଲେ ସରକାରୀ କାର୍ଯ୍ୟ ଜନମଙ୍ଗଳ କାର୍ଯ୍ୟରେ ସାହାଯ୍ୟ କରିବ । କିନ୍ତୁ ତା ନ ହୋଇ ସେମାନେ ଯଦି ହାକିମି କରି ନିଜର ସୁବିଧା ଓ ସୁଯୋଗ ପ୍ରତି ଦୃଷ୍ଟି ଦେବେ, ତା’ହେଲେ ଜନମଙ୍ଗଳ କାର୍ଯ୍ୟ ନିଜ ମଙ୍ଗଳରେ ପରିଣତ ହେବ । ତେଣୁ ପ୍ରତ୍ୟେକ କାର୍ଯ୍ୟରେ ଯେପରି ଭଲ ଅଛି, ସେହିପରି ମନ୍ଦ ଅଛି । ଖାଲି ଲୋକମାନଙ୍କୁ ଅଧିକ କାମ ଦେଲେ ସମାଜର ମାନଦଣ୍ଡ ଉନ୍ନତି ଆଡ଼କୁ ଯିବ ବୋଲି ଭାବିବାରେ କୌଣସି ଯଥାର୍ଥତା ନାହିଁ । ସେଥିପାଇଁ ବିଶିଷ୍ଟ ଦାର୍ଶନିକ ବେଟ୍ରାଣ୍ଡ ରସେଲ୍ କହିଛନ୍ତି, ‘The morality of work is the morality of slaves, and the modern world has no need of slavery’ ଅର୍ଥାତ୍ ଯେଉଁମାନେ କାର୍ଯ୍ୟ ନୀତି ବୟାନ କରୁଛନ୍ତି, ସେମାନେ ପରୋକ୍ଷ ଭାବରେ ଦାସତ୍ଵ ପ୍ରଥାର ସମର୍ଥନ କରୁଛନ୍ତି ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।

 

କାର୍ଯ୍ୟବ୍ୟସ୍ତତା ଓ ଉତ୍ତେଜନା

 

ପ୍ରକୃତରେ ମଣିଷକୁ ଯଦି ଟିକିଏ ଅଧିକ ବିଶ୍ରାମ ଦେବାର ବ୍ୟବସ୍ଥା କରାଯାଏ, ତାହାହେଲେ ମଣିଷ ମନରୁ କେତେକାଂଶରେ ଉତ୍ତେଜନା କମେଇ ଦିଆଯାଇ ସମାଜର ଆଭିମୁଖ୍ୟ ବଦଳେଇ ଦିଆ ଯାଇପାରିବ । ମଣିଷ ଏବେ କାର୍ଯ୍ୟବ୍ୟସ୍ତ ଯୋଗୁଁ ଉତ୍ତେଜନାର (tension) ବଶବର୍ତ୍ତୀ ହୋଇ ଅନେକ ନିର୍ଦ୍ଦୟ କାମ କରିବାକୁ ଦ୍ୱିଧାବୋଧ କରୁନାହିଁ । ଯେଉଁମାନେ କଳ କାରଖାନା ବା ଦପ୍ତରରେ ଖଟି ଖଟି କ୍ଳାନ୍ତ ହୋଇ ଦିବସର ଶେଷଭାଗରେ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ସେମାନଙ୍କର ନିଜ ପରିବାର ସହିତ ବେଶୀ କିଛି ସମ୍ପର୍କ ରହିପାରୁନାହିଁ । ଏପରିକି ପିଲାମାନଙ୍କ ସହିତ ଦୁଇପଦ ହସିଖୁସି କଥାବାର୍ତ୍ତା କରିବାକୁ ସେମାନଙ୍କୁ ଅବସର ମିଳୁନାହିଁ । ଫଳରେ ପାରିବାରିକ ଜୀବନର ସ୍ନେହ ଓ ଶ୍ରଦ୍ଧାରୁ ସେମାନେ ବଞ୍ଚିତ ହେଉଛନ୍ତି ଓ ସେମାନଙ୍କର ଜୀବନ ଦୁର୍ବହ ହୋଇପଡ଼ୁଛି । ଏହିପରି ଅବସ୍ଥାରେ କ୍ରୂର ମନୋବୃତ୍ତି ପ୍ରକାଶ ପାଉଛି । କିନ୍ତୁ ସେମାନଙ୍କୁ ଯଦି ଅଧିକ ଟିକିଏ ଅବସର ମିଳନ୍ତା, ସେମାନଙ୍କର ସ୍ୱଭାବରେ ମଧ୍ୟ ଏକ ପରିବର୍ତ୍ତନ ଦେଖାଯାନ୍ତା ଏବଂ ସେମାନେ ସଦୟଭାବର ବଶବର୍ତ୍ତୀ ହୋଇ ସମାଜକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତେ । ଅଧିକନ୍ତୁ ଅବସରର ସୁବିଧା ଯୋଗୁଁ ଭିନ୍ନ ଭିନ୍ନ ପ୍ରତିଭା ବିକାଶଲାଭ କରିପାରନ୍ତା । ଏ କଥା ସର୍ବବାଦୀସମ୍ମତ ଯେ ସମାଜର ବିକାଶ ପାଇଁ ବହୁବିଧ ପ୍ରତିଭା ପ୍ରୟୋଜନ-। ସମୟ ଥିଲା ଯେତେବେଳ ସଂଗୀତ, ନୃତ୍ୟ, ଖେଳ କସରତ ଓ ଯାତ୍ରା ପ୍ରଭୃତିକୁ ସମାଜର ଅବାଞ୍ଛିତ ଦିଗ ବୋଲି ପଣ୍ଡିତ ଲୋକମାନେ ମନେ କରୁଥିଲେ । ଏବେ ଏ ସବୁ ଆମ ସମାଜ ଓ ସଂସ୍କୃତିର ବିଶିଷ୍ଟ ଅଙ୍ଗ ହୋଇ ସାରିଲାଣି । ବରଂ ଏ ସବୁ ପ୍ରତିଭା ତୁଳନାରେ ଅଧ୍ୟୟନର ମର୍ଯ୍ୟାଦା କମିଯାଇଛି ବୋଲି କହିଲେ ବେଶୀ କିଛି ଭୁଲ ହେବ ନାହିଁ । ସେ ଯାହା ହେଉ ସମାଜର ସର୍ବବିଧ ବିକାଶ ପାଇଁ ପ୍ରତ୍ୟେକ ପ୍ରକାର ପ୍ରତିଭାର ପ୍ରୟୋଜନ ଅଛି ଏବଂ କେବଳ ଅବସର ବୃଦ୍ଧି ହେଲେ ଏହି ସବୁ ପ୍ରତିଭା ବିକାଶ ଲାଭ କରି ପାରିବ ।

 

କାର୍ଯ୍ୟ ଓ ଅବସର ଭିତରେ ସମନ୍ଵୟ

 

ଏଥିରୁ ଦେଖାଯିବ ଯେ ସଭ୍ୟତା ଓ ସଂସ୍କୃତିର ବିକାଶପାଇଁ ଶାରୀରିକ ପରିଶ୍ରମର ଯେତିକ ଆବଶ୍ୟକତା ଅଛି, ଅବସରର ମଧ୍ୟ ସେତିକି ଆବଶ୍ୟକତା ଅଛି । ବରଂ ଯାନ୍ତ୍ରିକ ସଭ୍ୟତାର ବିକାଶ ଫଳରେ ଶାରୀରିକ ପରିଶ୍ରମକୁ ନିୟନ୍ତ୍ରଣ କରି ଶିକ୍ଷିତ ଓ ଅଶିକ୍ଷିତ ସମସ୍ତଙ୍କ ପାଇଁ ବିଶ୍ରାମର ବ୍ୟବସ୍ଥା କରିବା ଓ ଭିନ୍ନ ଭିନ୍ନ ପ୍ରତିଭାର ଉନ୍ନତି କରିବା ଏବେ ସହଜ ଓ ସୁଗମ ହୋଇ ପଡ଼ିଛି । ସେଥିପାଇଁ କାର୍ଯ୍ୟବ୍ୟସ୍ତତାକୁ ଏକ ଆଦର୍ଶ ବୋଲି ବିଚାର ନ କରି ସମାଜର ସର୍ବବିଧ ଉନ୍ନତି ପାଇଁ କାର୍ଯ୍ୟ ଓ ଅବସର ଭିତରେ ସମନ୍ଵୟ ସୃଷ୍ଟି କରି ସଭ୍ୟତା ଓ ସଂସ୍କୃତିର ବିକାଶ ପାଇଁ ଉଦ୍ୟମ କରିବା ଏବେ ଜରୁରୀ ହୋଇ ପଡ଼ିଛି ।

Image

 

ସମାଜ ଓ ସଭ୍ୟତା

ଅତୀତର ଆକର୍ଷଣ

 

ଅତୀତ ଓ ବର୍ତ୍ତମାନ ଭିତରେ ସଘଂର୍ଷ

 

ଅତୀତ ସହିତ ବର୍ତ୍ତମାନର ସବୁବେଳେ ତୁଳନା ଚାଲିଛି । ଦୂର ସବୁବେଳେ ସୁନ୍ଦର । ତେଣୁ ଯେ ଯେଉଁ କଥା ଉତ୍‍ଥାପନ କରୁଛନ୍ତି, ସେ ସେଇ ବିଷୟରେ ଅତୀତରୁ ଦୁଇ ତିନି ଉଦାହରଣ ସଂଗ୍ରହ କରି, ବର୍ତ୍ତମାନ ସହିତ ତୁଳନା କରି, ବର୍ତ୍ତମାନକୁ ନାପସନ୍ଦ କରିବାକୁ କୁଣ୍ଠାବୋଧ କରୁନାହାନ୍ତି । ଆମେ ଏଠି କେବଳ ପୁରାତନପନ୍ଥୀମାନଙ୍କ କଥା କହୁନାହୁଁ । ସେମାନେ ତ ନୂତନର ଛିଦ୍ର ଖୋଜି ସମାଲୋଚନା କରିବାକୁ ବ୍ୟାକୁଳ ହେବା ସ୍ୱାଭାବିକ । ଅତୀତରୁ ନିଜକୁ କାଢ଼ି ନୂତନ ସହିତ ସମକକ୍ଷ ହେବାପାଇଁ ଯେଉଁ ଧୈର୍ଯ୍ୟ, ସାହସ ଓ ଆବେଗ ଦରକାର, ତା ତ ସେମାନଙ୍କର ନାହିଁ । ସେମାନେ ଯେ କେବଳ ପୁରାତନ କଥା ଚର୍ଚ୍ଚା କରନ୍ତି ତା ନୁହେଁ; ପୁରାତନ ଭିତରେ ବୁଡ଼ିରହିବାକୁ ଭଲପା’ନ୍ତି । ଯେପରି ମନୁଷ୍ୟର ବାର୍ଦ୍ଧକ୍ୟ ଆସିଲେ ସେ ଯୌବନର ଚପଳତା ଓ ସରସତାକୁ ଉଚ୍ଛୃଙ୍ଖଳତା ନାଁରେ ଅଭିହିତ କରି ନିନ୍ଦା ରଟନା କରେ, ସେଇପରି ଯେଉଁମାନେ ପୁରାତନ ଭିତରେ ଥାନ୍ତି, ସେମାନେ ନୂତନତାକୁ ପାଗଳାମି ବୋଲି ଭାବି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ନୂତନତା ଭିତରେ ଯେ କିଛି ପାଗଳାମି ନାହିଁ, ତା ନୁହେଁ । କିନ୍ତୁ ସବୁ ନୂତନତାକୁ ପାଗଳାମି ଆଖ୍ୟାଦେବା ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ । ତେବେ ଯେଉଁମାନେ ପୁରାତନପନ୍ଥୀ, ସେମାନେ ତ ନୂତନରୁ ଦୂରକୁ ଯିବାକୁ ଚାହିଁବେ । ଇତିହାସରେ ତାର ଅନେକ ଉଦାହରଣ ଅଛି । ରସ୍କିନଙ୍କ ପରି ପଣ୍ଡିତ ମଧ୍ୟ ଶିଳ୍ପବିପ୍ଳବ ଓ ଯାନ୍ତ୍ରିକ ସଭ୍ୟତାକୁ ନାପସନ୍ଦ କରି ମଧ୍ୟଯୁଗକୁ ଫେରିଯିବାକୁ ଚାହିଁଥିଲେ । ମଧ୍ୟଯୁଗର ସୁନ୍ଦରତା ଓ ଦାମ୍ଭିକତା ତାଙ୍କୁ ବେଶୀ ପସନ୍ଦ ଲାଗିଥିଲା ।

 

ଇତିହାସକୁ ଛାଡ଼ି ବର୍ତ୍ତମାନ ଉପରେ ଦୃଷ୍ଟି ନିକ୍ଷେପ କଲେ ମଧ୍ୟ ଆମେ ଅନେକ ଏପରି ଲୋକ ଦେଖିବାକୁ ପାଇବା, ଯେଉଁମାନଙ୍କର କି ଜୀବନରେ ଆଦର୍ଶ ଅଛି, ବ୍ୟକ୍ତିଗତ ଜୀବନରେ ନୈତିକତା ଅଛି, ସମାଜରେ ପ୍ରଭାବ ଅଛି ଓ ଆଧୁନିକ ସାମାଜିକ ରଙ୍ଗ ଢଙ୍ଗରେ ନେତୃତ୍ୱ ଅଛି––ଅଥଚ ସେମାନେ ବି ଫେରିବାକୁ ଚାହୁଁଛନ୍ତି । କିଛି ଶହେ ଦୁଇ ଶହ ବର୍ଷ ତଳକୁ ନୁହେଁ––ହଜାର ହଜାର ବର୍ଷ ପଛକୁ । ଯେଉଁମାନେ ନିଜକୁ ଆଧୁନିକ ବୋଲି ପରିଚୟ ଦିଅନ୍ତି, ଆଧୁନିକ ନାଁରେ ଅନେକ ଅଶୋଭନୀୟ କାର୍ଯ୍ୟ ଶୋଭାନୀୟ କରିବାକୁ ଚେଷ୍ଟା କରନ୍ତି, ସେମାନେ ମଧ୍ୟ ଅତୀତର ଦ୍ୱାହିଦେଇ ବର୍ତ୍ତମାନର ନିନ୍ଦା କରିବାକୁ ବ୍ୟଗ୍ର ହୋଇ ପଡ଼ନ୍ତି । ଅତୀତ ଓ ବର୍ତ୍ତମାନ ଭିତରେ ଏ ଯେଉଁ ସଂଘର୍ଷ, ଫ୍ରଏଡ଼ଙ୍କର ମନସ୍ତାତ୍ତ୍ୱିକ ନୀତି ପରି ଏହା ଏକ ଇନ୍ଦ୍ରଜାଲ । ଫ୍ରଏଡ଼େ ଯେପରି ପୁରୁଷ ଓ ସ୍ତ୍ରୀର ପ୍ରତ୍ୟେକ କାର୍ଯ୍ୟରେ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ, ଆମେ ସେହିପରି ସବୁ କଥାରେ ଅତୀତ ଓ ବର୍ତ୍ତମାନ ଭିତରେ ଏକ ସଂଘର୍ଷ ଦେଖିବାକୁ ଚେଷ୍ଟା କରୁଛୁ ।

 

ସଂଘର୍ଷ ଚିରନ୍ତନ

 

ଏହି ସଂଘର୍ଷ ଅତୀତରେ ଚାଲିଥିଲା––ଏବେ ଚାଲିଛି । ମଧ୍ୟଯୁଗର ଲୋକମାନେ ଆଦିମ ଯୁଗକୁ ପସନ୍ଦ କରୁଥିଲେ, ଆମେ ଏବେ ମଧ୍ୟଯୁଗକୁ ପସନ୍ଦ କରୁଛୁ । କିନ୍ତୁ ଲୋକଙ୍କର ମତାମତକୁ ଅପେକ୍ଷା ନ କରି ସମାଜ ଆଗରେ ଚାଲିଛି । ଆମେ ସେହି ପରିବର୍ତ୍ତନ ସହିତ ସମକକ୍ଷ ହୋଇପାରୁନାହୁଁ । ସମାଜର ପରିବର୍ତ୍ତନ ସହିତ ଖାପ ଖାଇ ଚଳିବାକୁ ଯେଉଁ ମାନସିକ ପରିବର୍ତ୍ତନ ଦରକାର, ତାହା ଆମର ଆସୁନାହିଁ । ତେଣୁ ଅତୃପ୍ତିବୋଧ ହେଉଛି । ଏହି ଅତୃପ୍ତି ଭିତରେ ଅତୀତକୁ ଆମେ ଜାବୁଡ଼ିଧରିବାକୁ ଚେଷ୍ଟା କରୁଛୁ । ମନୁଷ୍ୟ ମନରେ ଯେତେବେଳେ ଗ୍ଲାନି ଆସେ, ସେ ଗ୍ଲାନି ଦୂରକରିବା ପାଇଁ ସେ ଭିନ୍ନ ଭିନ୍ନ ପନ୍ଥା ଅନ୍ଵେଷଣ କରେ । ସାମାଜିକ ପରିବେଷ୍ଟନୀ ସହିତ ମାନସିକ ଚିନ୍ତାଧାରାର ଯେତେବେଳେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ, ସେତେବେଳେ ମନୁଷ୍ୟ ସାମାଜିକ ପରିବେଷ୍ଟନୀକୁ ପରିବର୍ତ୍ତନ କରି ନୂତନର ଅନୁସନ୍ଧାନ କରେ । ଯେଉଁମାନଙ୍କର ମନରେ ସାହସ ଥାଏ, ଦେହରେ ବଳ ଥାଏ, ସେମାନେ ଭବିଷ୍ୟତର ସ୍ଵପ୍ନ ଦେଖନ୍ତି । ବର୍ତ୍ତମାନ ସମାଜର ଦୋଷ ଓ ଦୁର୍ବଳତା ସେମାନଙ୍କୁ ଦୁର୍ବଳ କରି ପକାଏ ନାହିଁ । ସାମାଜିକ ରୋଗ ମାନସିକ ରୋଗ ସୃଷ୍ଟିକରେ ନାହିଁ । କିନ୍ତୁ ଯେଉଁମାନେ ବର୍ତ୍ତମାନର ଦୋଷ ଓ ଦୁର୍ବଳତା ଦେଖି ହତୋତ୍ସାହ ହୋଇ ପଡ଼ନ୍ତି, ସେମାନେ ଅତୀତକୁ ଫେରିଯିବାକୁ ଚାହାନ୍ତି । ଅତୀତର ସ୍ଵପ୍ନ ସେମାନଙ୍କ ମନୋବୃତ୍ତିକୁ ପ୍ରଭାବିତ କରେ । ତେଣୁ ଏହି ଅତୀତ ଆକର୍ଷଣ ଏକ ବାର୍ଦ୍ଧକ୍ୟର ଲକ୍ଷଣ ବୋଲି ବୁଝାଯିବ । ଅତୀତର ଆକର୍ଷଣ ଏକ ସମାଜସଂସ୍କାରର ଲକ୍ଷଣ ହେଲେ ମଧ୍ୟ ଏଥିରେ ଦାମ୍ଭିକତା ନ ଥାଏ । ବରଂ ମନର ବିକାର ଥାଏ ।

 

ପ୍ରତ୍ୟେକ ଯୁଗରେ ସଂଘର୍ଷ ଅଛି । ଆମେ ଏଠି କେବଳ ମାର୍କସ୍‍ଙ୍କ ଆର୍ଥନୀତିକ ସଂଘର୍ଷ ବା ଶ୍ରେଣୀ ସଂଘର୍ଷ କଥା କହୁନାହୁଁ । ସଂଘର୍ଷକୁ ବ୍ୟାପକଦୃଷ୍ଟିରୁ ଆଲୋଚନା କରୁଛୁ । ଏହାକୁ ଅସନ୍ତୋଷ ଆଖ୍ୟା ଦିଆଯାଇପାରେ । ମନୁଷ୍ୟ କେବେହେଲେ ସନ୍ତୋଷ ଲାଭକରିନାହିଁ । ବୁଦ୍ଧଦେବଙ୍କ ଭାଷାରେ ସନ୍ତୋଷ ମିଳିଲେ କାମନା ମିଳିଯିବ । କାମନା ଯୋଗୁଁ ଅସନ୍ତୋଷ । କାମନାର ନିବାରଣରେ । କିନ୍ତୁ କାମନାର କେବେ ପୂରଣ ନାହିଁ, କୌଣସି ସମାଜ ମନୁଷ୍ୟର ସବୁ ଅଭାବ ଓ ଅସୁବିଧା ପୂରଣ କରିନାହିଁ । ପ୍ରତ୍ୟେକ ଯୁଗରେ ପ୍ରତ୍ୟେକ ପ୍ରକାର ସମାଜରେ ଅଶୋଭନୀୟ ପରିସ୍ଥିତି ଦେଖାଦେଇଛି । ଏଥିରେ ଚିନ୍ତାଶୀଳ ଲୋକମାନେ ବ୍ୟଥିତ ହୋଇଛନ୍ତି । କିନ୍ତୁ ଏହି ବ୍ୟଥା ଭିନ୍ନ ଭିନ୍ନ ପ୍ରକାରରେ ପ୍ରକାଶ ପାଇଛି । ତେଣୁ ସମାଜରେ ଅନେକ ପ୍ରକାର ସଂସ୍କାର ଦେଖିବାକୁ ମିଳୁଛି ।

 

ଆଜି ମଧ୍ୟ ସେଇ ପ୍ରଶ୍ନ ଉଠୁଛି । ତେଣୁ ଏହି ସଂଘର୍ଷ ଚିରନ୍ତନ । ଏହି ଅସନ୍ତୋଷ ଚିରସ୍ଥାୟୀ । କୌଣସି ସମାଜ ଦୋଷଶୂନ୍ୟ ହେବା ସହଜ ନୁହେଁ । ଯେଉଁ ମଧ୍ୟ ବା ପୁରାତନ–ଯୁଗ ଆମକୁ ଏବେ ସୁନ୍ଦର ଦେଖାଯାଉଛି, ସେଥିରେ ବି ଅନେକ ଦୋଷ ଥିଲା । ସମୟର ଗତି ଯୋଗୁଁ ଦୋଷଟି ଆମକୁ ଏବେ ଦେଖାଯାଉନାହିଁ । ଆଉ କେତେବର୍ଷ ଗଲେ ବର୍ତ୍ତମାନ ଯୁଗ ମଧ୍ୟ ଭବିଷ୍ୟତ ବଂଶଧରମାନଙ୍କୁ ସୁନ୍ଦର ଦେଖାଯିବ । ବର୍ତ୍ତମାନ ଯୁଗକୁ ସମସ୍ତେ ‘ଅନିଶ୍ଚିତ’ ଯୁଗ ବୋଲି ଆଖ୍ୟା ଦେଉଛନ୍ତି । କିନ୍ତୁ କୌଣସି ଯୁଗ କେବେହେଲେ ସେଇ ସମୟରେ ନିଶ୍ଚିନ୍ତ ଯୁଗ ବୋଲି ପରିଗଣିତ ହୋଇନାହିଁ । ‘ଅନିଶ୍ଚୟତା’ ସବୁ ସମୟରେ ଅଛି––ସମାଜ ସହିତ ସଙ୍କଟ ଓତଃପ୍ରୋତଃ ଭାବରେ ଜଡ଼ିତ । କିନ୍ତୁ ସଙ୍କଟ ଅତିକ୍ରମ ହେବା ପରେ ସମାଜକୁ ସଙ୍କଟହୀନ ସମାଜ ବୋଲି କୁହାଯାଇଛି ।

 

ବର୍ତ୍ତମାନର ମହତ୍ୱ ଭବିଷ୍ୟତରେ ଜଣାପଡ଼ିବ

 

ଆଉ ଗୋଟିଏ ଛୋଟ ଉଦାହରଣ ଦେଖାଯାଉ । ଅନେକ ସମୟରେ ଏ କଥା ଶୁଣାଯାଏ ଯେ, ଅତୀତ ଯୁଗରେ ଭଲ ଲେଖକ, କବି, ସାହିତ୍ୟିକ, ଅଧ୍ୟାପକ, ଡାକ୍ତର ଓ ଇଞ୍ଜିନିଅର ପ୍ରଭୃତି ଥିଲେ । ଲୋକଙ୍କର ବେଶୀ ସାଧୁତା ଓ କର୍ମନିଷ୍ଠା ଥିଲା । ଅଭାବ ଓ ଅଭିଯୋଗ ସ୍ୱପ୍ନରେ ଶୁଣିବାକୁ ମିଳୁ ନ ଥିଲା । ଛାତ୍ରମାନେ ଶାନ୍ତ ଓ ଶିଷ୍ଟ ଥିଲେ––ଇତ୍ୟାଦି କେତେ କଣ । କୌଣସି ଲୋକ ଯେ ଏ ବିଷୟରେ ଗବେଷଣା କରି ଏହି ସିଦ୍ଧାନ୍ତରେ ପହଞ୍ଚିଛି, ତା ନୁହେଁ । ପ୍ରତ୍ୟେକ ଲୋକ ଭିତର ଯେଉଁ କବିତ୍ଵ ଭାବ ଅଛି, ତା ଫଳରେ ଏହି ସବୁ କଳ୍ପନା କଥା ଓ ଲେଖାରେ ପ୍ରକାଶ ପାଉଛି । ଏଥିରେ କୌଣସି ବୈଜ୍ଞାନିକ ମନୋଭାବ ନାହିଁ । ହୁଏତ ବର୍ତ୍ତମାନ ପ୍ରତି ଯେଉଁ ପୁଞ୍ଜୀଭୂତ ଅସନ୍ତୋଷ ରହିଛି, ତାର ପ୍ରତିକ୍ରିୟା ହିସାବରେ ଅତୀତ ପ୍ରତି ଆଦର ଦେଖାଯାଉଛି । କିନ୍ତୁ ଏକଥା ମନେ ରଖିବା ଦରକାର ଯେ, କେବେହେଲେ କୌଣସି ଲୋକ ନିଜ ଜୀବିତ ଅବସ୍ଥାରେ ବଡ଼ ହୋଇପାରିନାହିଁ । ସେକ୍‍ସପିଅରଙ୍କ ପରି କବି ମଧ୍ୟ ନିଜ ଜୀବିତ ଅବସ୍ଥାରେ ବିଶିଷ୍ଟ କବି ବୋଲି ପ୍ରଶଂସା ପାଇପାରି ନଥିଲେ । ବ୍ୟକ୍ତିର ମହତ୍ତ୍ଵ ତାର ମୃତ୍ୟୁ ପରେ ଜଣାପଡ଼େ । ସେହିପରି ବର୍ତ୍ତମାନ ଯୁଗର ମହତ୍ତ୍ୱ ବର୍ତ୍ତମାନର ଶେଷରେ ଜଣା ପଡ଼ିବ ।

 

ଅତୀତ ପ୍ରେରଣା ଦେଉ

 

ସେ ଯାହାହେଉ, ଆମକୁ ବର୍ତ୍ତମାନରେ ରହିବାକୁ ପଡ଼ିବ । ଅତୀତକୁ ଫେରି ଯିବାକୁ ଯେତେ ଯିଏ ସ୍ଵପ୍ନ ଦେଖିଲେ ମଧ୍ୟ, ଅତୀତ ଆଉ ଫେରି ଆସିବ ନାହିଁ । ତେଣୁ ଅତୀତର ଅନୁଭୂତି ଓ ଆଦର୍ଶକୁ ଘେନି ବର୍ତ୍ତମାନକୁ ପରିବର୍ତ୍ତନ ବା ସଂଗଠନ କରିବା ପାଇଁ ଉଦ୍ୟମ ହେବା ଦରକାର । ଇତିହାସରୁ ଆମେ ପ୍ରେରଣା ସଂଗ୍ରହ ନ କରି ଯଦି ଇତିହାସକୁ ପୁନରାବୃତ୍ତି କରିବାକୁ ଉଦ୍ୟମ କରିବା, ତାହେଲେ ସେ ଉଦ୍ୟମ ଅରଣ୍ୟରୋଦନରେ ପରିଣତ ହେବ । ଅତୀତର କେତେକ ଗୁଣ ଦେଖାଯାଉ । ସମସ୍ତେ ଏକଥା ମାନିବେ ଯେ ଅତୀତରେ ଜୀବନ ସରଳ ଥିଲା । ଲୋକମାନଙ୍କର ସେତେ ଅଭାବ ଓ ଅସୁବିଧା ନ ଥିଲା । ଧର୍ମଭାବ ଲୋକମାନଙ୍କ ଜୀବନକୁ ସଂଯତ କରି ରଖିଥିଲା-। ଅବଶ୍ୟ ମୋଟାମୋଟି ଭାବରେ ଏ ସବୁ ଗୁଣର ଆଲୋଚନା କରାଯାଉଛି । ଏ ସବୁ ଗୁଣ ଆଜି ଦରକାର ବୋଧହୁଏ ଖୁବ୍ ଜରୁରୀ ଦରକାର । କିନ୍ତୁ ଅତୀତରେ ପରିବେଷ୍ଟନୀରେ ଏ ସବୁ ଗୁଣ କଣ ଆଜି ହାସଲ କରାଯାଇପାରିବ ? ଅତୀତରେ ଯାନ୍ତ୍ରିକ ସଭ୍ୟତା ନ ଥିଲା । ଲୋକମାନେ ବଣ ଜଙ୍ଗଲରେ ମୁକ୍ତ ବାୟୁ ସେବନ କରି ସରଳ ଓ ସହଜ ଜୀବନ ଯାପନ କରୁଥିଲେ-। ଆଜି କଣ ଆମେ ଏକ ସରଳ ଓ ସହଜ ପାଇଁ ଯାନ୍ତ୍ରିକ ସଭ୍ୟତାକୁ....କରିବାକୁ ଚେଷ୍ଟା କରିବା-? ଏବେ ଲୋକମାନଙ୍କ ଅଭାବ ଓ ଅସୁବିଧା ବଢ଼ିଛି, କାହିଁକି ? ଲୋକେ ଯେତେ ଶିକ୍ଷିତ ହେଉଛନ୍ତି ସେତେ ନୂଆ ଜିନିଷ ଖୋଜୁଛନ୍ତି । ନୂତନର ସନ୍ଧାନହିଁ ସଭ୍ୟତାର ଲକ୍ଷଣ । ଏଣେ ଜନସଂଖ୍ୟା ମଧ୍ୟ ବଢ଼ିଚାଲିଛି । ନୂତନର ସଂଧାନ ଓ ଜନସଂଖ୍ୟାର ବୃଦ୍ଧି ଯେପରି ଅଗ୍ରଗତି କରୁଛି, ସେଇ ଅନୁପାତରେ ଦୁନିଆର ବିଭବ ବଢ଼ି ପାରୁନାହିଁ । ଆମେ କଣ ଏହି ଅଭାବ ଓ ଅସୁବିଧା ଦୂର କରିବା ପାଇଁ ନୂତନର ଅନୁସନ୍ଧାନ ବନ୍ଦ କରି ଦେବା, ନାଁ ଲୋକମାନଙ୍କୁ ଖତମ କରିଦେବା-? ସେହିପରି ଅତୀତର ଧର୍ମଭାବ ଅଜ୍ଞାନରୁ ସୃଷ୍ଟି ହୋଇଥିଲା । ଲୋକେ ନିଜର ପରିସ୍ଥିତିକୁ ନ ଜାଣିପାରି ବାୟୁ, ଅଗ୍ନି ବରୁଣ ପ୍ରଭୃତି ଦେବତାଙ୍କୁ ପୂଜା କରୁଥିଲେ । ଏହି ପୂଜା ଓ ଉପାସନା ମୂଳରେ ଥିଲା ଭୟ । କିନ୍ତୁ ଏବେ ବିଜ୍ଞାନର ଉନ୍ନତି ଫଳରେ, ମନୁଷ୍ୟ ମନରୁ ଅନେକ କୁସଂସ୍କାର ଦୂର ହୋଇଛି ଅବଶ୍ୟ ନୂଆ କୁସଂସ୍କାର ଓ ଭୟର ଉଦ୍ରେକ ହୋଇଛି । କିନ୍ତୁ ସେ ତ ଅଲଗା କଥା-। ଆମେ କଣ ଏହି ଧର୍ମଭାବ ଫେରାଇ ଆଣିବା ପାଇଁ ବିଜ୍ଞାନର ପ୍ରଚାର ବା ଗବେଷଣା ବନ୍ଦ କରିଦେବା ?

 

ଯେଉଁମାନେ ପ୍ରତିକ୍ରିୟାଶୀଳ ବା ପୁରାତନପନ୍ଥୀ ଲୋକ, ସେମାନେ କହିବେ ଯେ ଆମର ବିଜ୍ଞାନ ଦରକାର ନାହିଁ, ଯାନ୍ତ୍ରିକ ସଭ୍ୟତା ଦରକାର ନାହିଁ, ନୂତନର ଅନୁସନ୍ଧାନ ଦରକାର ନାହିଁ । ଏ ସବୁ ଅସନ୍ତୋଷ ସୃଷ୍ଟି କରୁଛି । ବାହ୍ୟ ପ୍ରକୃତି ଅନ୍ତରାତ୍ମାକୁ ପ୍ରଭାବିତ କରେ । ତେଣୁ ଅନ୍ତରାତ୍ମାକୁ ଶୁଦ୍ଧ, ସରଳ ଓ ପବିତ୍ର କରିବାକୁ ହେଲେ ଦୁନିଆର ଗତିକୁ ପରିବର୍ତ୍ତନ କରିବାକୁ ହେବ––ବାହ୍ୟ ଜଗତକୁ ସରଳ ଓ ସହଜ କରିବାକୁ ହେବ । କିନ୍ତୁ ଯେଉଁମାନେ ପ୍ରଗତିଶୀଳ, ସେମାନେ ନୂତନକୁ ଗ୍ରହଣ କରି, ନୂତନ ଭାବରେ ଶାନ୍ତି ଓ ସତ୍ୟର ବୀଜରୋପଣ କରିବାକୁ ଚେଷ୍ଟା କରିବେ ।

 

ଅତୀତ ଓ ବର୍ତ୍ତମାନ ଭିତରେ ସହଯୋଗ

 

ତେଣୁ ଆମ ଆଗରେ ଆଜି ପ୍ରଶ୍ନ ହେଉଛି ଯେ, ବର୍ତ୍ତମାନର ପ୍ରଗତିକୁ ଆମକୁ ଚାଲୁ ରଖିବାକୁ ପଡ଼ିବ । ଆମର ଯାନ୍ତ୍ରିକ ସଭ୍ୟତା ଦରକାର, ନୂତନର ଅନୁସନ୍ଧାନ ଦରକାର ଓ ବିଜ୍ଞାନ ଦରକାର । କିନ୍ତୁ ତା ସତ୍ତ୍ୱେ ଜୀବନ ଯେପରି ସହଜ ଓ ସରଳ ହେବ, ଆବଶ୍ୟକୀୟ ଅଭାବ ଓ ଅସୁବିଧାର ଦୂରୀକରଣ ହେବ ଓ ସମାଜରେ ଧର୍ମଭାବର ଉଦ୍ରେକ ହେବ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଦରକାର । ଧର୍ମଭାବକୁ ଆମେ ଏଠି ବ୍ୟାପକ ଦୃଷ୍ଟିକୋଣରୁ ବିଚାର କରୁଛୁ । ଧର୍ମଭାବକୁ କେବଳ ଉପାସନା ଦୃଷ୍ଟିକୋଣରୁ ବିଚାର କରିବା ଉଚିତ ନୁହେଁ । ଧର୍ମଭାବକୁ ପରସ୍ପର ପ୍ରତି ସ୍ନେହ ଓ ଶ୍ରଦ୍ଧା ଓ ନିଜ କର୍ତ୍ତବ୍ୟ ପ୍ରତି ସଚେତନ କହିଲେ ବୋଧହୁଏ ଅର୍ଥ ପରିଷ୍କାର ହେବ । ଶିଳ୍ପ ବିପ୍ଳବ ପରେ ସମାଜରେ ‘ବ୍ୟକ୍ତିବାଦ’ ଯେପରି ଭାବରେ ପ୍ରସାରଲାଭ କରିଛି, ସେଥିରେ ସହଯୋଗୀ ଜୀବନ ବା ସାମାଜିକ ଜୀବନର ପୁନରୁଦ୍ଧାର ପାଇଁ ଧର୍ମଭାବ ଏକାନ୍ତ ଆବଶ୍ୟକ । ତେଣୁ ଯାନ୍ତ୍ରିକ ସଭ୍ୟତା, ବିଜ୍ଞାନ ଓ ନୂତନର ପିପାସାକୁ ଆମେ ଏପରି ଭାବରେ ନିୟନ୍ତ୍ରଣ କରିବା ଯେ ତାହା ବ୍ୟକ୍ତିଗତ ଲାଭ ଉଦ୍ଦେଶ୍ୟରେ ପରିଚାଳିତ ନ ହୋଇ, ସମାଜର ମଙ୍ଗଳରେ ଲାଗିବ । ଅତୀତ ଯଦି ଏହି ପ୍ରେରଣା ଆମକୁ ଦିଏ, ତାହେଲେ ଅତୀତର କାର୍ଯ୍ୟ ସମାପ୍ତ ହେଲା ବୋଲି ବୁଝାଯିବ । ଅତୀତକୁ ପ୍ରେରଣା ଦୃଷ୍ଟିରୁ ଅଧ୍ୟୟନ କରାଯାଉ । ଅତୀତର ଅଭିଜ୍ଞତା ନୂତନକୁ ସଂଯତ କରୁ, କିନ୍ତୁ ବିରୋଧାତ୍ମକ ନ ହେଉ, ଏହାହିଁ ଆମର କାମନା ।

Image

 

ନୂତନ ଯୁଗ ଓ ପୁରାତନ ଚିନ୍ତା

 

ମନୁଷ୍ୟର ପରିବର୍ତ୍ତନ

 

ସମୟ ଗଡ଼ି ଚାଲିଛି । ଦିନ ପରେ ଦିନ, ମାସ ପରେ ମାସ ଓ ବର୍ଷ ପରେ ବର୍ଷ । ଏହିପରି କେତେ ଯୁଗ ଗଲାଣି––ଆହୁରି କେତେ ଯୁଗ ଯିବ । ମଣିଷ ଆଜି ପୃଥିବୀରେ ମାଲିକ ହୋଇ ବସିଛି––ହୁଏତ ଆହୁରି କେତେ ଯୁଗ ରହିବ । କିନ୍ତୁ ସବୁ ଦିନ ରହିବ ନାହିଁ । ସମାଜର କ୍ରମବିକାଶ ଯେଉଁମାନେ ଅଧ୍ୟୟନ କରିଛନ୍ତି, ସେମାନେ କହିବେ ଯେ ସବୁଦିନେ ମଣିଷ ନ ଥିଲା । କେବେ ମଣିଷ ଆସିଲା, କିପରି ଆସିଲା ଓ କାହିଁକି ଆସିଲା ସେ ବିଷୟରେ ଏ ପର୍ଯ୍ୟନ୍ତ ସଠିକ ସିଦ୍ଧାନ୍ତ ପ୍ରକାଶ ପାଇ ନଥିଲେ ମଧ୍ୟ ମଣିଷ ପୃଥିବୀର ଆରମ୍ଭରୁ ନାହିଁ, ଏ କଥା ସବୁ ବୈଜ୍ଞାନିକ ମାନିନେଇଛନ୍ତି । ଯେଉଁ ବୈଜ୍ଞାନିକ-ବିଶ୍ଳେଷଣ ଏହି ସିଦ୍ଧାନ୍ତ ଦେଉଛି, ସେହି ବୈଜ୍ଞାନିକ ବିଶ୍ଳେଷଣକୁ ଆଉ ଟିକିଏ ମାଜିଲେ ହୁଏତ ଜଣାପଡ଼ିବ ଯେ ମଣିଷର ଆକାରରେ ଦିନେ ଏପରି ଏକ ପରିବର୍ତ୍ତନ ଆସିବ ଯେ ସେ ନୂତନ ଜୀବନକୁ ମଣିଷ ନ କହି ଆଉ କିଛି ଆଖ୍ୟା ଦିଆଯିବ । ମଣିଷମାନଙ୍କର ଯେଉଁ ବଂଶଧରମାନେ ସେତେବେଳେ ମଣିଷ ଆକୃତି ଧରି ରହିଯିବେ, ସେମାନେ ହୁଏତ ଏହି ନୂତନ ଜୀବନମାନଙ୍କଦ୍ଵାରା ବଶୀଭୂତ ହୋଇ ରହିବେ । ଆଜି ଯେପରି ମଣିଷମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ନିଜର ଅଧୀନ କରି ରଖିଛନ୍ତି, ସେହିପରି ଆମର ବଂଶଧରମାନେ ଆମକୁ ଅଧୀନ କରି ରଖିବେ । ତାହା କେବେ ହେବ, କୌଣସି ବୈଜ୍ଞାନିକ କହି ପାରିବେ ନାହିଁ । ମର୍କଟର କେବେ ପରିବର୍ତ୍ତନ ହେଲା ଯେ ସେ ମଣିଷ ହେଲା, ତାହା ବି ଏପର୍ଯ୍ୟନ୍ତ କେହି କହି ନାହାନ୍ତି । କିନ୍ତୁ ଏହି ପରିବର୍ତ୍ତନ ହେବ । ଏହା ଏକ ଐତିହାସିକ ତଥ୍ୟ, ବୈଜ୍ଞାନିକ ସିଦ୍ଧାନ୍ତ––ଆମକୁ ମାନିବାକୁ ପଡ଼ିବ । ଆମେ ହୁଏତ ଦେଖି ପାରିବା ନାହିଁ––କିନ୍ତୁ କଳ୍ପନା କରିବା, ସେହି ଅନୁସାରେ ମନକୁ ଗଢ଼ିବା ।

 

ପ୍ରକୃତିର ପୂଜା

 

ଆକୃତି ପରିବର୍ତ୍ତନ ସମୟ ସାପେକ୍ଷ । ହଜାର ହଜାର ବର୍ଷର କ୍ରମ ପରିବର୍ତ୍ତନକୁ ଦିନକ ଭିତରେ କଳ୍ପନା କରିବା କଷ୍ଟସାଧ୍ୟ । କିନ୍ତୁ ପ୍ରକୃତି ପରିବର୍ତ୍ତନ ସହଜ, ଦ୍ରୁତ ଓ ବୋଧଗମ୍ୟ । ଆଦିମଯୁଗରେ ମଣିଷ ବଣ ଜଙ୍ଗଲରେ ବୁଲି ଫଳ ପୁଷ୍ପ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲା । ସେତେବେଳେ ପ୍ରକୃତି ତାକୁ ବଡ଼ ଥିଲା । ତେଣୁ ସେ ପ୍ରକୃତିର ପ୍ରତ୍ୟେକ ବିଭାଗକୁ ପୂଜା କରୁଥିଲା-। କାଠ, ପଥର, ବାୟୁ, ଅଗ୍ନି, ଜଳ, ଗ୍ରହ ଓ ନକ୍ଷତ୍ର ସମସ୍ତେ ଦେବତା ଆକାରରେ ମଣିଷ ଆଗରେ ଠିଆ ହେଉଥିଲେ । ମଣିଷ ଏମାନଙ୍କ ଉପରେ ନିର୍ଭର କରୁଥିଲା କିନ୍ତୁ ଏମାନଙ୍କୁ ଚିହ୍ନି ନଥିଲା, ଏମାନଙ୍କର ସ୍ଵରୂପ ଜାଣି ନ ଥିଲା । କିନ୍ତୁ ଆସ୍ତେ ଆସ୍ତେ ମଣିଷ ମନର ବିକାଶ ହେଲା-। ସେ ପ୍ରକୃତି ସହିତ ସଂଘର୍ଷ କରୁ କରୁ ପ୍ରକୃତିକୁ କିପରି ଜିଣିବ, ସେଥିପାଇଁ ଉଦ୍ୟମ କଲା-। ଏଥିରୁ ଆସିଲା ବିଜ୍ଞାନ । ବିଜ୍ଞାନର ଯେପରି ବିକାଶ ହେଲା, ମଣିଷର ସନ୍ଦେହ ଓ ଭୟ ସେତିକି ଦୂର ହେଲା । କାଠ କଣ, ପଥର କଣ, ବାୟୁ କଣ, ଅଗ୍ନି କଣ ଏପରି କେତେ ‘କଣ’ର ପ୍ରଶ୍ନ ଉଠିଲା, ପ୍ରଶ୍ନର ମଧ୍ୟ ଉତ୍ତର ମିଳିଲା । ଯେପରି ଛୋଟ ଶିଶୁ ଅନେକ ‘କଣ’ ର ପ୍ରଶ୍ନ ଉତ୍‍ଥାପନ କରେ, ପ୍ରଶ୍ନର ଉତ୍ତର ପାଏ, ଏହିପରି ତାର ବୟସ ଯେତେବେଳ ବୃଦ୍ଧି ହୁଏ, ତାର ପ୍ରଶ୍ନର ମଧ୍ୟ ସ୍ଵରୂପ ବଦଳେ । ସେହିପରି ମଣିଷର ମନର ବିକାଶ ହେଲା––ସେ ପୁରାତନକୁ ଛାଡ଼ି ନୂତନର ଅନୁସନ୍ଧାନ କଲା । ଏହା ହିଁ ପ୍ରଗତି । ନୂତନକୁ ସଂଧାନ କରିବା ଓ ନୂତନ ସହିତ ଖାପ ଖୁଆଇ ମନକୁ ଚଳାଇବାରେ ମଣିଷର ବାହାଦୂରୀ । ସବୁ ଦେଶରେ ଓ ସବୁ ଯୁଗରେ ଏହି ପରିବର୍ତ୍ତନ ଚାଲିଛି––ଯେ ପର୍ଯ୍ୟନ୍ତ ମଣିଷ ଭିତରେ ଏକ ମନ ଅଛି, ସେ ପର୍ଯ୍ୟନ୍ତ ଏହି ଅନୁସନ୍ଧାନ ଚାଲିଥିବ, ପୁରାତନର ପରିବର୍ତ୍ତନରେ ନୂତନ ଆସୁଥିବ ।

 

ମଣିଷର ପୂଜା

 

ଆଦିମ ଯୁଗର ଜୀବନ, ଢଙ୍ଗ, ଚିନ୍ତା ମଧ୍ୟଯୁଗରେ ରହିଲା ନାହିଁ । ଆଦିମଯୁଗରେ ପ୍ରକୃତି ଦେବତାରୂପେ ପୂଜା ପାଉଥିଲା । ମଧ୍ୟଯୁଗବେଳକୁ ପ୍ରକୃତିର ଅନେକ ତଥ୍ୟ ମଣିଷ ଆଗରେ ପ୍ରକାଶ ପାଇଲା । ସେ ପ୍ରକୃତିର ସବୁ ବିଭାଗକୁ ଚିହ୍ନି ପାରିଲା ନାହିଁ କିନ୍ତୁ ଯେଉଁତକ ଜାଣିଲା, ଚିହ୍ନିଲା, ସେଥିରୁ ତାର ଯଥେଷ୍ଟ ଜ୍ଞାନ ହେଲା ଯେ, ପ୍ରକୃତି ଅବାଧ୍ୟ ନୁହେଁ––ଏହାକୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ––ମଣିଷର ସେବାରେ ନିୟୋଗ କରାଯାଇ ପାରିବ । ଏହିଠାରୁ ତାର ପ୍ରକୃତି ଉପରେ ପ୍ରଭୁତ୍ଵ ଆସିଲା । କିନ୍ତୁ ଏହା ଭିତରେ ମଣିଷ ଅବାଧ୍ୟ ହୋଇ ଉଠିଲା । ମଣିଷ ଭିତରୁ ଯେଉଁ କେତେଜଣ ପ୍ରଭାବଶାଳୀ ଥିଲେ ସେମାନେ ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରି ନିଜର ଆଧିପତ୍ୟ ପ୍ରତିଷ୍ଠା କରିବାକୁ ଲାଗିଲେ । ତେଣୁ ଏହି ସମୟରେ ମଣିଷର ପୂଜା ହେଲା-। ବିଭିନ୍ନ ଗୋଷ୍ଠୀ ବା ଦଳର ମାଲିକମାନେ ନିଜକୁ ଦେବତା––ରଜା ବୋଲାଇ ଅନ୍ୟ ଉପରେ କ୍ଷମତା ବିସ୍ତାର କଲେ । ଆଧୁନିକ ଯୁଗରେ ମଣିଷକୁ ଆଉ କେହି ଦେବତା ଭାବୁ ନାହାନ୍ତି-। ସମୟେ ସମୟେ ମଣିଷ ନୃଶଂସ ହେଉଛି, ପ୍ରକୃତି ବି ନୃଶଂସ ହେଉଛି––କିନ୍ତୁ ମଣିଷ ସାମାଜ ତାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି । ଏଥିରେ ଭୟଭୀତ ହେଉନାହିଁ । ଏହି ହେଲା ନୂତନ ଯୁଗର ଅବଦାନ । ନୂତନରେ ସବୁ ଠିକ୍ ନାହିଁ । କେବେ ସବୁ ଠିକ୍ ନଥିଲା । ଅତୀତରେ ବି ମଣିଷ ଭୁଲ କରିଛି । ଏବେ ମଧ୍ୟ ଭୁଲ କରୁଛି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କିନ୍ତୁ ମଣିଷ ଆଗେଇ ଚାଲିଛି––ଏହି ଭୁଲ ଭିତରୁ ସତ୍ୟର ସଂଧାନ ମିଳୁଛି । ଭୁଲ ନ ହେଲେ ଠିକ୍ ହେବ କିପରି ?

 

ନୂତନ ଯୁଗର ଦାବୀ

 

କିନ୍ତୁ ଅତି ଦୁଃଖର କଥା ଯେ ଆମେ ସମାଜର ଏହି ବିକାଶକୁ ହୃଦୟଙ୍ଗମ କରି ପାରୁନାହୁଁ । ଆମର ଅତି ଶିକ୍ଷିତ ଲୋକମାନେ ମଧ୍ୟ ପ୍ରକୃତି ଓ ମଣିଷକୁ ଏବେ ପୂଜା କରୁଛନ୍ତି । ଯେତେବେଳେ ବିଜ୍ଞାନର ସାହାଯ୍ୟରେ ଅନ୍ୟ ଦେଶର ଲୋକମାନେ ଚନ୍ଦ୍ର ଓ ସୂର୍ଯ୍ୟକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ଆମ ଦେଶରେ ଲୋକମାନେ ବୃକ୍ଷଲତାକୁ ପୂଜା କରିବା ପାଇଁ ବିରାଟ ଆୟୋଜନ କରୁଛନ୍ତି । ପ୍ରକୃତିକୁ ସନ୍ତୁଷ୍ଟ କରିବା ପାଇଁ ହୋମ ହେଉଛି, ଯଜ୍ଞ ହେଉଛି । ଯୁଗ ବଦଳି ଗଲାଣି କିନ୍ତୁ ଆମ ମନ ବଦଳୁ ନାହିଁ । ଯେଉଁଠି ଆଦିମ ଯୁଗର ମନୋଭାବ ଅଛି, ସେଠି ମଧ୍ୟଯୁଗର ମନୋଭାବକୁ ନାପସନ୍ଦ ବା କାହିଁକି କରିବା । ପ୍ରକୃତ ପୂଜାଠାରୁ ମଣିଷ ପୂଜା ବୋଧହୁଏ ଭଲ । ତଥାପି ଏହା ଯେ ଭୁଲ ତାକୁ ମାନିବାକୁ ପଡ଼ିବ । ରାମଚନ୍ଦ୍ର ଏକ ବଡ଼ ମନୀଷୀ ଥିଲେ । ତାଙ୍କ ଜାତିପାଇଁ, ତାଙ୍କ ସମୟ ପାଇଁ, ସେ ଅନେକ କାମ କରିଛନ୍ତି । ସେଥିପାଇଁ ସେ ପ୍ରଶଂସ୍ୟ । କିନ୍ତୁ ସେ ଜଣେ ମଣିଷ । ରୁକ୍ଷଭାଷାରେ କହିଲେ ସେ ଆର୍ଯ୍ୟମାନଙ୍କର ନେତା, ଅନାର୍ଯ୍ୟମାନଙ୍କୁ ପରାସ୍ତ କରିବାରେ ଏକ ପରାକ୍ରମୀ ବୀର । ତେଣୁ ତାଙ୍କୁ ଐତିହାସିକ ଗଣ୍ଡି ଭିତରେ ରଖି ତାଙ୍କର କାର୍ଯ୍ୟକଳାପକୁ ଆଲୋଚନା କରିବା ଉଚିତ । ନୂତନ ଯୁଗରେ ପୁରାତନ ଚିନ୍ତା କେବଳ ଯେ ଅନାବଶ୍ୟକ ତା ନୁହେଁ, ହାନିକାର ମଧ୍ୟ । ଧର୍ମ ରହୁ । ଧର୍ମରେ କାହାରି ଆପତ୍ତି ନାହିଁ । କିନ୍ତୁ ଧର୍ମ ଯଦି କୁସଂସ୍କାର ଓ ଅଜ୍ଞାନ ପ୍ରଚାର କରେ, ତାହେଲେ ସମାଜର ଅଗ୍ରଗତି ବାଧାପ୍ରାପ୍ତ ହୁଏ । ବିଜ୍ଞାନର ବିକାଶରେ ଅସୁବିଧା ସୃଷ୍ଟି ହୁଏ । ସମାଜକୁ ଆଗେଇବାକୁ ପଡ଼ିବ । ଏଥିପାଇଁ ବୈଜ୍ଞାନିକ ଦୃଷ୍ଟିକୋଣ ଦରକାର । ଏସମୟରେ ପୁରାତନ ଚିନ୍ତା ଛୋଟପିଲାର ପ୍ରଶ୍ନକୁ ଚାପି ଦେଲା ପରି ମଣିଷର ବିକାଶରେ ବାଧା ଆଣିବ । ପରିବର୍ତ୍ତିତ ପରିସ୍ଥିତି ଅନୁସାରେ ଆମେ ଆମର ମନକୁ ଯଦି ଗଢ଼ି ନ ପାରିବା ତାହେଲେ ଆମେ ଆଉ ନୂତନ ଯୁଗପାଇଁ ଉପଯୁକ୍ତ ବିବେଚିତ ହୋଇପାରିବା ନାହିଁ । ଏହି କଥାକୁ ମନେ ରଖି ନୂତନ ଯୁଗର ଦରକାର ଅନୁଯାୟୀ, ସମସ୍ତେ ନିଜର ମନକୁ ଗଢ଼ନ୍ତୁ, ଏହାହିଁ ଆମର କହିବାର କଥା ।

Image

 

ସାମାଜିକ ଚିନ୍ତାଧାରା

 

ସାମାଜିକ ଚିନ୍ତାଧାରାର ଭିତ୍ତି

 

ମଣିଷର ଚିନ୍ତାଧାରା ସ୍ଥାଣୁ ନୁହେଁ । ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସମାଜ ବଦଳୁଛି ଏବଂ ସମାଜର ପରିବର୍ତ୍ତନରେ ମଣିଷର ମନ ବଦଳୁଛି । ମଣିଷ ସମାଜକୁ ବଦଳାଉଛି ଏବଂ ସମାଜ ମଣିଷକୁ ବଦଳାଉଛି । ବ୍ୟକ୍ତିର ଚିନ୍ତାଧାରା ସମାଜରେ ପ୍ରତିଫଳିତ ହେଉଛି ଏବଂ ସାମାଜିକ ବେଷ୍ଟନୀ ବ୍ୟକ୍ତିର ଚିନ୍ତାଧାରାକୁ ନିୟନ୍ତ୍ରଣ କରୁଛି । ତେଣୁ ଉଭୟେ ଉଭୟର ନିୟାମକ । ସାମାଜିକ କ୍ଷେତ୍ରରେ କିଏ ପ୍ରଥମ ଓ କିଏ ଦ୍ୱିତୀୟ ତା’ର ବିଚାର ହୋଇ ପାରିବ ନାହିଁ । ବିଚାର କରିବା ମଧ୍ୟ ଭୁଲ ହେବ । ଯଦି ଆମେ କହିବା ଯେ ମାର୍କସ୍ ଏକ ନୂତନ ଚିନ୍ତାଧାରା ପ୍ରଚଳନ କରି ସାମାଜିକ ମାନଦଣ୍ଡ ବଦଳାଇପାରିଛନ୍ତି, ଅନ୍ୟ ଜଣେ କହି ପାରିବ ଯେ ଶିଳ୍ପ ବିପ୍ଳବର ସଂଘର୍ଷ ଓ ଇଉରୋପୀୟ ସମାଜବାଦୀମାନଙ୍କର କାର୍ଯ୍ୟପନ୍ଥାର ଅସଫଳତା ମାର୍କସ୍‍ଙ୍କୁ ଜନ୍ମ ଦେଇଛି । ଏହି ଉଭୟ ମତ ବିବାଦାତ୍ମକ ହେଲେ ମଧ୍ୟ ସତ୍ୟ ।

 

ସେହିପରି ଗାନ୍ଧିଜୀଙ୍କ ବଳିଷ୍ଠ ନେତୃତ୍ୱ ଭାରତୀୟ ରାଜନୀତିକ, ଆର୍ଥନୀତିକ ଓ ସାମାଜିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଛି ଏବଂ ନିଜେ ଗାନ୍ଧିଜୀ ଭାରତୀୟ ବାତାବରଣ ଭିତରୁ ନିର୍ଦ୍ଦେଶ ପାଇଛନ୍ତି । ବିଦେଶୀ ଶାସନର ଅତ୍ୟାଚାର, ସାମ୍ୱିଧାନିକ ଓ ସନ୍ତ୍ରାସବାଦର ବିଫଳତା ଗାନ୍ଧିଜୀଙ୍କୁ ନୂଆ ସଙ୍କେତ ଦେଇଛି ଏବଂ ସେହି ସଙ୍କେତ ଅନୁସାରେ ସେ ଭାରତର ଆନ୍ଦୋଳନ ପରିଚାଳନା କରିଛନ୍ତି । ତେଣୁ ବ୍ୟକ୍ତିର ପ୍ରତିଭା ଓ ସାମାଜିକ ବେଷ୍ଟନୀ ଭିତରୁ ସାମାଜିକ ଚିନ୍ତାଧାରା ସୃଷ୍ଟି ହୋଇଛି ।

ବିବଦମାନ ଚିନ୍ତାଧାରା

ଦ୍ଵିତୀୟ ପ୍ରଶ୍ନ ହେଉଛି, ଯେ କୌଣସି ଏକ ସମୟରେ ଗୋଟିଏ ପ୍ରକାର ସାମାଜିକ ଚିନ୍ତାଧାରା ନାହିଁ । ବସ୍ତୁବାଦ ଭିତରେ ମଧ୍ୟ ଆଧ୍ୟାତ୍ମିକତା ପ୍ରକାଶ ପାଇଛି ଏବଂ ଆଧ୍ୟାତ୍ମିକତା ଭିତରେ ବସ୍ତୁବାଦର ସଙ୍କେତ ମିଳୁଛି । ମଣିଷ ବିଚରଶୀଳ (Rational) ହୋଇପାରେ କିନ୍ତୁ ସବୁବେଳେ ବିଚାର ଅନୁସାରେ ଜୀବନକୁ ପରିଚାଳନା କରିପାରେ ନାହିଁ । ବିଚାର ଗୋଟିଏ ପଟେ ହେଲେ ଅନ୍ୟ ପଟେ ଆବେଗ ଓ ଉଦବେଗ । ଏହାରି ଘାତ ଓ ପ୍ରତିଘାତରେ ଜୀବନର ସରଣୀ ଚାଲେ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଭିତରେ ବିବଦମାନ ଚିନ୍ତାଧାରା ପରିଦୃଶ୍ୟମାନ ହୁଏ । ସେହିପରି ଗୋଟିଏ ସମାଜରେ ମଧ୍ୟ ଏକ ସମୟରେ ଭିନ୍ନ ଭିନ୍ନ ଚିନ୍ତାଧାରା ପ୍ରକାଶିତ ହୁଏ । ଆମେରିକା ପରି ଏକ ବିଷୟାସକ୍ତ ଦେଶରେ ଦାର୍ଶନିକ ଓ ଆଧ୍ୟାତ୍ମିକ ଚିନ୍ତାଧାରା ନେଇ ଯେପରି କେତେକ ଲୋକ ବ୍ୟସ୍ତ ରହନ୍ତି, ଭାରତପରି ଏକ ଧାର୍ମିକ ଦେଶରେ ମଧ୍ୟ ଅନେକ ଲୋକ ଭୌତିକତାର ଉପାସନା କରନ୍ତି । ଗୋଟିଏ ଦେଶ ବା ଗୋଟିଏ ସମୟରେ କୌଣସି ଏକ ଚିନ୍ତାଧାରା ପ୍ରବଳ ହେଲେ, ତାର ପ୍ରତିକ୍ରିୟା ସ୍ୱରୂପ ସେହି ସମୟରେ ତା’ର ବିରୋଧ ଭାବ ମଧ୍ୟ ପ୍ରବଳ ହୁଏ । ତେଣୁ ମଣିଷର ଚିନ୍ତାଧାରାକୁ ବିଭିନ୍ନ ବିଭାଗରେ ବିଭକ୍ତ କରି ଆଲୋଚନା କରିବା ସହଜ ନୁହେଁ । ତଥାପି ବିଶ୍ଳେଷଣର ସୁବିଧା ପାଇଁ ସାମାଜିକ ଚିନ୍ତାଧାରାକୁ ପାଞ୍ଚୋଟିଭାଗରେ ବିଭକ୍ତ କରାଯାଇଛି ଏବଂ ଏହାକୁ ସାମାଜିକ ଚିନ୍ତାଧାରାର କ୍ରମବିକାଶ ବୋଲି ଆଖ୍ୟା ଦିଆଯାଇଛି ।

ଧର୍ମବିଶ୍ଵାସ

ପ୍ରଥମ ବିଭାଗ ହେଉଛି ଆଦିମ ମଣିଷର ଚିନ୍ତାଧାରା । ଆଦିମ ମଣିଷ ପ୍ରକୃତି ସହିତ ନିଜକୁ ମିଶେଇ ଦେଇ ପ୍ରକୃତିରୁ ସାର ସଂଗ୍ରହ କରି ଜୀବନ ଯାପନ କରିଛି କିନ୍ତୁ ପ୍ରକୃତିକୁ ସେ ବୁଝିବାକୁ ସୁବିଧା ପାଇ ନାହିଁ । ପ୍ରକୃତିର ଅଭେଦ୍ୟ ଦୁର୍ଗ ଭେଦ କରିବାକୁ କ୍ଷମତା ପାଇନାହିଁ । ତେଣୁ ପ୍ରକୃତିକୁ ସେ ଭୟ କରିଛି, ଉପାସନା କରିଛି । ଏହିଠାରୁ ପ୍ରଥମେ ଧର୍ମତତ୍ତ୍ୱ ଆରମ୍ଭ ହୋଇଛି । ଧର୍ମକୁ ଆଜି ଯେପରି ବ୍ୟାଖ୍ୟା କରାଯାଉଛି, ସେତେବେଳେ ମଣିଷ ଧର୍ମକୁ ସେହି ଦୃଷ୍ଟିରେ ଦେଖିନାହିଁ । ଆଦିମ ମଣିଷ ଭାବିଛି ଯେ ବିଶ୍ଵ ଭୂତ, ପ୍ରେତ ଓ ଦିଅଁ ଦେବତାଙ୍କଦ୍ଵାରା ଭରପୂର ହୋଇ ରହିଛି । ସେମାନେ ସନ୍ତୁଷ୍ଟ ହେଲେ ମଣିଷ ବଞ୍ଚି ରହିବ, ମଣିଷ ଜୀବନର ବିକାଶ ହେବ । ସେମାନେ ଅସନ୍ତୁଷ୍ଟ ହେଲେ ମଣିଷର ସର୍ବନାଶ ହେବ । ତେଣୁ ସେ ଏହି ଭୂତ ପ୍ରେତ ଓ ଦିଅଁ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାନାପ୍ରକାର ପୂଜାର ବ୍ୟବସ୍ଥା କରିବାକୁ ଚେଷ୍ଟା କରିଛି । ଆଦିମ ମଣିଷର ଏହି ଧର୍ମତତ୍ତ୍ୱ ଭୟରୁ ଜାତ ହୋଇଛି, ଅଜ୍ଞାନରୁ ଜାତ ହୋଇଛି ଏବଂ ଏହା ଫଳରେ ସମାଜରେ ନାନା ବିଶ୍ୱାସ ଓ ଅବିଶ୍ଵାସ ଦେଖାଯାଇଛି । କିଏ ଏକ–ଈଶ୍ଵର ପ୍ରତିପାଦନ କରିବାକୁ ଚେଷ୍ଟା କରିଛି ତ ଆଉ କେହି ବହୁ–ଈଶ୍ୱରର ପ୍ରଚାର କରିଛି । ଏହା ଫଳରେ ଅତୀତରେ ଅନେକ ଧର୍ମଯୁଦ୍ଧ ଲାଗିଛି । ଯେଉଁ ଧର୍ମ ମଣିଷକୁ ସଂଯତ କରିବା କଥା, ମଣିଷର ସଦ୍‍ଗୁଣ କୁସୁମିତ କରିବା କଥା, ସେହି ଧର୍ମ ମଣିଷ ମନରେ ଅନ୍ଧବିଶ୍ଵାସ ସୃଷ୍ଟି କରି ମଣିଷକୁ ନରକ ଆଡ଼କୁ ଟାଣି ନେଇଛି । ହଜାର ହଜାର ବର୍ଷ ପରେ ମଧ୍ୟ ମଣିଷ ସେହି ଦୋଷରୁ ଏ ପର୍ଯ୍ୟନ୍ତ ପୂରାପୂରି ମୁକୁଳି ପାରି ନାହିଁ । ଧର୍ମ ନାମରେ ଏବେ ମଧ୍ୟ ସଂଘର୍ଷ ହେଉଛି, ଏବେ ମଧ୍ୟ ଅବିଶ୍ଵାସ ସୃଷ୍ଟି ହେଉଛି । ତେବେ ଏ କଥା ସତ ଯେ ମଣିଷ ଆଉ ଆଦିମ ମଣିଷ ପରି ନଗଣ୍ୟ ହୋଇ ନାହିଁ, ତା’ର କ୍ଷମତା ବଢ଼ିଛି, କିନ୍ତୁ ପରମ୍ପରା ଦୋଷରେ ଯେଉଁ କେତେଗୁଡ଼ିଏ ଦୋଷ ସେ ପୂର୍ବପୁରୁଷଙ୍କଠାରୁ ଲାଭ କରିଛି, ତାକୁ ଛାଡ଼ି ପାରୁନାହିଁ ।

 

ନୂତନ ପରିବେଶ ଭିତରେ ଆଉ କେତେଗୁଡ଼ିଏ ନୂତନ ଦୋଷ ସଂଗ୍ରହ କରି ନେଇଛି । ଆଦିମ ମଣିଷର ସରଳ, ସହଜ ଓ ସାମାଜିକ ଜୀବନଠାରୁ ସେ ବହୁ ଦୂରକୁ ଚାଲିଯାଇଛି ।

 

ଦର୍ଶନତତ୍ତ୍ଵ

 

ସେ ଯାହା ହେଉ, ଧର୍ମତତ୍ତ୍ୱ ପରେ ମଣିଷ ମନ ଭିତରେ ଉଠିଛି ପ୍ରଶ୍ନ । ଧର୍ମ ବିଶ୍ଵାସ ଉପରେ ନିର୍ଭର କରେ । ଜ୍ଞାନ ଅଧିକ ହେଲେ, ବିଶ୍ଵାସ କମ୍‍ ହୁଏ । ମଣିଷର ଜ୍ଞାନ ଯେତିକି ଅଧିକ ହୋଇଛି, ସେ ସେତିକି ଅଧିକ ବୁଝିବାକୁ ଚେଷ୍ଟା କରିଛି । ପ୍ରଥମେ ଯାହାକୁ ସେ ସତ୍ୟ ବୋଲି ଧରି ନେଇଥିଲା, ପରେ ସେ ଜାଣିବାକୁ ଚାହିଁଛି ପ୍ରକୃତରେ ତାହା ସତ୍ୟ ନାଁ ନାହିଁ । ଯାହାକୁ ସେ ଈଶ୍ୱରଙ୍କର ସୃଷ୍ଟି ବୋଲି ଭାବିଥିଲା, ତାର ସୃଷ୍ଟି ସେ ନିଜେ କରିବାକୁ କ୍ଷମତା ଅର୍ଜ୍ଜନ କରିଛି । ଏଥିରେ ତାର ମନରେ ଧକ୍କା ଆସିଛି । ନିଜର କ୍ଷମତା ବଢ଼ିବା ସଙ୍ଗେ ସଙ୍ଗେ ବିଶ୍ଵାସ କମିବାରେ ଲାଗିଛି ଏବଂ ସମସ୍ତଙ୍କୁ ଜାଣିବାକୁ ଓ ଚିହ୍ନି ବାକୁ ଚେଷ୍ଟା କରିଛି । ବିଶ୍ଵ କଣ ? ବିଶ୍ୱ ସହିତ ମଣିଷର ସମ୍ପର୍କ କଣ ? ମଣିଷ କିଏ ? ମଣିଷର ସୃଷ୍ଟି ହେଲା କିପରି ? ମଣିଷ ଜୀବନ ସହିତ ଗ୍ରହ ଓ ନକ୍ଷତ୍ରମାନଙ୍କର ସମ୍ପର୍କ କଣ ? ମଣିଷ ଶରୀର ସହିତ ଆତ୍ମାର ସମ୍ପର୍କ କଣ ? ଆତ୍ମା ଆସିଲା କେଉଁଠୁ ? ଯିବ କୁଆଡ଼େ ? ଏହିପରି କେତେ କଣ ପ୍ରଶ୍ନ ତା’ର ମନକୁ ଆନ୍ଦୋଳିତ କରିଛି ।

 

କିନ୍ତୁ ବୈଜ୍ଞାନିକ ରୀତିରେ ଏହି ସବୁ ପ୍ରଶ୍ନର ସମାଧାନ କରିବାପାଇଁ ସେ ଜ୍ଞାନ ହାସଲ କରିପାରି ନାହିଁ । ସେଥିରୁ ଆରମ୍ଭ ହୋଇଛି ଦର୍ଶନ । ମନରେ ଯେଉଁ ଜିଜ୍ଞାସା ହୁଏ, ତାକୁ ସମାଧାନ କରିବା ପାଇଁ ଯଦି କୌଣସି ବାଟ ନ ମିଳେ, ତା’ହେଲେ ମଣିଷ କଳ୍ପନା କରେ । ଯଦି ବୈଜ୍ଞାନିକ ଉପାୟରେ ସମାଧାନ ହୋଇଯାଏ, ତାହାହେଲେ କଳ୍ପନା କରିବା ଦରକାର ପଡ଼େ ନାହିଁ-। କିନ୍ତୁ ସମାଜରେ ଏପରି ଅନେକ ସମସ୍ୟା ଅଛି, ଯାହାର କି ବୈଜ୍ଞାନିକ ସିଦ୍ଧାନ୍ତ ନାହିଁ-। ଭବିଷ୍ୟତରେ କଣ ହେବ କେଜାଣି ଏ ପର୍ଯ୍ୟନ୍ତ ମଣିଷ ସେ ଗଭୀରତାକୁ ପ୍ରବେଶ କରିପାରିନାହିଁ-। ଅତୀତରେ ମଧ୍ୟ କରିପାରି ନ ଥିଲା । ତେଣୁ ଧର୍ମତତ୍ତ୍ୱ ପରେ ନାନାପ୍ରକାର ଦର୍ଶନ ସମାଜ ଭିତରେ ଖେଳିଛି । ଦାର୍ଶନିକମାନେ ନିଜ ନିଜର କଳ୍ପନା ଅନୁଯାୟୀ ନୂଆ ନୂଆ ତଥ୍ୟ ବାଢ଼ିଛନ୍ତି-। କେତୋଟି ସୂତ୍ର ଭିତରେ ସମାଜର ସମସ୍ତ ସମସ୍ୟାକୁ ଆଲୋଚନା କରି ଭିନ୍ନ ଭିନ୍ନ ଦିଗରେ ସଙ୍କେତ ଦେଇଛନ୍ତି । କିଏ କହିଛି ସୃଷ୍ଟି ଭିତରେ ମଣିଷ ସବୁଠାରୁ ବଡ଼; ସତ୍ୟ ଶିବ ଓ ସୁନ୍ଦର-। ଅନ୍ୟ କିଏ କହିଛି ଏ ସଂସାରଟା କିଛି ନୁହେଁ, ସବୁ ମାୟା; ମଣିଷର ସଂସାର ପ୍ରତି ଓ ସମାଜ ପ୍ରତି ଆସକ୍ତି ରହିବା ଉଚିତ ନୁହେଁ । ଦର୍ଶନଶାସ୍ତ୍ରର ଏହି ଜଟିଳତା ଭିତରେ ସାଧାରଣ ଲୋକର ମନରେ ଖାଲି ସନ୍ଦେହ ସୃଷ୍ଟି ହୋଇଛି କିନ୍ତୁ ସେ କୌଣସି ସମାଧାନ ପାଇନାହିଁ । ଆଦିମ ମଣିଷ ଭଲ ଥିଲା-। ତାର ଜ୍ଞାନ କମ ଥିଲା; ବିଶ୍ୱାସ ଅଧିକ ଥିଲା; ତେଣୁ ତା ମନରେ କୌଣସି ଦ୍ୱନ୍ଦ୍ୱ ନ ଥିଲା-। ଦର୍ଶନ ଯୁଗରେ ଜ୍ଞାନ ବୃଦ୍ଧି ହେଲା, ବିଶ୍ୱାସ କମିଲା ଏବଂ ସନ୍ଦେହର ମାତ୍ରା ବଢ଼ିଲା ।

 

ମନସ୍ତତ୍ତ୍ୱ

 

ଏହି ସନ୍ଦେହ ଓ ଅବିଶ୍ୱାସ ଭିତରୁ ମଣିଷ ନିଜ ଆଡ଼କୁ ଦୃଷ୍ଟି ଦେଲା; ନିଜ ମନ କଥା ବିଚାରକଲା । ତା’ର ମନରେ କାହିଁକି ଏତେ ପ୍ରଶ୍ନ ଉଠୁଛି ? ସେ ମନର ସ୍ୱରୂପ କଣ ? ଭିନ୍ନ ଭିନ୍ନ ପରିସ୍ଥିତିରେ ମଣିଷ ମନରେ କାହିଁକି ବିଭିନ୍ନ ଭାବ ଜାଗ୍ରତ ହେଉଛି ? ଭିନ୍ନ ଭିନ୍ନ ଅବସ୍ଥାରେ ମଣିଷ କାହିଁକି ବିଭିନ୍ନ କାମ କରୁଛି ? ଅର୍ଥାତ୍ ମଣିଷର ଭାବନା ଓ କାର୍ଯ୍ୟର ଦିଗ କଅଣ ? ଏହି ଚିନ୍ତାକୁ ଏବେ ମନସ୍ତତ୍ତ୍ୱ ବୋଲି କୁହାଯାଉଛି । ଧର୍ମତତ୍ତ୍ୱ ଓ ଦର୍ଶନ ପରେ ମନସ୍ତତ୍ତ୍ୱର ବିକାଶ ହେବାକୁ ଲାଗିଲା । ଏ ପର୍ଯ୍ୟନ୍ତ ସେ ବିଷୟରେ ଗବେଷଣା ଲାଗିଛି । ମଣିଷ ନିଜ ବିଷୟରେ ନିଜେ ପୂରା ସଚେତନ ହୋଇ ପାରି ନାହିଁ ।

 

ବିଜ୍ଞାନ ଓ ମଣିଷର ଶକ୍ତି

ଜିଜ୍ଞାସା ଭିତରୁ ସୃଷ୍ଟି ହେଲା ବିଜ୍ଞାନ । ମଣିଷ ମନରେ ପ୍ରଥମେ ପ୍ରଶ୍ନ ଉଦୟ ହେଲା । ପ୍ରଶ୍ନର ସମାଧାନ ପାଇଁ ସେ କଲା କଳ୍ପନା । କିନ୍ତୁ ସେତିକିରେ ସେ ଆବଦ୍ଧ ନ ହୋଇ ପ୍ରଶ୍ନର ସଠିକ ଉତ୍ତର ପାଇବା ପାଇଁ ମସ୍ତିଷ୍କ ଖେଳାଇଲା । ଏଥିରୁ ଆରମ୍ଭ ହେଲା ବୈଜ୍ଞାନିକ ଉଦ୍ଭାବନ, ଯନ୍ତ୍ରପାତି ଓ ବୈଜ୍ଞାନିକ ଚିନ୍ତାଧାରା । ଏଥିରେ ମଣିଷର ଶକ୍ତି ବଢ଼ିଗଲା । ସେ ପ୍ରକୃତିକୁ ନିୟନ୍ତ୍ରଣ କରି ପ୍ରକୃତିର ଅସରନ୍ତି ଭଣ୍ଡାରକୁ ନିଜର ସେବାରେ ଲଗାଇବାକୁ ଚାହିଁଲା । ଷ୍ଟିମ୍ ଇଞ୍ଜିନଠାରୁ ଆରମ୍ଭ କରି ରକେଟ୍ ପର୍ଯ୍ୟନ୍ତ ଯେତେ ଯେତେ ନୂଆ ନୂଆ ଜିନିଷ ଉଦ୍ଭାବନ ହୋଇଛି, ପ୍ରତ୍ୟେକଟିରେ ପ୍ରକୃତି ହାରିଛି ଓ ମଣିଷ ଜିଣିଛି । ଏବେ ମଣିଷର ବିଚାରଧାରା ଏତେ ବଢ଼ିଯାଇଛି ଯେ ସେ ଆକାଶ ପାତାଳ ଓ ସ୍ଵର୍ଗ ସମସ୍ତଙ୍କୁ ଜବତ କରି ସମସ୍ତଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ବସିଛି । ମଣିଷର ସୁଖ ବଢ଼ିଛି, ସମ୍ଭୋଗ ବଢ଼ିଛି; ବିଜ୍ଞାନ ସାହାଯ୍ୟରେ, ବିନା କଷ୍ଟରେ ନିଜର ଅଭାବ ପୂରଣ କରିବାକୁ ମଣିଷ ସାହସ ବାନ୍ଧି ପାରୁଛି । ଆକାଶ ଲଙ୍ଘିବା ଓ ସମୁଦ୍ର ପାର ହେବାକୁ ସେ ଆଉ କଷ୍ଟ ବୋଲି ମନେକରୁ ନାହିଁ । ଯେଉଁ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଆମେ ଦେବତା ବୋଲି ପୂଜା କରୁଥିଲୁ, ମଣିଷ ଆଜି ନିଜର ବୈଜ୍ଞାନିକ–ଶକ୍ତି ବଳରେ ସେମାନଙ୍କର ଗୋପନୀୟ ତଥ୍ୟ ସଂଗ୍ରହ କରି ପାରିଛି । ସେମାନେ ଆଉ ଦେବତା ହୋଇ ନାହାନ୍ତି । ଚନ୍ଦ୍ର ଗ୍ରହରେ କୋଠା ତୋଳିବା ପାଇଁ କେତେକ ଜମି କିଣିଲେଣି । ହୁଏତ ଆଉ କେତେକ ବର୍ଷ ପରେ ରକେଟ୍ ଟିକଟ ପାଇଁ କ୍ୟୁ ଲାଗିବ; ସିନେମା ଟିକେଟ ପରି ସେଥିରେ ମଧ୍ୟ କଳାବଜାର ହେବ । ବିଜ୍ଞାନର ଉନ୍ନତି ଫଳରେ ମଣିଷ ଜୀବନରେ ଏହି ଯେଉଁ ଅଦ୍ଭୁତ ପରିବର୍ତ୍ତନ ହୋଇଛି, ତାହା ଆଧୁନିକ ମଣିଷକୁ ଆଦିମ ମଣିଷଠାରୁ କେତେ ଦୂରକୁ ଯେ ନେଇ ଯାଇଛି, ତାହା କଳ୍ପନା କରିବା ବି ସମ୍ଭବ ନୁହେଁ । ବିଜ୍ଞାନର ଉନ୍ନତି ଫଳରେ ମଣିଷ ଜୀବନର ପ୍ରତ୍ୟେକ ବିଭାଗରେ ପରିବର୍ତ୍ତନ ଆସିଛି; ଖାଦ୍ୟ, ପୋଷାକ, ଯାନବାହାନ, ଜୀବନ-ପ୍ରଣାଳୀ ଓ ଚିନ୍ତାଧାରାରେ । ଯେଉଁଗୁଡ଼ିକ ଦିନେ ଆଶ୍ଚର୍ଯ୍ୟ ବୋଲି ବିବେଚିତ ହେଉଥିଲା, ସେ ଆଜି ଅତି ସାଧାରଣ ହୋଇ ଯାଇଛି ଏବଂ ସେ କିମିତି ଆସିଲା, କୁଆଡୁ଼ ଆସିଲା ଏବଂ ଆମ ଜୀବନକୁ କିପରି ଭାବରେ ପ୍ରଭାବିତ କଲା, ଆମେ ସେ ବିଷୟରେ ଆଉ ଚିନ୍ତା କରୁନାହୁଁ । ଉଦାହରଣ ସ୍ୱରୂପ ରେଡ଼ିଓ କି ଟେଲିଭିଜନ କଥା ଧରାଯାଉ । ଭାରତ ପରି ଏକ ଦରିଦ୍ର ଦେଶରେ ମଧ୍ୟ ରେଡ଼ିଓ ଆଉ ଏକ ଆଶ୍ଚର୍ଯ୍ୟ ଜିନିଷ ହୋଇ ନାହିଁ । ଗାଁ ଗହଳରେ ଥାଇ ମଧ୍ୟ ଆମେ ହଜାର ହଜାର ମାଇଲ ଦୂରରୁ ସଂଗୀତ ଶୁଣି ପାରୁଛୁ, ଉପଭୋଗ କରି ପାରୁଛୁ । ସଂଗୀତ ଶ୍ରୁତିମଧୁର ହେଲେ ରେଡ଼ିଓକୁ ପ୍ରଶଂସା କରୁନାହୁଁ, ଗାୟକକୁ ପ୍ରଶଂସା କରୁଛୁ । ଯେପରି କି ରେଡ଼ିଓ ଆମର ସେବା କରିବା କଥା, କରୁଛି, ସେହିପରି ଭାବରେ ଆମେ ରେଡ଼ିଓକୁ ଧରି ନେଉଛୁ ଅତି ଏକ ସାଧାରଣ ଜିନିଷ ପରି । କିନ୍ତୁ ଏହି ଉଦ୍ଭାବନ ଭିତରେ କେତେ ବୈଚିତ୍ର୍ୟ ଅଛି, ତାହା କ’ଣ କିଏ ଆଜି କଳ୍ପନା କରୁଛି ? ମଣିଷ ଦିନକ ଭିତରେ ଭାରତରୁ ୧୦ ହଜାର ମାଇଲ ଦୂର ଆମେରିକାକୁ ଜେଟ୍ ପ୍ଲେନରେ ଉଡ଼ି ଚାଲିଯାଉଛି, କିଛି ତାକୁ ନୂଆ ଜଣା ପଡ଼ୁନାହିଁ । ଜେଟପ୍ଲେନ୍‍ର ଏହା କର୍ତ୍ତବ୍ୟ, ସେ କରୁଛି, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ହୁଏତ ଏବେ ରକେଟ ଘଣ୍ଟାକୁ ୧୮ ହଜାର ମାଇଲ ବେଗରେ ପୃଥିବୀ ଚତୁଷ୍ପାର୍ଶ୍ଵରେ ଯେତେବେଳେ ପ୍ରଦକ୍ଷିଣ କରୁଛି, ସେତେବେଳେ ଆମେ ଅଭିଭୂତ ହୋଇ ଯାଉଛୁ, ରୁଷିଆ ଓ ଆମେରିକାକୁ ବାହା ବାହା କରୁଛୁ, ଗାଗାରିନ ଟିଟଭ ଓ ଗ୍ଲେନ୍‍ଙ୍କୁ ଅଭିନନ୍ଦନ ଜଣାଉଛୁ । ହୁଏତ ଆଉ ୨୦ । ୨୫ ବର୍ଷ ପରେ ଏ ବି ଏକ ସାଧାରଣ କଥା ହୋଇଯିବ । ବିଜ୍ଞାନର କି ଅଦ୍ଭୁତ ପ୍ରଭାବ !

ସାମାଜିକ ଚିନ୍ତାରେ ଅସହାୟତା

ପ୍ରକୃତରେ ଆଜି ବିଜ୍ଞାନ ମଣିଷର ଶକ୍ତି ଯେପରି ବୃଦ୍ଧି କରିଛି, ମଣିଷର ଜୀବନକୁ ଯେପରି ଉନ୍ନତ କରିଛି, ସେଥିରେ ବିଜ୍ଞାନ ବି ଦେବତା ହୋଇଯାଇଛି । ଆଧୁନିକ ମଣିଷ ପ୍ରକୃତିର ବିଭିନ୍ନ ବିଭାଗକୁ ପୂଜା ନ କରି ଶକ୍ତିଶାଳୀ ବିଜ୍ଞାନର ଆଶ୍ରା ଧରି ମହୀମଣ୍ଡଳରୁ ତରିଯିବ ବୋଲି ଆଶା କରିଛି । କିନ୍ତୁ ଏଣେ ଯେଉଁ ବିଜ୍ଞାନ ମଣିଷର ଜୀବନକୁ ସୁଖମୟ କରିବା ପାଇଁ ଉପାଦାନ ଯୋଗାଉଛି ଏବଂ ଯାହାର ବଳରେ ବଳୀୟାନ ହୋଇ ମଣିଷ ବାହୁଷ୍ଫୋଟ ମାରୁଛି, ସେହି ବିଜ୍ଞାନ ମଣିଷକୁ ଧ୍ଵଂସ ଆଡ଼କୁ ଟାଣିନେବା ପାଇଁ ମଧ୍ୟ ପଥ ପରିଷ୍କାର କରି ଦେଉଛି । ମଣିଷ ଯାହାକୁ ମୁଣ୍ଡରେ ଥୋଇ ବୁଲୁଛି, ତା’ର ଭାରାରେ ଚାପି ହୋଇ ଲୀନ ହୋଇଯିବାର ଆଶଙ୍କା କରୁଛି । ଫଳରେ ଏହି ବୈଜ୍ଞାନିକ ଯୁଗରେ ମଣିଷ ଚିନ୍ତାରେ ବିଭ୍ରାଟ ସୃଷ୍ଟି ହେଉଛି । ଗୋଟିଏ ପଟେ ନିଜର ଅପରିମିତ ଶକ୍ତି ନେଇ ସାହସିକତା ଓ ଉଚ୍ଛୃଙ୍ଖଳତା ଏବଂ ଅନ୍ୟପଟେ ନିଜର ଅସହାୟତା । ଯେଉଁ ଶକ୍ତିକୁ ସେ ନିଜେ ଉଦ୍ଭାବନ କରିଛି, ସେ ଶକ୍ତିକୁ ନିୟନ୍ତ୍ରଣ କରି ସୀମା ଭିତରେ ରଖିବାର ଅପାରଗତା ତାକୁ ଦୁର୍ବଳ କରୁଛି, ଅସହାୟ କରୁଛି । ତେଣୁ ସେ ପୁଣି କାକୁତିମିନତି ହୋଇ ପ୍ରାର୍ଥନା କରୁଛି । ଅସହାୟ ଓ ଅଜ୍ଞ ଆଦିମ ମଣିଷ ପ୍ରକୃତିର ତାଡ଼ନା ଭିତରେ ନିଜକୁ ରକ୍ଷା କରିବାପାଇଁ ଯେପରି ବିକଳଭାବରେ ନାନା ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲା, ଆଜି ଦାମ୍ଭିକ, ବୈଜ୍ଞାନିକ ନିଜ–ଶକ୍ତିରେ ମଦମତ୍ତ ଆଧୁନିକ ମଣିଷ ସେହିପରି ଭାବରେ ନିଜ ଶକ୍ତିର ଚାପାରୁ ନିଜେ ମୁକୁଳିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି । ପ୍ରାର୍ଥନାର ଢଙ୍ଗ କେବଳ ବଦଳି ଯାଇଛି, ଉଦ୍ଦେଶ୍ୟ ସମାନ ଅଛି । ମଣିଷ ବୁଲି ବୁଲି ପୁଣି ସେହି ପୂର୍ବ ସ୍ଥାନକୁ ଫେରି ଆସିଛି । ସାମାଜିକ ଚିନ୍ତାରେ ଅସହାୟତା ବୃଦ୍ଧି ପାଇଛି ।

 

ଏହା ସଙ୍ଗେ ସଙ୍ଗେ ବିଜ୍ଞାନର ଅଭ୍ୟୁଦୟ ଓ ଶିଳ୍ପସଭ୍ୟତାର ବିକାଶ ଯୋଗୁଁ ମଣିଷ ମନରେ ଯେଉଁ ବ୍ୟକ୍ତିବାଦର ପ୍ରସାର ହୋଇଥିଲା, ତାହା ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ସୁଖସମ୍ଭୋଗରେ ମଣିଷ ସ୍ଵାର୍ଥପର ହୋଇପାରେ, ସ୍ଵତନ୍ତ୍ର ଭାବରେ ନିଜର ଜୀବନଯାତ୍ରା ପରିଚାଳନା କରିପାରେ । କିନ୍ତୁ ଦୁଃଖ–ଦୁର୍ବିପାକରେ ମଣିଷ ସାଥି ଲୋଡ଼େ, ଗୋଷ୍ଠୀ ଚାହେଁ, ସମାଜ ଚାହେଁ । ତେଣୁ ଆଜି ମଣିଷ ମନରେ ପୁଣି ସାମାଜିକତା ମୁଣ୍ଡ ଟେକି ଉଠିଛି, ସେ ସମାଜ ଭିତରେ ଅନ୍ୟମାନଙ୍କ ସହିତ ମିଳିମିଶି ସେମାନଙ୍କର ସୁଖଦୁଃଖରେ ଭାଗୀଦାର ହୋଇ ଏକ ସାମାଜିକ ଜୀବ ହିସାବରେ ଜୀବନ କଟାଇବାକୁ ଚାହୁଁଛି । ନିଜର ଜୀବନକୁ ଉପଭୋଗ କରିବା ପାଇଁ ସେ ଯେଉଁସବୁ ଉଦ୍ଭାବନ କରିଥିଲା, ସେହି ଉଦ୍ଭାବନ ତାକୁ ଯେତେବେଳେ ଆଜି ଗିଳିବାକୁ ବସିଛି, ସେତେବେଳେ ତା’ର ସାମାଜିକତା ଓ ସୌଜନ୍ୟ ଫେରି ଆସୁଛି, ସେ ସମାଜ ଆଗରେ ମାଗୁଣି ମାଗୁଛି । ଅସହାୟ ମଣିଷକୁ ସମାଜ କିପରି ଭାବରେ ସାହାଯ୍ୟ କରିବ, ତା’ରି ଉପରେ ତା’ର ଭବିଷ୍ୟତ, ସମାଜର ଭବିଷ୍ୟତ ଓ ସାମାଜିକ ଚିନ୍ତାର ରୂପରେଖ ନିର୍ଭର କରିବ ।

Image

 

ଭାରତରେ ସାମାଜିକ ପରିବର୍ତ୍ତନ ଓ ତା’ର ପ୍ରତିକ୍ରିୟା

 

ସାମାଜିକ ପରିବର୍ତ୍ତନ ପାଇଁ କୌଣସି ଏକ ନିର୍ଦ୍ଦିଷ୍ଟ କାରଣ ଅଛି ବୋଲି କହି ହେବ ନାହିଁ । କେତେବେଳେ ରାଜନୀତି, କେତେବେଳେ ଧର୍ମ, କେତେବେଳେ ବଳିଷ୍ଠ ବ୍ୟକ୍ତିତ୍ଵର ପ୍ରଭାବ କିମ୍ୱା କେତେବେଳେ ଆର୍ଥନୀତିକ ବ୍ୟବସ୍ଥା ସମାଜରେ ପରିବର୍ତ୍ତନ ସୃଷ୍ଟି କରି ସମାଜର ଆଭିମୁଖ୍ୟକୁ ବଦଳାଇବାରେ ସାହାଯ୍ୟ କରୁଛି । ସମୟେ ସମୟେ ବିଭିନ୍ନ ବିଭାଗଗୁଡ଼ିକ ଏକତ୍ର ମିଶି ସମାଜରେ ପରିବର୍ତ୍ତନ ଆଣୁଛନ୍ତି । ତେଣୁ ଗୋଟିଏ ଦୃଷ୍ଟିକୋଣରୁ ସମାଜର ପରିବର୍ତ୍ତନକୁ ବିଚାର କରିବା ଠିକ୍ ହେବ ନାହିଁ । ତଥାପି ଏହି ପ୍ରବନ୍ଧରେ ଆମେ ଆର୍ଥନୀତିକ ବ୍ୟବସ୍ଥାର ପରିବର୍ତ୍ତନ ଯୋଗୁଁ ସମାଜର ଆଭିମୁଖ୍ୟ କିପରି ବଦଳି ଯାଉଛି, ତା’ର କେତେକ ଦିଗ ଆଲୋଚନା କରିବୁ । ତା’ର କାରଣ, ଅନ୍ୟାନ୍ୟ ବିଭାଗ ତୁଳନାରେ ଆର୍ଥିନୀତିକ ବ୍ୟବସ୍ଥା ସମାଜର ଦିଗ ନିୟନ୍ତ୍ରଣ କରିବାରେ ଅଧିକ ପ୍ରଭାବଶାଳୀ ବୋଲି ଅଧିକାଂଶ ସମାଜବିଜ୍ଞାନୀ ଓ ନୃତତ୍ତ୍ୱବିଦ୍‍ମାନଙ୍କର ମତ । ଆମେରିକାର ବିଖ୍ୟାତ ନୃତତ୍ତ୍ୱବିଦ୍ ଲୁଇସ ମାର୍ଗାନ୍ ସମାଜର ପରିବର୍ତ୍ତନକୁ ଆର୍ଥନୀତିକ ଦୃଷ୍ଟିକୋଣରୁ ବିଚାର କରି ସମାଜକୁ ତିନୋଟି ସ୍ତରରେ ବିଭକ୍ତ କରିଛନ୍ତି-। ପ୍ରଥମ ସ୍ତର ହେଉଛି ବର୍ବରତା (Savagery) । ଏହି ଅବସ୍ଥାରେ ଆଦିମ ଅଧିବାସୀମାନେ ବଣଜଙ୍ଗଲରେ ବୁଲି ଫଳମୂଳ ସଂଗ୍ରହ କରି, ଶିକାର କରି ମାଛ ଧରି ଜୀବିକାନିର୍ବାହ କରନ୍ତି-। ଅର୍ଥାତ୍ ପ୍ରକୃତିର ମରଜି ଉପରେ ମଣିଷମାନଙ୍କୁ ନିର୍ଭର କରିବାକୁ ପଡ଼େ । ଦ୍ଵିତୀୟ ସ୍ତରକୁ ସେ ଅସଭ୍ୟ ଅବସ୍ଥା (Barbarism) ବୋଲି ଆଖ୍ୟା ଦେଇଛନ୍ତି । ଏହି ଅବସ୍ଥାରେ ଲୋକମାନେ ନିଜର ଖାଦ୍ୟ ସଂଗ୍ରହପାଇଁ ଚାଷବାସ କରନ୍ତି, ଗାଈଗୋରୁ ପାଳନ କରନ୍ତି କିମ୍ବା ମିଶ୍ରିତ ଚାଷର ଆଶ୍ରୟ ନିଅନ୍ତି । ତୃତୀୟ ସ୍ତର ହେଉଛି ସଭ୍ୟତା ସ୍ତର (Civilisation) ଏହି ଅବସ୍ଥାରେ ଭିନ୍ନ ଭିନ୍ନ ବ୍ୟବସାୟ ଓ ବାଣିଜ୍ୟର ଉନ୍ନତି ହୁଏ । ଲୋକମାନେ ନିଜର ଜୀବିକାନିର୍ବାହପାଇଁ କେବଳ ଚାଷ ବା ପଶୁପାଳନ ଉପରେ ନିର୍ଭର କରନ୍ତି ନାହିଁ । ମାର୍ଗାନ୍‍ଙ୍କ ଭାଷାରେ, ‘Civilisation is a development from barbarism whereby an appreciable proportion of the members of society no longer get their own food as hunters, fishers or farmers but consume the surplus produced by others in return for specialist services as craftsman, merchants, magicians, soldiers, judges or kings.’ ମାର୍ଗାନ୍‍ଙ୍କ ବାଖ୍ୟାକୁ ଯଦି ସତ୍ୟ ବୋଲି ଧରାଯାଏ, ତାହା ହେଲେ ସମାଜର ଆଭିମୁଖ୍ୟ ବା ସଭ୍ୟତା ଆର୍ଥନୀତିକ ଭିତ୍ତି ଉପରେ ଅନେକାଂଶରେ ନିର୍ଭର କରେ ବୋଲି କୁହାଯିବ । ଏହି ମତ ଠିକ୍ ହେଉ ବା ଭୁଲ୍ ହେଉ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ସାମାଜିକ ପରିବର୍ତ୍ତନପାଇଁ ଆର୍ଥନୀତିକବ୍ୟବସ୍ଥାର ଅନେକ ଗୁରୁତ୍ଵ ଅଛି ।

 

ସମାଜକୁ ଶ୍ରେଣୀଭୁକ୍ତ କରିବାରେ ଅସୁବିଧା

 

ତେବେ ସମାଜ ଆର୍ଥନୀତିକ ଭିତ୍ତି ଉପରେ ନିର୍ଭର କଲେ ମଧ୍ୟ, କୌଣସି ସମାଜରେ ଗୋଟିଏ ସ୍ତର ଅଛି ବୋଲି କହି ହେବନାହିଁ । ବିଶେଷକରି ଭାରତପରି ଏକ ପ୍ରାଚୀନ ଦେଶରେ ଗୋଟିଏ ସ୍ତର ପ୍ରକାଶ ପାଇବା ସମ୍ଭବ ନୁହେଁ । ସମାଜର ଜୀବିକାକୁ କେନ୍ଦ୍ରକରି ସାଧାରଣତଃ ଆମେ କୃଷି-ସଭ୍ୟତା, ବ୍ୟବସାୟ-ସଭ୍ୟତା ବା ଶିଳ୍ପସଭ୍ୟତାର ବିଭିନ୍ନ ବିଭାଗକୁ ଆଲୋଚନା କରୁ; କିନ୍ତୁ କୌଣସି ସଭ୍ୟତାରେ ଏକ ପ୍ରକାର ବା ସମଜାତୀୟ ଗୁଣ ଦେଖିବାକୁ ମିଳେନାହିଁ । ହର୍ବଟ୍ ସ୍ପେନସରଙ୍କ ବ୍ୟାଖ୍ୟା ଅନୁଯାୟୀ ‘Civilisation is a progress for an indefinite, incoherent homogeneity towards a definite, coherent heterogeneity.’ ଏପରି ଅବସ୍ଥାରେ ଭିନ୍ନ ଭିନ୍ନ ସମାଜ ଓ ସଭ୍ୟତାଭିତରେ ସମଜାତୀୟ ଗୁଣ ନିରୂପଣ କରି ତୁଳନାତ୍ମକ ବିଚାର କରିବା ସହଜ ନୁହେଁ । ମାର୍ଗାନ୍‍ଙ୍କ ବ୍ୟାଖ୍ୟାକୁ ଯଦି ଗ୍ରହଣ କରାଯାଏ, ତା’ହେଲେ ଭାରତରେ ତ ବର୍ବର ସମାଜଠାରୁ ଆଧୁନିକ ସମାଜ ପର୍ଯ୍ୟନ୍ତ ସବୁ ଗୁଣ ଦେଖିବାକୁ ମିଳିବ । ପୁଣି ଆଧୁନିକ ସମାଜରେ ଏତେ ବିରୋଧାତ୍ମକ ଗୁଣ ଅଛି ଯେ ସେଗୁଡ଼ିକୁ ଏକତ୍ର ସମାବେଶ କରି ଏକ ଶ୍ରେଣୀଭୁକ୍ତ କରିବା ସମ୍ଭବ ନୁହେଁ । ତଥାପି ଆଲୋଚନାର ସୁବିଧା–ଦୃଷ୍ଟିରୁ ଭାରତୀୟ ସମାଜର ବିଭିନ୍ନ ବିଭାଗଗୁଡ଼ିକୁ ଏକତ୍ର କରି ଏକ ଶ୍ରେଣୀଭୁକ୍ତ କରାଯାଉଛି-। ତା’ ନ କଲେ ସାମାଜିକ ପରିବର୍ତ୍ତନର ଏକ ନିଖୁଣ ଚିତ୍ର ଆଙ୍କିବା ସୁବିଧା ହେବ ନାହିଁ ।

 

ଭାରତୀୟ ସମାଜର ଭିତ୍ତି––

 

ଭାରତୀୟ–ସମାଜର ଆର୍ଥନୀତିକ ଭିତ୍ତି ହେଉଛି କୃଷି । ଶହ ଶହ ବର୍ଷ ଧରି ଭାରତର ଅଧିବାସୀମାନେ କୃଷି ଉପରେ ନିର୍ଭର କରି ନିଜର ଜୀବିକାନିର୍ବାହ କରୁଛନ୍ତି । ପ୍ରଥମ ମହାଯୁଦ୍ଧ ପରଠାରୁ ଧାରାବାହିକଭାବରେ ଭାରତରେ ଆର୍ଥନୀତିକ ପ୍ରଗତିପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭାରତର ଅର୍ଥନୀତିର ସ୍ୱରୂପ ବଦଳି ନାହିଁ । ଅର୍ଥାତ୍ ଏବେ ମଧ୍ୟ ଶତକଡ଼ା ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଚଳୁଛନ୍ତି । ତେଣୁ କୃଷକର ଚାହିଦା ମେଣ୍ଟାଇବାପାଇଁ ସମାଜ ସବୁବେଳେ ଚେଷ୍ଟା କରିଛି । କୃଷକ ସାଧାରଣତଃ ନିଜର ଧନ୍ଦାର ସଫଳତାପାଇଁ ଗୋଷ୍ଠୀଜୀବନକୁ ପସନ୍ଦ କରିଛି । ସେଥିପାଇଁ ଭାରତରେ ପରିବାର, ଗ୍ରାମ ଓ ଜାତି ପ୍ରଭୃତି ଗୋଷ୍ଠୀଜୀବନର ଅଭ୍ୟୁଦୟ ଘଟିଛି । ସେଗୁଡ଼ିକ ଭାରତୀୟ ସମାଜର ମୂଳପିଣ୍ଡ ହିସାବରେ ଶହ ଶହ ବର୍ଷ ଧରି କାର୍ଯ୍ୟ କରି ଆସିଛି । ଏହି ଗୋଷ୍ଠୀଜୀବନରୁ ସହଯୋଗ ମନୋବୃତ୍ତି ସୃଷ୍ଟି ହୋଇଛି । ଜଣେ ଲୋକ ଯଦି ଅନ୍ୟ କାହା ଉପରେ ନିର୍ଭର ନ କରି, ନିଜର ଉଦ୍ୟମ ଓ ଅଧ୍ୟବସାୟ ବଳରେ ନିଜର ଜୀବିକାନିର୍ବାହ କରି ପାରିବ ସେ ଅନ୍ୟର ସହଯୋଗ ଓ ସାହାଯ୍ୟକୁ ଖାତିରକରିବ ନାହିଁ; କିନ୍ତୁ କୃଷି ଅର୍ଥନୀତିର ସଫଳତାପାଇଁ ପରସ୍ପର ସହଯୋଗ ଦରକାର ଏବଂ ପରସ୍ପର ସହଯୋଗଲାଭ କରିବାପାଇଁ ସହଯୋଗ ମନୋବୃତ୍ତି ବୃଦ୍ଧି ପାଇବା ଆବଶ୍ୟକ । ତେଣୁ ଭାରତୀୟ ସମାଜରେ ଗୋଷ୍ଠୀଜୀବନ ଓ ସହଯୋଗ–ମନୋବୃତ୍ତି ପ୍ରକାଶ ପାଇଛି । ପୁଣି ସହଯୋଗ–ମନୋବୃତ୍ତି ବିକାଶପାଇଁ ଭାରତୀୟ ସମାଜରେ ଆପୋଷ ନିଷ୍ପତ୍ତି, ତ୍ୟାଗ ଓ କର୍ତ୍ତବ୍ୟପରାୟଣତା ଉପରେ ଯୋର୍ ଦିଆଯାଇଛି । ଗୋଟିଏ ପରିବାରରେ ଯଦି ୮ । ୧୦ ଜଣ ଏକାଠି ରହି ପ୍ରତ୍ୟେକ ଲୋକ ନିଜର ଜିଦ୍ ପୂରଣ କରିବାକୁ ଚେଷ୍ଟା କରିବେ, ତାହାହେଲେ ସେ ପରିବାର ବେଶୀଦିନ ତିଷ୍ଠିରହି ପାରିବ ନାହିଁ । ପରିବାର ଭିତରେ ପ୍ରତ୍ୟେକ ଦିନ କଳହ ଲାଗିବ; କିନ୍ତୁ ପରିବାରଭିତରେ ଥିବା ପ୍ରତ୍ୟେକ ଲୋକ ଯଦି ଅନ୍ୟର ଚାହିଦା ପ୍ରତି ଟିକିଏ ସହାନୁଭୂତି ଦେଖାଇବେ, ନିଜର ଅଧିକାର ଓ ଦାବୀକୁ ପଛରେ ରଖି ଅନ୍ୟର ଦାବୀକୁ ପୂରଣ କରିବାକୁ ଉଦ୍ୟମ କରିବେ, ତାହାହେଲେ ପରିବାର ଭିତରେ ଉପୁଜୁଥିବା ଅନେକ ବିବାଦ ସହଜରେ ସମାଧାନ ହୋଇ ପାରିବ । ଜଣେ ଅନ୍ୟ କଥା ସହାନୁଭୂତିର ସହିତ ବିଚାର କଲେ, ଅନ୍ୟ ଜଣକ ପ୍ରଥମ ଲୋକର ଅଭାବ ଓ ଅସୁବିଧାକୁ ବେଖାତିର କରିବ ନାହିଁ । ଏହି ହେଲା ପାରିବାରିକ ଜୀବନର ଭିତ୍ତି । ଏହିଥିରୁ ଆରମ୍ଭ ହୁଏ ସାମାଜିକ ଜୀବନ । ସମାଜରେ ଥିବା ବିଭିନ୍ନ ଗୋଷ୍ଠୀ ନିଜର ଦାବୀ ପୂରଣପାଇଁ ଉଦ୍ୟମ ନ କରି ନିଜର କର୍ତ୍ତବ୍ୟ କରି ଯାଆନ୍ତି । ତାହା ଫଳରେ ସାମାଜିକ ସଂହତି ସୃଷ୍ଟି ହୁଏ ।

 

କୃଷିର ଆଉ ଗୋଟିଏ ଦିଗ ହେଲା ପ୍ରକୃତି ଉପରେ ନିର୍ଭର କରିବା । କାରଣ ମୌସୁମୀର ସୁଦୃଷ୍ଟି ଓ କୁଦୃଷ୍ଟି ଉପରେ କୃଷିର ସଫଳତା ଅନେକାଂଶରେ ନିର୍ଭର କରେ । ତେଣୁ ଯେଉଁମାନେ ଚାଷକୁ ନିଜର ଜୀବିକା ବୋଲି ଧରନ୍ତି, ସେମାନେ ସହଜରେ ଭାଗ୍ୟବାଦୀ ହୋଇ ପଡ଼ନ୍ତି । ଏଥିରୁ ପ୍ରକୃତିପୂଜା ଆରମ୍ଭ ହୁଏ । ଭାରତୀୟ ସମାଜରେ ସେଥିପାଇଁ ପ୍ରକୃତିପୂଜା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହାକୁ ଧର୍ମ ସହିତ ମଧ୍ୟ ଯୋଡ଼ି ଦିଆଯାଇଛି । ଯାହା ସମାଜକୁ ଧରି ରଖେ, ତାକୁ ଯଦି ଧର୍ମ କୁହାଯାଏ, ପ୍ରଚଳିତ ଆର୍ଥନୀତିକ ବ୍ୟବସ୍ଥା ଠାରୁ ଧର୍ମ ଅଲଗା ରହିପାରେ ନାହିଁ । ଭାରତୀୟ ଧର୍ମର ଅନ୍ତତଃ ଦୁଇଟି ଦିଗ କୃଷି ଅର୍ଥନୀତିର ଚାହିଦା ପୂରଣ କରିବାରେ ସାହାଯ୍ୟ କରିଛି । ପ୍ରଥମଟି ହେଉଛି ପ୍ରକୃତିକୁ ଶାନ୍ତ କରିବା ଓ ଦ୍ଵିତୀୟଟି ନିଜର ଆଚରଣ ଶୁଦ୍ଧି କରିବା । ଆର୍ଥନୀତିକ ବ୍ୟବସ୍ଥା ସମାଜରେ ଯେଉଁ ଚିନ୍ତାଧାରା ସୃଷ୍ଟି କରିଛି, ସେହି ଚିନ୍ତାଧାରା ଧର୍ମରେ ପ୍ରତିଫଳିତ ହୋଇଛି । ପ୍ରକୃତି ସଦୟ ନ ହେଲେ କୃଷି ସଫଳ ହେବ ନାହିଁ, କି ଜନସାଧାରଣ ପରସ୍ପର ସହିତ ସହଯୋଗ ନ କଲେ, ଚାଷ କାର୍ଯ୍ୟ ଆଗେଇ ପାରିବ ନାହିଁ । ତେଣୁ ଧର୍ମରେ ପ୍ରକୃତିପୂଜା ଓ ଆଚରଣଶୁଦ୍ଧି ଉପରେ ଜୋର୍ ଦିଆଯାଉଛି ।

 

ଆର୍ଥନୀତିକ ପରିବର୍ତ୍ତନ ଓ ସାମାଜିକ ଚିନ୍ତା

 

କୃଷି ଅର୍ଥନୀତିର ଭିତ୍ତି ଉପରେ ଏହି ଯେଉଁସବୁ ସାମାଜିକ ଚିନ୍ତାଧାରା ଭାରତରେ ଶହ ଶହ ବର୍ଷ ଧରି ଚଳି ଆସିଥିଲା, ତାହା ଯେ ଏବେ ପୂରାପୂରି ବଦଳି ଗଲାଣି, ତାହା ନୁହେଁ । କାରଣ ଏ ପର୍ଯ୍ୟନ୍ତ ଅର୍ଥନୀତିର ସ୍ୱରୂପ ବଦଳିନାହିଁ । ପୂର୍ବରୁ ଯାହା କୁହାଯାଇଛି, ଭାରତ ଏ ପର୍ଯ୍ୟନ୍ତ ଏକ କୃଷିପ୍ରଧାନ ଦେଶରୂପେ ପରିଗଣିତ ହେଉଛି; କିନ୍ତୁ ଗତ ୨୦ । ୨୫ ବର୍ଷ ଭିତରେ ଆର୍ଥନୀତିକ ପ୍ରଗତିପାଇଁ ସରକାରଙ୍କ ତରଫରୁ କେତେଗୁଡ଼ିଏ ଉଦ୍ୟମ ହୋଇଛି, ଯେଉଁ ଉଦ୍ୟମ ଫଳରେ କି ପ୍ରଚଳିତ ଚିନ୍ତାଧାରା ଉପରେ ଧକ୍କା ଲାଗିଛି । ସରକାର ଏବେ ଯୋଜନା କରି ଶିଳ୍ପର ଉନ୍ନତି କରୁଛନ୍ତି ଏବଂ ଯେଉଁମାନେ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି, ସେମାନଙ୍କୁ ସାହାଯ୍ୟ ଦେଉଛନ୍ତି । ଅର୍ଥାତ୍ ଶିଳ୍ପର ପ୍ରସାରପାଇଁ ବର୍ତ୍ତମାନ ଚତୁର୍ଦ୍ଦିଗରୁ ଉଦ୍ୟମ ହେଉଛି । ଏହା ଫଳରେ ସାମାଜିକ ଚିନ୍ତାରେ ପରିବର୍ତ୍ତନ ଆସୁଛି । କାରଣ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ବା ଶିଳ୍ପର ପ୍ରସାର କରିବାପାଇଁ ଯେଉଁ ଉଦ୍ୟମ, ସାହସ ଓ ନେତୃତ୍ୱ ଦରକାର, ତାହା କୃଷିରେ ଦରକାର ନାହିଁ । ଯେଉଁମାନେ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି, ସେମାନେ ଭାଗ୍ୟକୁ ଆଦରି ରହୁ ନାହାନ୍ତି । ଶିଳ୍ପ ପ୍ରତିଷ୍ଠା କରିବାପାଇଁ ଅର୍ଥ ସଂଗ୍ରହ କରୁଛନ୍ତି ଏବଂ ଏହି ଅର୍ଥ ବିନିଯୋଗ କରି କିପରି ଲାଭ ପାଇବେ, ସେଥିପାଇଁ ଉଦ୍ୟମ କରୁଛନ୍ତି । ଶିଳ୍ପରେ ଲାଭ ଉପରେ ବେଶୀ ଜୋର୍ ଦିଆଯାଉଛି । ଆମ ଦେଶରେ କୃଷି ଏକ ବ୍ୟବସାୟରୂପେ ପରିଗଣିତ ହେଉ ନ ଥିଲା । ଯେଉଁମାନେ କୃଷିରେ ନିର୍ଭର କରୁଥିଲେ, ସେମାନେ ଏହାକୁ ଜୀବନର ଏକ ମାର୍ଗ ବୋଲି ଧରି ନେଉଥିଲେ । ଏଥିରେ ଲାଭ ହେଉ ବା କ୍ଷତି ହେଉ, କୃଷି ବ୍ୟତୀତ ଅନ୍ୟ କୌଣସି ଗତି ନ ଥିଲା । ବିଶେଷତଃ କୃଷିରୁ ବେଶୀ ଲାଭ ମିଳିବାର ସମ୍ଭାବନା ନ ଥିବାରୁ, ଲାଭ ବା ଅର୍ଥ ସଂଗ୍ରହ ଉପରେ ଜୋର ଦିଆଯାଉ ନଥିଲା । କୃଷିରେ କମ୍ ଅର୍ଥ ବିନିଯୋଗ କରାଯାଉଥିଲା ଏବଂ କମ୍ ଲାଭ ମିଳୁଥିଲା; କିନ୍ତୁ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ବେଶୀ ଅର୍ଥର ଦରକାର ପଡ଼ିଲା ଏବଂ ଯେତିକି ଅଧିକ ଅର୍ଥ ବିନଯୋଗ କରାଗଲା, ସେତିକି ଅଧିକ ଲାଭ ମିଳି ପାରିଲା । ଫଳରେ ସମସ୍ତେ ଅର୍ଥ ପଛରେ ଗୋଡ଼ାଇଲେ । ଅର୍ଥଲାଭ ଅନୁସାରେ ବ୍ୟକ୍ତିଗତ ମର୍ଯ୍ୟାଦା ବା ପ୍ରତିଷ୍ଠା ହାସଲ ହୋଇ ପାରିଲା । ତେଣୁ ପ୍ରତ୍ୟେକ ଶିଳ୍ପପତି ଅଧିକ ଅର୍ଥ ସଂଗ୍ରହ କରି କିପରି ସମାଜରେ ଉଚ୍ଚ ଆସନ ଗ୍ରହଣ କରିବେ କିମ୍ବା ଅଧିକ ଶିଳ୍ପ ପ୍ରତିଷ୍ଠା କରି କିପରି ବେଶୀ ଲାଭ ସଂଗ୍ରହ କରିବେ, ସେଥିପାଇଁ ଉଦ୍ୟମ କରିବାକୁ ଲାଗିଲେ । ଏହା ଫଳରେ ବ୍ୟକ୍ତିଗତ ସଫଳତାପାଇଁ ପରସ୍ପର ଭିତରେ ପ୍ରତିଯୋଗିତା ଲାଗିଲା ।

 

ଶିଳ୍ପର ପ୍ରସାର ଫଳରେ ସମାଜରେ ଆଉ ଏକ ପରିବର୍ତ୍ତନ ଦେଖାଦେଲା । ଯେଉଁମାନେ ଏପର୍ଯ୍ୟନ୍ତ କୌଣସିମତେ ମାଡ଼ିମକଚି କୃଷି ଭିତରେ ପଡ଼ି ରହିଥିଲେ, ସେମାନେ ଶିଳ୍ପ ଅନୁଷ୍ଠାନରେ ଆସି ଯୋଗଦେଲେ । ସେମାନଙ୍କ ଭିତରୁ କେତେକ କାରିଗରୀ ଶିକ୍ଷା ସଂଗ୍ରହ କରି କାରିଗର ହେଲେ, ଆଉ କେତେକ ପରିଚାଳନା ଦାୟିତ୍ୱରେ ରହିଲେ, କେତେକ କିରାନୀ ଓ ଚପରାସି ହେଲେ, କିନ୍ତୁ ଅଧିକାଂଶ ଶ୍ରମିକ ହିସାବରେ ନାଁ ଲେଖାଇଲେ । ଏଇଠାରୁ ଶ୍ରମିକ ଓ ମାଲିକଭିତରେ ଏକ ପ୍ରଭେଦ ସୃଷ୍ଟି ହେଲା । ଶିଳ୍ପପତିମାନେ ଅଧିକ ଲାଭ ପାଇବାର ଶ୍ରମିକମାନେ ଯେତେବେଳେ ଦେଖି ପାରିଲେ, ସେତେବେଳେ ସେମାନେ ସଙ୍ଗଠନ କରି କିପରି ଶିଳ୍ପର ଲାଭରୁ କିଛି ପାଇବେ, ସେଥିପାଇଁ ଦାବୀ କଲେ, ଅଧିକାର ସାବ୍ୟସ୍ତ କରିବାକୁ ପନ୍ଥା ନିରୂପଣ କଲେ । ଶ୍ରମିକମାନଙ୍କଠାରୁ ଶିଖି ଅନ୍ୟମାନେ ମଧ୍ୟ ନିଜ ନିଜର ଦାବୀ ଉପସ୍ଥାପିତ କଲେ । ଗୋଟିଏ କେନ୍ଦ୍ରରେ ଯେଉଁ ମନୋଭାବ ସୃଷ୍ଟି ହେଲା, ତାହା ସମାଜର ଚାରିଆଡ଼େ ବିଚ୍ଛୁରିତ ହେବାକୁ ଲାଗିଲା-

 

ଆର୍ଥନୀତିକ ପ୍ରଗତି ସହିତ ଶିକ୍ଷା ଓ ସ୍ଵାସ୍ଥ୍ୟର ପ୍ରସାର ଯୋଗୁଁ ସାମାଜିକ ଚିନ୍ତାଧାରାରେ ଆହୁରି ଅନେକ ପରିବର୍ତ୍ତନ ଆସିଲା । ପ୍ରଥମେ ତ ଲୋକଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଲା । ପୂର୍ବରୁ ଯେଉଁ ରୋଗପାଇଁ କୌଣସି ଚିକିତ୍ସା ନାହିଁ ବୋଲି ଭାବି, ଲୋକମାନେ ନିଜ ଭାଗ୍ୟ ଉପରେ ଆଦରି ରହୁଥିଲେ କିମ୍ବା ପ୍ରକୃତିକୁ ପୂଜା କରି ଗ୍ରହ ଶାନ୍ତି କରିବାକୁ ଉଦ୍ୟମ କରୁଥିଲେ, ଏବେ ସେ କଥା ଛାଡ଼ି ଡାକ୍ତରଖାନାକୁ ଦୌଡ଼ିବାକୁ ଲାଗିଲେ । ଫଳରେ ମନ୍ଦିର ପାଖରେ ଭିଡ଼ ନ ହୋଇ ଡାକ୍ତରଖାନା ଓ ଡାକ୍ତରଙ୍କ ଦ୍ଵାରପାଖରେ ଭିଡ଼ ଲାଗିଲା । ଶିକ୍ଷାର ପ୍ରସାର ଯୋଗୁଁ ଅନେକ କୁସଂସ୍କାର ମଧ୍ୟ ଦୂର ହୋଇପାରିଲା । ଏହା ସଙ୍ଗେ ସଙ୍ଗେ ରାସ୍ତାଘାଟ ଓ ଯାନବାହନର ଉନ୍ନତି ଯୋଗୁଁ ଲୋକମାନେ ଦେଶଭିତରେ ଭିନ୍ନ ଭିନ୍ନ ଅଞ୍ଚଳକୁ ସହଜରେ ଓ ସୁବିଧାରେ ଯାଇ ପାରିଲେ । ଫଳରେ ଭିନ୍ନ ଭିନ୍ନ ଅଞ୍ଚଳ ସହିତ ଭାବର ଆଦାନ ପ୍ରଦାନ ହୋଇ ପାରିଲା । କେବଳ ଦେଶ ଭିତରେ ନୁହେଁ, ଅନେକ ଲୋକ ମଧ୍ୟ ବିଦେଶକୁ ଯିବାକୁ ସୁବିଧା ପାଇଲେ । ସେମାନେ ଆସି ବିଦେଶ-ବାର୍ତ୍ତା ଦେଶରେ ପ୍ରଚାର କଲେ । ସିନେମା ଜରିଆରେ ଦେଶ ବିଦେଶ କଥା ମଧ୍ୟ ଲୋକମାନଙ୍କ ଭିତରେ ପ୍ରଚାରିତ ହେଲା । ଏହି ସବୁ କାରଣରୁ ସମାଜର ଚିରାଚରିତ ଚିନ୍ତାଧାରାରେ ଏକ ମୌଳିକ ପରିବର୍ତ୍ତନ ଦେଖାଗଲା ।

 

ଏଣେ ରାଜନୀତିକ ଦଳମାନଙ୍କୁ ପ୍ରଚାର ଯୋଗୁଁ ହେଉ, ବା ଚାପ ଯୋଗୁଁ ହେଉ କିମ୍ବା ସରକାରଙ୍କର ନିଜ ଉଦ୍ୟମ ଯୋଗୁଁ ହେଉ, ଗାଁ-ଗଣ୍ଡାରେ ଯୋଜନା ବି କେତେକ ପରିମାଣରେ ପହଞ୍ଚି ପାରିଲା । ସରକାର ଗ୍ରାମଗୋଷ୍ଠୀ ଯୋଜନା କରି ଗ୍ରାମ୍ୟ ଜୀବନର ଏକ ବୈପ୍ଲବିକ ପରିବର୍ତ୍ତନ କରିବାକୁ ଉଦ୍ୟମ କଲେ । ଗ୍ରାମଗୋଷ୍ଠୀ ଯୋଜନା ଫଳରେ ଜନସାଧାରଣଙ୍କର ଆର୍ଥିକ ଅବସ୍ଥାର କେତେ ଉନ୍ନତି ହୋଇଛି କେଜାଣି, ସେମାନଙ୍କର ଚିନ୍ତାଧାରାରେ ଏକ ପରିବର୍ତ୍ତନ ଦେଖାଯାଇଛି । ସେମାନେ ବର୍ତ୍ତମାନ ଭାବୁଛନ୍ତି ଯେ ସରକାରଙ୍କର ସେମାନଙ୍କପାଇଁ କିଛି କରିବାର ଅଛି । ଧନୀ ଓ ଜମିଦାରମାନଙ୍କର ଜୀବନକୁ ଉପଭୋଗ କରିବାର ଯେପରି ଅଧିକାର ଅଛି, ସେମାନଙ୍କର ମଧ୍ୟ ସେହିପରି ଅଧିକାର ଅଛି । ରାଜନୀତିକ ସ୍ଵାଧିନତା, ସାବାଳକ ଲୋକପ୍ରଥା, ରାଜନୀତିକ ଦଳମାନଙ୍କର ପ୍ରଚାର ଓ ସରକାରଙ୍କର ଯୋଜନା–ଫଳରେ ଜନସାଧାରଣଙ୍କ ଭିତରେ ନୂତନ ଆଶା ଓ ଅଭିଳାଷ ସଞ୍ଚରିତ ହୋଇଛି । ଲୋକମାନେ ଏବେ କଷ୍ଟେ-ମଷ୍ଟେ ଚଳି ଯେକୌଣସିମତେ ସଂସାରଯାତ୍ରା ନିର୍ବାହ କରିବାକୁ ଚାହୁଁ ନାହାନ୍ତି । ଅନ୍ୟମାନଙ୍କ ପରି ଜୀବନକୁ ଉପଭୋଗ କରିବାକୁ ସେମାନେ ମଧ୍ୟ ଆଶାୟୀ ହୋଇ ଚାହିଁ ରହିଛନ୍ତି ।

 

କୃଷି ଓ ଶିଳ୍ପ ସମାଜଭିତରେ ଆଦର୍ଶଗତ ପ୍ରଭେଦ

 

ଏଥିରୁ ଦେଖାଯିବ ଯେ ଶିଳ୍ପର ପ୍ରସାରଫଳରେ ସମାଜରେ ଏବେ ଏକ ନୂତନ ଚିନ୍ତାଧାରା ପ୍ରକାଶ ପାଇବାରେ ଲାଗିଛି । ଏହି ଚିନ୍ତାଧାରା ପୂରାପୂରି ସମାଜରେ ପ୍ରତିଷ୍ଠାଲାଭ କରିପାରିନାହିଁ । ତା’ର କାରଣ ଆର୍ଥନୀତିକ ପ୍ରଗତି ବା ଶିଳ୍ପର ପ୍ରସାର ଏ ପର୍ଯ୍ୟନ୍ତ ସମାଜରୁ କୃଷିର ଗୁରୁତ୍ୱ କମାଇ ନାହିଁ । ତଥାପି ଶିଳ୍ପର ପ୍ରସାରଫଳରେ ସହର ଅଞ୍ଚଳରେ ଓ ଶିକ୍ଷିତ ଲୋକମାନଙ୍କ ଭାବରେ ଯେଉଁ ଚିନ୍ତାଧାରା ପ୍ରକାଶ ପାଉଛି, ତାହାଦ୍ଵାରା ଗ୍ରାମବାସୀମାନେ ପ୍ରଭାବିତ ହେଉଛନ୍ତି । ପୂର୍ବପରି ଗ୍ରାମ୍ୟ-ଜୀବନ ଏବେ ସରଳ ଓ ସହଜ ନାହିଁ । ଗ୍ରାମବାସୀମାନଙ୍କ ଭିତରେ ମଧ୍ୟ ପ୍ରତିଯୋଗିତା ଆରମ୍ଭ ହେଲାଣି । ଆର୍ଥନୀତିକ ପ୍ରଗତିପାଇଁ ଏବେ ଯେଉଁ ଉଦ୍ୟମ ହେଉଛି, ସେହି ଉଦ୍ୟମ ଯଦି ଚାଲୁ ରହେ, ତାହା ହେଲେ ଆଉ କେତେ ବର୍ଷ ପରେ ଗ୍ରାମ୍ୟ ଜୀବନ ଓ ସହର ଜୀବନ ଭିତରେ ସାମାଜିକ ଢଙ୍ଗ ନେଇ ବେଶୀ କିଛି ପ୍ରଭେଦ ଦେଖିବାକୁ ମିଳିବ ନାହିଁ । ଶିଳ୍ପସମାଜର ମୌଳିକ ଆଦର୍ଶ ଗ୍ରାମବାସୀମାନଙ୍କୁ ମଧ୍ୟ ପ୍ରଭାବିତ କରିବ । କୃଷି-ସମାଜ ଓ ଶିଳ୍ପ-ସମାଜ ଭିତରେ ଯଦି ତୁଳନାତ୍ମକ ବିଚାର କରାଯାଏ, ତାହାହେଲେ ନିମ୍ନଲିଖିତ ପ୍ରଭେଦଗୁଡ଼ିକ ଦେଖିବାକୁ ମିଳିବ ।

 

କୃଷି–ସମାଜର ଆଦର୍ଶ

 

(୧)

ସାମାଜିକ ସଂହତି

(୨)

ସହଯୋଗ

(୩)

ଆପୋଷ ନିଷ୍ପତ୍ତି

(୪)

ତ୍ୟାଗ

(୫)

କର୍ତ୍ତବ୍ୟପରାୟଣତା

 

ଶିଳ୍ପ–ସମାଜର ଆଦର୍ଶ

 

(୧)

ବ୍ୟକ୍ତିଗତ ସଫଳତା

(୨)

ଯଶୋଲିପ୍‍ସା

(୩)

ବ୍ୟକ୍ତିଗତ ଉଦ୍ୟମ ବା ନେତୃତ୍ୱ

(୪)

ସାହସ

(୫)

ଅଧିକାର ସାବ୍ୟସ୍ତ

 

ମୋଟାମୋଟି ଭାବରେ ଏହି ପାଞ୍ଚୋଟି ଆଦର୍ଶ ଉପସ୍ଥାପିତ କରାଯାଇଛି । କାରଣ ଏହି ସବୁ ଆଦର୍ଶ ବା ଲକ୍ଷଣ ବିଷୟରେ ପୂର୍ବରୁ ଆଲୋଚନା ହୋଇଯାଇଛି । ଏହା ବ୍ୟତୀତ ଆହୁରି ଅନେକ ପ୍ରଭେଦ ଅଛି । ତେବେ ଏହି ପାଞ୍ଚଗୋଟି ସାମାଜିକ ଲକ୍ଷଣ ପ୍ରତି ଯଦି ଦୃଷ୍ଟି ଦିଆଯାଏ, ତାହାହେଲେ ଦେଖାଯିବ ଯେ ଭାରତୀୟ ସମାଜରେ ଶିଳ୍ପ ସମାଜର ଲକ୍ଷଣ ଆସ୍ତେ ଆସ୍ତେ ପ୍ରଭାବ ବିସ୍ତାର କରୁଛି । ଯେଉଁମାନେ ପୁରୁଣା ଢଙ୍ଗରେ ବଢ଼ି ଆସିଛନ୍ତି, ସେମାନେ ଏହାର ପ୍ରତିବାଦ କରୁଛନ୍ତି ।

 

କିନ୍ତୁ ସେମାନଙ୍କର ପ୍ରତିବାଦ ନୂତନ ଚିନ୍ତାଧାରାକୁ ପ୍ରତିରୋଧ କରିପାରୁ ନାହିଁ । ଯୁବକସୁଲଭ ଉତ୍ସାହରେ ଆମେ ଏହି ନୂତନ ଚିନ୍ତାଧାରାକୁ ଗ୍ରହଣ କରି ନେଉଛୁ, କାରଣ ଆମେ ଭାବୁଛୁ ଯେ ଏଥିରେ ଆମ ଦେଶର ପ୍ରଗତି ଆସିବ ଓ ଆମ ଦେଶ ଅନ୍ୟ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିବ ।

 

ସାମାଜିକ ପରିବର୍ତ୍ତନର ପ୍ରତିକ୍ରିୟା–

 

ଏହି ସବୁ ଯେଉଁ ସାମାଜିକ ପରିବର୍ତ୍ତନ ହେଉଛି, ତା’ର ସମାଜରେ ପ୍ରତିକ୍ରିୟା କ’ଣ ହେଉଛି ? ପ୍ରଥମ ହେଉଛି, ଯେଉଁସବୁ ପୁରାତନ ଅନୁଷ୍ଠାନ, ଭାରତରେ ହଜାର ହଜାର ବର୍ଷ ଧରି ସମାଜର କ୍ରିୟା ଓ ପ୍ରକ୍ରିୟା ଉପରେ ପ୍ରଭାବ ପକାଇ ଆସିଥିଲା, ତା’ର ଗୁରୁତ୍ୱ ଆସ୍ତେ ଆସ୍ତେ କମିବାରେ ଲାଗୁଛି । ପରିବାର ହେଉ, ଗ୍ରାମ ହେଉ ବା ଜାତିପ୍ରଥା ହେଉ, ଏହିସବୁ ଗୋଷ୍ଠୀ-ଜୀବନକୁ ଶିକ୍ଷିତ ଲୋକମାନେ ଏତେ ଗୁରୁତ୍ଵ ଦେଉ ନାହାନ୍ତି । ଯେଉଁମାନେ ଉଚ୍ଚଶିକ୍ଷା ପାଉଛନ୍ତି, ସେମାନେ ଚାକିରି ଅନ୍ୱେଷଣରେ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କରୁଛନ୍ତି । ଫଳରେ ନୂଆ ପ୍ରକାର ସାମାଜିକ ଜୀବନ ସୃଷ୍ଟି ହେଉଛି । ଯେଉଁ ଚାକିରିଆ ବା ଶ୍ରମିକମାନେ ନିଜର ଧନ୍ଦାରୁ ଯଥେଷ୍ଟ ଅର୍ଥ ସଂଗ୍ରହ କରିପାରୁ ନାହାନ୍ତି, ସେମାନେ ହୁଏତ କିଛି କିଛି ଅର୍ଥ ସଂଗ୍ରହ କରିବାପାଇଁ ଗ୍ରାମ ଓ ପରିବାରକୁ ମଝିରେ ମଝିରେ ଫେରି ଯାଉଛନ୍ତି; କିନ୍ତୁ ଗ୍ରାମ ବା ପରିବାର ପାଇଁ ପୂର୍ବପରି ଆନ୍ତରିକତା ନାହିଁ । ଯେତେବେଳେ କୃଷି ଏକମାତ୍ର ବ୍ୟବସାୟ ଥିଲା, ସେତେବେଳେ ସମସ୍ତଙ୍କୁ ସେହି ଗ୍ରାମ ଓ ପରିବାରଭିତରେ ବାନ୍ଧି ହୋଇ ରହିବାକୁ ପଡ଼ୁଥିଲା; କିନ୍ତୁ ବର୍ତ୍ତମାନ ତ ବାପା-ମା’ମାନଙ୍କ ସହିତ ପିଲାମାନଙ୍କ ଦେଖାସାକ୍ଷାତ୍ ବର୍ଷକରେ ଥରେ ହେଉଛି କି ନାହିଁ ସନ୍ଦେହ । ଯେଉଁମାନେ ଯେଉଁ ବ୍ୟବସାୟ କରୁଛନ୍ତି, ସେମାନେ ସେମାନଙ୍କର ଗୋଟିଏ ଗୋଷ୍ଠୀ କରି ନିଜର ସୁବିଧା ଓ ଅସୁବିଧାପାଇଁ ଧ୍ୟାନ ଦେଉଛନ୍ତି । ତେଣୁ ଜାତି-ସମାଜ ପରିବର୍ତ୍ତରେ ଶ୍ରେଣୀସମାଜର ବିକାଶ ହେଉଛି । ଅବଶ୍ୟ ଏହା ଫଳରେ ପ୍ରାଦେଶିକତା ଲୋପ ପାଇ ପାରୁନାହିଁ । କାରଣ ଭିନ୍ନ ଭିନ୍ନ ରାଜ୍ୟଭିତରେ ଭାଷା ଓ ଚାଲିଚଳନ ନେଇ ଏତେ ପ୍ରଭେଦ ଅଛି ଯେ ଗୋଟିଏ ରାଜ୍ୟର ଲୋକ ଅନ୍ୟ ରାଜ୍ୟରେ ଯୁଗ ଯୁଗ ଧରି ରହିଲେ ମଧ୍ୟ ନିଜକୁ ସେଇ ରାଜ୍ୟର ଲୋକ ବୋଲି ବିଚାର କରି ପାରୁନାହନ୍ତି । ହୁଏତ ଯେତେବେଳେ ଅଧିକ ଆର୍ଥନୀତିକ ପ୍ରଗତି ହେବ ଏବଂ ରାସ୍ତାଘାଟ ଓ ଯାନବାହାନର ଉନ୍ନତି ଯୋଗୁଁ ଦେଶଭିତରେ ଚଳ ପ୍ରଚଳନ ବୃଦ୍ଧି ପାଇବ, ସେତେବେଳେ ଭିନ୍ନ ଭିନ୍ନ ରାଜ୍ୟ ଭିତରେ ଥିବା ଚାଲିଚଳନରେ ପ୍ରଭେଦ ଅନେକାଂଶରେ ଦୂର ହୋଇ ପାରିବ; କିନ୍ତୁ ଭାଷାର ପ୍ରଭେଦ ଯୋଗୁଁ ପ୍ରାଦେଶିକତା ଭାରତୀୟସମାଜରୁ ସହଜରେ ଦୂରହୋଇ ପାରିବ ନାହିଁ । ସେ ଯାହାହେଉ, ଏ କଥା ମାନିବାକୁ ହେବ ଯେ ଶିଳ୍ପର ପ୍ରଗତି ଯୋଗୁଁ ପୁରାତନ ସାମାଜିକ ସ୍ଥିତି ଓ ସଂହତି ଉପରେ ଆଞ୍ଚ ଆସିଛି । ଆର୍ଥନୀତିକ ପ୍ରଗତି ଯେତିକି ଅଧିକ ହେବ, ଚିରାଚରିତ ସାମାଜିକ ଅନୁଷ୍ଠାନର ବିଶେଷତ୍ଵ ସେତିକି କମିବ । ଆମେ ଯେତେ ଲୋତକ ବର୍ଷଣ କଲେ ମଧ୍ୟ ନୂତନ ଆର୍ଥନୀତିକ ବ୍ୟବସ୍ଥାରେ ପୁରାତନ ସାମାଜିକ ବେଷ୍ଟନୀକୁ ଧରି ରଖି ପାରିବା ନାହିଁ ।

 

ହୁଏତ ଏହି ନୂତନ ସାମାଜିକ ବେଷ୍ଟନୀ ବ୍ୟକ୍ତିଗତ ଓ ସାମାଜିକ ଜୀବନ ଭିତରେ ସଂଘର୍ଷ ସୃଷ୍ଟି କରି ସମାଜରେ ଅଶାନ୍ତି ଓ ଅନିଶ୍ଚୟତା ସୃଷ୍ଟି କରିବ । ପ୍ରତ୍ୟେକ ଶିଳ୍ପପ୍ରଧାନ ଦେଶରେ ପ୍ରଥମ ଅବସ୍ଥାରେ ଏହି ଅନିଶ୍ଚୟତା ସୃଷ୍ଟି ହୋଇଛି, ଆମ ଦେଶରେ ହୁଏତ ତା’ର ପୁନରାବୃତ୍ତି ହେବ । ଆମେ ହୁଏତ ସେଥିପାଇଁ ଅନ୍ୟ କିଛି ସମାଜିକ ବ୍ୟବସ୍ଥା ସୃଷ୍ଟି କରି ସମାଜରୁ ସଂଘର୍ଷ ଓ ବ୍ୟକ୍ତିଗତ ଜୀବନରୁ ଅଶାନ୍ତି ଦୂର କରିବାପାଇଁ ଚେଷ୍ଟା କରିବା । କିନ୍ତୁ ଆମପକ୍ଷରେ ସେହି ପୁରାତନ ସାମାଜିକ ବେଷ୍ଟନୀଭିତରକୁ ଫେରିଯିବା ସମ୍ଭବ ହେବ ନାହିଁ । ଉଦାହରଣ ସ୍ୱରୂପ କୃଷି-ସମାଜରେ ନିଜର ଦାବୀ ଉପରେ ବେଶୀ କେହି ଗୁରୁତ୍ଵ ଦେଉ ନାହାନ୍ତି––ପରିବାର ଭିତରେ ସମସ୍ତେ ପରିବାରର ଯେ ମୁରବୀ ତାଙ୍କ କଥା ମାନି ଚଳୁଛନ୍ତି, ଗାଁରେ ଯେ ମୁଖିଆ, ତାଙ୍କ କଥା କେହି ଅନ୍ୟଥା କରୁ ନାହାନ୍ତି, କି ଜାତିରେ ଯେ ପ୍ରଧାନ ତାଙ୍କୁ କେହି ବେଖାତିର କରୁ ନାହାନ୍ତି । ତେଣୁ ସମସ୍ତେ ଅନ୍ୟ ଉପରେ ନିର୍ଭର କରି ନିଜର କର୍ତ୍ତବ୍ୟ କରି ଯାଉଛନ୍ତି । ଏଥିରେ ବ୍ୟକ୍ତିଗତ ଜୀବନରେ ଶାନ୍ତି ଆସୁଛି ଏବଂ ସାମାଜିକ ଜୀବନରେ ସ୍ଥାୟୀତ୍ୱ ରହୁଛି; କିନ୍ତୁ ଯେତେବେଳେ ଶିଳ୍ପସମାଜର ପ୍ରାଧାନ୍ୟ ବୃଦ୍ଧି ହେବ, ସେତେବେଳେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସମସ୍ତେ ଲାଗି ପଡ଼ିବେ । ଗୋଟିଏ ଅଧିକାର ପୂରଣ ହେଲା ପରେ ଅନ୍ୟ ଏକ ଅଧିକାର ପୂରଣ କରିବାପାଇଁ ଆନ୍ଦୋଳନ ହେବ । ତେଣୁ ସାମାଜିକ ଜୀବନରେ ଏକ ସଂଘର୍ଷ ସୃଷ୍ଟି ହେବ । ଏଣେ ବ୍ୟକ୍ତିଗତ ଜୀବନରେ ମଧ୍ୟ କୌଣସି ଶାନ୍ତି ରହିବ ନାହିଁ । କାରଣ କେହି ଅନ୍ୟ କଥା ମାନି ଚଳିବାକୁ ପ୍ରସ୍ତୁତ ହେବେନାହିଁ । ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରିବେ । ସ୍ତ୍ରୀଲୋକମାନେ ସେମାନଙ୍କର ପତିମାନଙ୍କୁ ଆଉ ଦେବତା ମନେ ନ କରି ନିଜର ବନ୍ଧୁ ବା ସାଙ୍ଗ ବୋଲି ବିଚାର କରିବେ । ଏହା ଫଳରେ ପାରିବାରିକ ଓ ସାମାଜିକ ଜୀବନଭିତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ । ତାର ଆଭାସ ବର୍ତ୍ତମାନ ମିଳି ସାରିଲାଣି । Margaret Cormac ତାଙ୍କର She Who Rides a Peacock ପୁସ୍ତକରେ ଭାରତୀୟ ସମାଜର ପରିବର୍ତ୍ତନକୁ ଆଲୋଚନା କରି କହିଛନ୍ତି, ‘Social harmony (based on duty), personal peace of mind (based on acceptance), and security–dependence (based on family) are going out, that social progress, personal anxiety and insecurity––independence are coming in… । ଏ ହେଲା ଆମ ସମାଜର ଗୋଟିଏ ଦିଗ ।

 

ଅନ୍ୟ ଦିଗଟି ହେଲା, ଆର୍ଥନୀତିକ ପ୍ରଗତି ସହିତ ସମାଜରେ ଲାଞ୍ଚ, ମିଛ ଓ ଅନୀତି ମଧ୍ୟ ବଢ଼ିବାର ସମ୍ଭାବନା । ଏବେ ସମସ୍ତେ କହୁଛନ୍ତି ଯେ, ଆମ ସମାଜ ନୀତିଭ୍ରଷ୍ଟ ହୋଇ ଗଲାଣି-। ବଡ଼ବଡ଼ିଆମାନେ ଲାଞ୍ଚମିଛ ଓ ଅନୀତିରେ ବୁଡ଼ି ରହିଲେଣି । ଆମ ମନରେ ଏଥିପାଇଁ ବହୁତ ଦୁଃଖ ହେଉଛି, ତା’ର କାରଣ ଆମେ ପୁରାତନ ସମାଜର ଆଦର୍ଶକୁ ଆଖି ଆଗରେ ରଖି ବର୍ତ୍ତମାନ ସମାଜର ଆଚରଣ ବିଚାର କରୁଛୁ; କିନ୍ତୁ ଆମେ ଯଦି ବ୍ୟକ୍ତିଗତ ସଫଳତା, ଯଶୋଲିପ୍‍ସା ଓ ଅଧିକାର ସାବ୍ୟସ୍ତକୁ ସମାଜର ମାନଦଣ୍ଡ ବୋଲି ବିଚାର କରିବୁ, ତାହାହେଲେ ଯେଉଁମାନଙ୍କର ସାହସ ଅଛି, ଶକ୍ତି ଅଛି, ସେମାନେ ସମସ୍ତ ପ୍ରକାର ଉଦ୍ୟମ କରି ବ୍ୟକ୍ତିଗତ ସଫଳତା ହାସଲ କରିବାପାଇଁ ଲାଗି ପଡ଼ିବେ । ବ୍ୟକ୍ତିଗତ ସଫଳତା ହାସଲ କରିବାପାଇଁ, କି ଯଶ ସଂଗ୍ରହ କରିବାପାଇଁ ଯଦି ଅର୍ଥ ହିଁ ପ୍ରଧାନ ମାନଦଣ୍ଡ ହୁଏ, ତାହେଲେ ଅର୍ଥ ସଂଗ୍ରହ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ । ଏଥିପାଇଁ ଲାଞ୍ଚ, ମିଛ ବା ଅନୀତି ଯାହା ଦରକାର ପଡ଼ୁ, ସେଥିପାଇଁ ସେମାନେ ପଶ୍ଚାତ୍ପଦ ହେବେ ନାହିଁ । ଆମ ମନରେ ଏବେ ଚିନ୍ତା ଆସୁଛି ଯେ ଯେଉଁମାନେ ସମାଜର କର୍ଣ୍ଣଧାର, ନେତୃସ୍ଥାନୀୟ ଲୋକ, ସେମାନେ କିପରି ସରଳ ଓ ଆଦର୍ଶ ଜୀବନଯାପନ କରନ୍ତେ, ସେମାନଙ୍କ ବିରୁଦ୍ଧରେ ଅନୀତିର ପ୍ରଶ୍ନ ଉଠନ୍ତା ନାହିଁ, ସେମାନଙ୍କୁ ଚାହିଁ ଅନ୍ୟମାନେ ମଧ୍ୟ ସରଳ ଓ ଆଦର୍ଶ ଜୀବନର ପନ୍ଥା ଅନୁସରଣ କରନ୍ତେ । କିନ୍ତୁ ଆମେ ଭୁଲି ଯାଉଛୁ ଯେ ଆଜି ସମାଜର ଯେ ମାଲିକ ସେ ହେଉଛି ଶିଳ୍ପପତି ବା ବ୍ୟବସାୟୀ । ଶିଳ୍ପପତି ଓ ବ୍ୟବସାୟୀମାନଙ୍କର କର୍ମ ହେଉଛି ଅଧିକ ଅର୍ଥ ସଂଗ୍ରହ କରି ନିଜର ସଫଳତା ପ୍ରମାଣ କରିବା । ସେମାନେ ସରଳ ଓ ଆଦର୍ଶ ଜୀବନଯାପନ କରିବେ କିପରି ? ଶିଳ୍ପ ଓ ବ୍ୟବସାୟକୁ କେନ୍ଦ୍ରକରି ଯଦି ଆର୍ଥନୀତିକ ପ୍ରଗତିପାଇଁ ଉଦ୍ୟମ ହୁଏ, ଅର୍ଥଲିପ୍‍ସା, ଯଶୋଲିପ୍‍ସା ଓ ବ୍ୟକ୍ତିଗତ ସଫଳତା, ବ୍ୟକ୍ତିଗତ ଜୀବନକୁ ନିୟନ୍ତ୍ରଣ କରି, ସାମାଜିକ ଜୀବନକୁ ପ୍ରଭାବିତ କରିବ । ସେତେବେଳେ ଆଉ ଦୁଃଖ କଲେ ଚଳିବ ନାହିଁ । ଏବେ ଯେ ଆମ ସମାଜରେ ବିଶୃଙ୍ଖଳା ହେଉଛି କି ଅନୀତି ବଢ଼ୁଛି, ତା’ର ମୂଳରେ ଏହି ଆର୍ଥନୀତିକ ପ୍ରଗତି ଓ ସାମାଜିକ ପରିବର୍ତ୍ତନ । ଏହି କଥା ଆମେ ଭୁଲି ଯାଉଛୁ ବୋଲି ଆମ ମନରେ ସ୍ଥିରତା ଆସୁନାହିଁ । ଆମର ପ୍ରଧାନ ଦୋଷ ହେଉଛି ଯେ ଆମେ ଅତୀତର ଆଦର୍ଶ ଓ ବର୍ତ୍ତମାନର ପ୍ରଗତି ଭିତରେ ଏକ ସମନ୍ୱୟ ଆଣିବାକୁ ଚାହୁଁଛୁ । ଏହାକୁ ଏକ ବିରୋଧାଭାଷ ବ୍ୟତୀତ ଆଉ କ’ଣ କୁହାଯିବ ! ପାଶ୍ଚାତ୍ୟ ଦେଶମାନଙ୍କ ପରି ଆମ ଦେଶରେ ଶିଳ୍ପ ଓ ବ୍ୟବସାୟର ଉନ୍ନତି ହେବ, ଆମର ବଞ୍ଚିବା ମାନଦଣ୍ଡ ବୃଦ୍ଧି ପାଇବ, ଆମେ ବିଦ୍ୟୁତ୍‍ଶକ୍ତି, ମଟରକାର, ରେଡ଼ିଓ, ଟେଲିଭିଜନ, ରେଫ୍ରିଜରେଟର ପ୍ରଭୃତି ଉପଭୋଗ୍ୟ ଜିନିଷ ବ୍ୟବହାର କରି ଜୀବନକୁ ଉପଭୋଗ କରିବା ଅଥଚ ଏଣେ ପଲ୍ଲୀସମାଜର ଶାନ୍ତି, ମୈତ୍ରୀ, ସଂହତି ଓ ପ୍ରକୃତିର ବୈଚିତ୍ର୍ୟ ଅନ୍ୱେଷଣ କରିବା ଓ ସରଳ, ସହଜ ଓ ଆଦର୍ଶ ଜୀବନର ପ୍ରଚାର କରିବା, ଏଥିରେ କପଟତା ବୃଦ୍ଧି ପାଇବ ସିନା, କମିବ ନାହିଁ । ଯଦି ସରଳ ଅର୍ଥନୀତିକୁ ବାଦ୍ ଦେଲେ, ତାହାହେଲେ ସାମାଜିକ ଜୀବନରୁ ସରଳତା, ପବିତ୍ରତା ଓ ନିର୍ମଳତାକୁ ମଧ୍ୟ ବାଦ୍ ଦେବାକୁ ପଡ଼ିବ । ଏ ଦିଗରେ ବର୍ତ୍ତମାନ ସ୍ପଷ୍ଟ ଚିନ୍ତା ଦରକାର ।

Image

 

ସମାଜସଂସ୍କାର ବିଷୟରେ କେତୋଟି ପ୍ରଶ୍ନ

 

ସମାଜସଂସ୍କାର ଓ ସାମାଜିକ ହିତ

 

ଆମ ଦେଶରେ ସମାଜ ସଂସ୍କାର ବା ସାମାଜିକ ଉନ୍ନତି ପାଇଁ ଯେଉଁ ସବୁ ଆଇନ୍ ପାଶ୍ ହେଉଛି ବା ଯେଉଁ ସବୁ କାର୍ଯ୍ୟପଦ୍ଧତି ଗ୍ରହଣ କରାଯାଉଛି, ତାହା ଆମ ଦେଶପାଇଁ ଉପଯୁକ୍ତ ନୁହେଁ ବୋଲି ଅନେକ ଲୋକ ଅଭିଯୋଗ କରୁଛନ୍ତି । ଏପରି କି ସହରରେ କଳପାଣିର ବ୍ୟବସ୍ଥା କରିବା, ଇଲେକ୍‍ଟ୍ରିକ୍ ଆଲୁଅର ପ୍ରଚଳନ କରିବା ଓ ଆଲୋପାଥିକ ଡାକ୍ତରଖାନା ଖୋଲିବାକୁ ମଧ୍ୟ ସେମାନେ ପସନ୍ଦ କରୁନାହାନ୍ତି––କାରଣ ଭାରତର ୪୫ କୋଟି ଲୋକଙ୍କ ପାଇଁ ଏ ସବୁ ବ୍ୟବସ୍ଥା କରିବାର ଶକ୍ତି ଆମର ନାହିଁ––କାରଣ ଯେଉଁମାନେ ପୁରୁଣାପନ୍ଥୀ ସେମାନେ ଆଧୁନିକ ସବୁ ଜିନିଷକୁ ନିନ୍ଦା କରନ୍ତି । ଅତୀତରେ ପରଦା ଭିତରୁ ମୁଣ୍ଡ ଟେକି ଆଧୁନିକକୁ ଚାହିଁବାକୁ ସେମାନଙ୍କର ଧୈର୍ଯ୍ୟ, ସାହସ ଓ ସହିଷ୍ଣୁତା ନାହିଁ । କିନ୍ତୁ ଏ ଯେଉଁମାନେ ସମାଜ ସଂସ୍କାରକୁ ସମାଜର ଜନସାଧାରଣଙ୍କର ହିତପାଇଁ ପରିଚାଳିତ କରିବାକୁ ଚାହାନ୍ତି, ସେମାନଙ୍କ ଦୃଷ୍ଟିକୋଣ ଅଲଗା ବୋଲି ଧରିବାକୁ ହେବ । ହୁଏତ ସେମାନଙ୍କ ଭିତରେ ଅତୀତ ପ୍ରତି କିଛି ଆସକ୍ତି ଅଛି । କିନ୍ତୁ ସେଇଟା ବଡ଼ କଥା ନୁହେଁ । ବଡ଼ କଥା ହେଉଛି ଯେ ସେମାନଙ୍କ ମତରେ ସମାଜ ସଂସ୍କାର ଅର୍ଥ ସମୂହ ଉନ୍ନତି––ଅର୍ଥାତ୍ ଯେଉଁ ଉନ୍ନତି ସମସ୍ତେ ଉପଭୋଗ କରି ପାରିବେ ନାହିଁ; ଯାହାର ଫଳ କେବଳ ସମାଜ ଓ ସଭ୍ୟତା କେତେଜଣ ମୁଷ୍ଟିମେୟଲୋକଙ୍କ ଭିତରେ ଆବଦ୍ଧ ହୋଇ ରହିବ, ସେପରି ସମାଜସଂସ୍କାର ବା ସାମାଜିକ ଉନ୍ନତି ଆମର ଦରକାର କଣ ? ତାକୁ ସମାଜ ସଂସ୍କାର ବୋଲି କାହିଁକି କହିବା !

 

ଗୋଟିଏ ଉଦାହରଣ ଦେଖାଯାଉ । ସରକାର ଅଜସ୍ର ଟଙ୍କା ଖର୍ଚ୍ଚକରି ଆଲୋପାଥିକ୍ ଚିକିତ୍ସାର ବ୍ୟବସ୍ଥା କରୁଛନ୍ତି––ଆଲୋପାଥିକ୍ ଚିକିତ୍ସାର ଉନ୍ନତି ପାଇଁ ଗବେଷଣାଗାର ମଧ୍ୟ ଖୋଲୁଛନ୍ତି, କିନ୍ତୁ ଏହି ଚିକିତ୍ସାକୁ କେତେଜଣ ଉପୋଭୋଗ କରିବାକୁ ସୁବିଧା ପାଉଛନ୍ତି ? କାରଣ ଡାକ୍ତରୀ ଫି, ଔଷଧ ଦାମ ଏତେ ଅଧିକ ଯେ ଯେଉଁମାନଙ୍କ ହାତରେ କିଛି କିଛି ପଇସା ଅଛି, ସେମାନେ ମଧ୍ୟ ବ୍ୟତିବ୍ୟସ୍ତ ହୋଇ ପଡ଼ୁଛନ୍ତି । ଅନ୍ୟାନ୍ୟମାନଙ୍କ କଥା ବା କଣ କହିବା । ତେଣୁ ଯେଉଁ ଚିକିତ୍ସାର ସୁବିଧା ସମସ୍ତେ ନେଇ ନ ପାରିବେ, ସେପରି ଏକ ଚିକିତ୍ସା ସୃଷ୍ଟିକରି ଦେଶରେ ବିଭେଦ ସୃଷ୍ଟି କରାଯାଉଛି ନା ନାହିଁ ? ଯାହାର ପିଲାଟି ଡାକ୍ତରୀ ଚିକିତ୍ସା ନ ପାଇ ନଷ୍ଟହୋଇଯାଉଛି, ତା ମନ କ’ଣ ହେଉଛି ? ଆମେ ଯଦି ସମାଜରେ ସଂହତି ରଖିବା, ତା’ହେଲେ ସମସ୍ତେ ଯେଉଁ ଚିକିତ୍ସା ଉପଭୋଗ କରି ପାରିବେ, ସେପରି ଚିକିତ୍ସାର ବ୍ୟବସ୍ଥା କରିବା ଉଚିତ ନୁହେଁ କି ?

 

ସାମାଜିକ ପରିବର୍ତ୍ତନ ଓ ଦେଶର ଜଳବାୟୁ

 

ଦ୍ଵିତୀୟ ପ୍ରଶ୍ନ ହେଉଛି ଯେ ଆମ ଦେଶର ସଂସ୍କାର ଓ ଉନ୍ନତି ଆମ ଦେଶର ଜଳବାୟୁକୁ ନେଇ ପରିଚାଳିତ ହେବା ଉଚିତ । ଯେଉଁମାନେ ଏବେ ସମାଜର ସଂସ୍କାର କରୁଛନ୍ତି, ସେମାନେ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାଦ୍ଵାରା ଏତେ ପ୍ରଭାବିତ ହୋଇଛନ୍ତି ଯେ, ଆମ ଦେଶପାଇଁ କ’ଣ ଦରକାର ବା ଦରକାର ନୁହେଁ, ତାହା ଧରି ପାରୁନାହାନ୍ତି । ସେହି ଡାକ୍ତରୀ ଚିକିତ୍ସା କଥା ଦେଖାଯାଉ-। ପ୍ରତ୍ୟେକ୍ ଆଲୋପାଥିକ ଔଷଧ ଉପରେ ଲେଖା ଯାଇଛି ଯେ ଔଷଧଟି ଥଣ୍ଡା ଓ ଶୁଖିଲା ଜାଗାରେ ରଖିବା ଉଚିତ୍ । ଆମ ଦେଶପରି ଏକ ଗରମ ଦେଶରେ ଥଣ୍ଡା ଯାଗା ମିଳିବ କାହୁଁ-? ଡାକ୍ତରୀ ଦୋକାନମାନଙ୍କରେ ତ ରେଫ୍ରିଜରେଟ୍‍ର ନାହିଁ––ଅନ୍ୟମାନେ ବା ପାଇବେ କୁଆଡ଼ୁ-? ଥଣ୍ଡା ଜାଗାରେ ନ ରଖିଲେ ଔଷଧର କ୍ଷତି ହେଉଛି କି ନାହିଁ, ସେକଥା ତ କେହି ଅନୁସନ୍ଧାନ କରୁନାହାନ୍ତି । ଇଂଲଣ୍ଡ, ଆମେରିକା ବା ଜର୍ମାନୀରେ ଯେଉଁ ପ୍ରକାର ଔଷଧ ଦରକାର ହେଉଛି, ସେ ପ୍ରକାର ଔଷଧ ଆମ ଦେଶରେ ଚଳିବ କି ନାହିଁ, ସେ କଥା ତ କେହି ଭାବୁ ନାହାନ୍ତି ! ସେହିପରି ସ୍ତ୍ରୀମାନଙ୍କର ସମ୍ପତ୍ତି ଉପରେ ଅଧିକାର କଥା ଦେଖାଯାଉ । ଯେଉଁ ଦେଶରେ ଶିଳ୍ପପ୍ରଧାନ ବ୍ୟବସାୟ ଏବଂ ଯେଉଁଠାରେ ସମ୍ପତ୍ତି ଆୟ ଅନୁସାରେ ବିବେଚିତ କରାହୁଏ, ସେଠାରେ ସ୍ତ୍ରୀମାନଙ୍କୁ ସମ୍ପତ୍ତି ଉପରେ ଅଧିକାର ଦେଲେ, ବ୍ୟବସାୟ ବିଶୃଙ୍ଖଳା ସୃଷ୍ଟି ହେବାର କୌଣସି ଅବକାଶ ନ ଥାଏ । କିନ୍ତୁ ଯେଉଁଠି କୃଷି ପ୍ରଧାନ ବ୍ୟବସାୟ ଓ ଜମି ବିଭକ୍ତିକରଣ ଏକ ଗୁରୁତର ସମସ୍ୟା, ସେଠି ସ୍ତ୍ରୀମାନଙ୍କର ସମ୍ପତ୍ତି ଉପରେ ଅଧିକାର ଆର୍ଥିନୀତିକ ବିଶୃଙ୍ଖଳା ସୃଷ୍ଟି କରିବାରେ ସମ୍ଭାବନା ନାହିଁ କି ? ସେଥିପାଇଁ ଗାନ୍ଧିଜୀ କହିଥିଲେ, “I do not want my house to be walled in on all sides and my windows to be stuffed. I want the cultures of all lands to be blown about my house as freely as possible. But I refuse to be blown off my feet by any.” ଅର୍ଥାତ୍ ବିଦେଶର ସଂସ୍କୃତି ଆମ ଦେଶରେ ପ୍ରଭାବିତ ହେଉ––କିନ୍ତୁ ତା ଫଳରେ ଆମେ ଆମର ନିଜତ୍ଵ ଯେପରି ନ ହରାଉ ।

 

ସମାଜସଂସ୍କାରକଙ୍କର ଆଚରଣ

 

ତୃତୀୟ ପ୍ରଶ୍ନ ହେଲା, ସମାଜ ସଂସ୍କାରକଙ୍କ ଆଚରଣ । ଯେଉଁମାନେ ସମାଜ ସଂସ୍କାରକ ହେବେ, ସେମାନେ ଏକ ସ୍ଵତନ୍ତ୍ରଶ୍ରେଣୀ ହେବେ ନା ସମାଜର ଲୋକଙ୍କ ସହିତ ମିଶି ଚଳିବେ । ଏବେ ଯେଉଁମାନେ ପାର୍ଲାମେଣ୍ଟରେ ଆଇନ କରୁଛନ୍ତି ବା ସରକାରୀ ଫାଇଲରେ ମନ୍ତବ୍ୟ ପାଶ୍ କରି ସମାଜର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ସେମାନଙ୍କର ଲୋକଙ୍କ ସହିତ କୌଣସି ସମ୍ପର୍କ ରହୁନାହିଁ । ତେଣୁ ସେମାନଙ୍କର ଆଇନ ସମାଜକୁ ଲାଗୁ ନାହିଁ । ଟଲଷ୍ଟୟ ଥରେ କହିଥିଲେ ଯେ ସମାଜରେ ଧନୀ ଓ ନିର୍ଦ୍ଧନ ଏବଂ ପରିଷ୍କାର ଓ ଅପରିଷ୍କାର ଲୋକଙ୍କ ଭିତରେ ଏତେ ବ୍ୟବଧାନ ଅଛି ଯେ, ଯେଉଁମାନେ ଧନୀ ଓ ପରିଷ୍କାର ସେମାନେ ଟିକିଏ ନିର୍ଦ୍ଧନ ଓ ଅପରିଷ୍କାର ନ ହେଲେ, ଏହି ବ୍ୟବଧାନ ଦୂର ହୋଇପାରିବ ନାହିଁ । ଆମ ଦେଶରେ ଗାନ୍ଧିଜୀ ସେଥିପାଇଁ ଜନସାଧାରଣଙ୍କର ପୋଷକ ଗ୍ରହଣ କରି, ଜନସାଧାରଣଙ୍କ ସ୍ତରର ଜୀବନ ଯାପନ କରି, ସମାଜସଂସ୍କାର ପାଇଁ ଉଦ୍ୟମ କରିଥିଲେ । ସେ ଜନସାଧାରଣଙ୍କ ଜୀବନ ସହିତ ନିଜକୁ ଏତେ ମିଳେଇ ଦେଇ ପାରିଥିଲେ ଯେ ସାଧାରଣ ଲୋକମାନେ ତାଙ୍କୁ ନିଜର ଲୋକ ବୋଲି ମନେକରି ପାରୁଥିଲେ । ଗାନ୍ଧିଜୀ ରସ୍କିନ୍‍ଙ୍କର ‘Unto This Last’ ପୁସ୍ତକଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ ବୋଲି ସମସ୍ତେ ଜାଣନ୍ତି । ସେହି ପୁସ୍ତକର ସାରମର୍ମକୁ ଗାନ୍ଧିଜୀ ତିନୋଟି ଭାଗରେ ବିଭକ୍ତ କରିଥିଲେ––

 

(୧)

ପ୍ରଥମରେ ବ୍ୟକ୍ତିର ଭଲମନ୍ଦ ସମାଜର ଭଲ ମନ୍ଦ ଉପରେ ନିର୍ଭର କରେ,

(୨)

ଦ୍ଵିତୀୟରେ ଏକ ଓକିଲର କାର୍ଯ୍ୟରେ ଯେତିକି ସମ୍ମାନ ଅଛି, ଏକ ବାରିକର କାର୍ଯ୍ୟରେ ସେତିକି ସମ୍ମାନ ଅଛି––କାରଣ, ସମସ୍ତଙ୍କର ଉପାର୍ଜ୍ଜନ କରିବାର ସମାନ ଅଧିକାର ଅଛି-

(୩)

ତୃତୀୟରେ ଯେଉଁ ଜୀବନରେ ଶାରୀରିକ ଶ୍ରମ ଅଛି––ଅର୍ଥାତ୍ ଚାଷୀ, ବଢ଼େଇ ଓ କମାର ଇତ୍ୟାଦି, ସେମାନଙ୍କର ଜୀବନ ମୂଲ୍ୟବାନ ଜୀବନ––ସେହି ପ୍ରକାର ଜୀବନଯାପନରେ ଆନନ୍ଦ ଅଛି ଓ ଜୀବନର ମୂଲ୍ୟବୋଧ ଅଛି ।

 

ଗାନ୍ଧିଜୀ ଏହି ତିନୋଟି ଶିକ୍ଷାଦ୍ୱାରା ଏତେ ଅଭିଭୂତ ହୋଇଯାଇଥିଲେ ଯେ, ତାର ଆଲୋଚନା କରି କହିଥିଲେ, “The first of these I knew. The second I had dimly realised. The third had never occurred to me.

 

‘Unto this Last’ made it as clear as day light for me that the second and the third were contained in the first. I arose with the dawn, ready to reduce these principles to practice.

 

ଗାନ୍ଧିଜୀ ପ୍ରକୃତରେ ନିଜର ଜୀବନରେ ଏହି ଶିକ୍ଷାକୁ ଅନୁସରଣ କରି ସମାଜର ସଂସ୍କାର ଓ ସଂଶୋଧନ ପାଇଁ ଉଦ୍ୟମ କରିଥିଲେ––ଖାଲି ଯେ ଉଦ୍ୟମ କରିଥିଲେ, ତା ନୁହେଁ; ଅନେକାଂଶରେ ସଫଳ ମଧ୍ୟ ହୋଇଥିଲେ ।

 

ଆଦର୍ଶ ଓ କାର୍ଯ୍ୟ

 

ଏହି ତିନୋଟି ପ୍ରଶ୍ନକୁ ଏପରି ଭାବରେ ପରିବେଷଣ କରିଛୁ, ଯେପରି କି ଆମର ଏଥିରେ ମତ ଅଛି ଏବଂ ଏହି ମତକୁ ଆମେମାନେ ସାଦରେ ଗ୍ରହଣ କରୁଛୁ । ପୁଣି ଏହି ମତ ସହିତ ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱକୁ ଏପରି ଭାବରେ ସଂଶ୍ଳିଷ୍ଟ କରି ଦିଆଯାଇଛି ଯେ ସାଧାରଣ ଲୋକ ପକ୍ଷରେ ସେହି ମତକୁ ଖଣ୍ଡନ କରିବା ଏକ ଧୃଷ୍ଟତା ବୋଲି ଧରାଯିବ । ତଥାପି ଆମେ କହିବୁ ଯେ ଏହି ମତ ଯୁକ୍ତିଯୁକ୍ତ ନୁହେଁ । ଗାନ୍ଧି, ଟଲଷ୍ଟୟ, ରସ୍କିନ ଓ କାର୍ଲାଇଲ୍ ପ୍ରଭୃତି ଯେଉଁ ଆଦର୍ଶବାଦୀମାନେ ସମାଜ-ସଂସ୍କାର ବିଷୟରେ ଉଦ୍ୟମ କରିଛନ୍ତି, ସେମାନେ ନିଜର ଆଦର୍ଶଦ୍ୱାରା ଏତେ ପ୍ରଭାବିତ ହୋଇଛନ୍ତି ଯେ, ଯାହା ସମାଜର ସାଧାରଣ ଲୋକେ ଗ୍ରହଣ କରି ପାରିବେ, ତାକୁ ଧରି ପାରି ନାହାନ୍ତି । ନିଜର ବିରାଟ ବ୍ୟକ୍ତିତ୍ଵ ଓ ପ୍ରତିଭା ଦୃଷ୍ଟିରୁ ସେମାନେ ଅନ୍ୟମାନଙ୍କର ଦକ୍ଷତାକୁ ବିଚାର କରିଛନ୍ତି–ସେଇଠି ବୋଧହୁଏ ସେମାନଙ୍କର ଭୁଲ ହୋଇଛି । ଏକଥା କିଏ ନ ଜାଣେ ଯେ ଗାନ୍ଧିଜୀଙ୍କର ଅହିଂସା ଭାରତବାସୀମାନେ ଗାନ୍ଧିଜୀଙ୍କ ଦୃଷ୍ଟିରୁ ଗ୍ରହଣ ନ କରି, ଏକ ଆବଶ୍ୟକ ପନ୍ଥା ହିସାବରେ ଗ୍ରହଣ କରିଥିଲେ । ଆମେମାନେ ସମସ୍ତେ ଗାନ୍ଧିଜୀଙ୍କର ଭକ୍ତ–ଗାନ୍ଧିଜୀ ଆମର ନମସ୍ୟ, କିନ୍ତୁ ଆମେ କେହି ଗାନ୍ଧଜୀଙ୍କ ମତକୁ ଗ୍ରହଣ କରି ପାରି ନାହୁଁ । ତାଙ୍କର ସେବା, ତାଙ୍କର ଆଦର୍ଶ, ତାଙ୍କର ତ୍ୟାଗ ଆମକୁ ପ୍ରଭାବିତ କରିଛି––କିନ୍ତୁ ଆମେ ତାଙ୍କର ନୀତି ଅନୁସରଣ କରିନାହୁଁ କି କରିପାରିବୁ ନାହିଁ । ଏହି ହେଲା ସେମାନଙ୍କ ମତ ଓ ଆମର ମତ ଭିତରେ ପ୍ରଭେଦ ।

 

ଭୋଗବିଳାସର ଆକର୍ଷଣ

 

ଗାନ୍ଧି, ଟଲଷ୍ଟୟ, ରସ୍କିନ ଓ କାର୍ଲାଇଲ୍ ପ୍ରଭୃତି ସମାଜସଂସ୍କାରକମାନେ ଶିଳ୍ପବିପ୍ଳବର କୁଫଳ ଦେଖି ଏତେ ବ୍ୟଥିତ ହୋଇଥିଲେ ଯେ, ସେମାନେ ସମାଜର ଆର୍ଥନୀତିକ ବ୍ୟବସ୍ଥାକୁ ସରଳ ଓ ସହଜ କରି କଳକାରଖାନାର ଶୋଷଣ ଓ ଅତ୍ୟାଚାରକୁ ଦୂର କରିବା ପାଇଁ ବଦ୍ଧପରିକର ହୋଇଥିଲେ । ଗାନ୍ଧିଜୀ କଳକାରଖାନା ବିରୁଦ୍ଧରେ ମତ ପ୍ରକାଶ କରି କହିଥିଲେ ଯେ ଯେଉଁ କଳ ଜଣଙ୍କଦ୍ଵାରା ପରିଚାଳିତ ହୋଇ ପାରିବ, ସେଥିରେ ତାଙ୍କର ଆପତ୍ତି ନାହିଁ । କିନ୍ତୁ ଯେଉଁ କଳକାରଖାନାରେ ଶ୍ରମିକମାନେ ମାଲିକ ପାଇଁ କାମ କରିବେ, ତାହା ସଭ୍ୟତାର କଳଙ୍କ । ଏମାନଙ୍କପରି ଫ୍ରାନ୍‍ସର ଅନେକ ସମାଜବାଦୀ ମଧ୍ୟ କଳକାରଖାନା ବିରୁଦ୍ଧରେ ମତ ପ୍ରକାଶ କରି ଜମିକୁ ଫେରିଯିବାକୁ ପ୍ରସ୍ତାବ ଦେଇଥିଲେ । ଫୋରିଏଙ୍କର ‘ସାମୂହିକ ଭୋଜନାଳୟ’ (Community dining hall) ଓ ପ୍ରୁଧୋଙ୍କର କ୍ଷୁଦ୍ର କ୍ଷୁଦ୍ର ଜମି ମାଲିକ ବ୍ୟବସ୍ଥା (Small peasant proprietorship) ଏହାର ଏକ ଜ୍ଵଳନ୍ତ ଉଦାହରଣ । କିନ୍ତୁ ବର୍ତ୍ତମାନ ଆମେ ଏପରି ଏକ ସ୍ତରରେ ଆସି ପହଞ୍ଚିଲେଣି ଯେ, ଶିଳ୍ପ ସଭ୍ୟତାକୁ ବାଦ ଦେଇ କୃଷି ସଭ୍ୟତାକୁ ଫେରିଯିବା ସମ୍ଭବ ନୁହେଁ । ଗାନ୍ଧି, ଟଲଷ୍ଟୟ ବା ରସ୍କିନଙ୍କ ପରି ହୁଏତ କଣ କେତେ ବିଶିଷ୍ଟ ମନୀଷୀ ନିଜର ଜୀବନକୁ ସରଳ କରି ଏକ ତ୍ୟାଗପୂତ ଜୀବନଯାପନ କରି ପାରିବେ । କିନ୍ତୁ ସାଧାରଣ ଲୋକର ଜୀବନକୁ ସରସ ଓ ଉପଭୋଗ୍ୟ କରିବାର ଯେଉଁ ପ୍ରବଳ ପିପାସା, ତାକୁ ଆମେ ଏବେ ଏଡ଼ି ଦେଇ ପାରିବା ନାହିଁ । ସଭ୍ୟତା ଓ ସଂସ୍କୃତି କୌଣସି ଏକ ଦେଶର ଏକଚାଟିଆ ବ୍ୟବସାୟ ନୁହେଁ––ଏହା ଆନ୍ତର୍ଜାତିକ ଭାବଧାରା । ଆମେରିକା, ଇଂଲଣ୍ଡ, ରୁଷିଆ ବା ଜର୍ମାନୀର ଲୋକମାନେ ଯଦି ମଟରକାର, ଉଡ଼ାଜାହାଜ, ରେଡ଼ିଓ ଓ ଟେଲିଭିଜନ ପ୍ରଭୃତି ବ୍ୟବହାର କରି ଜୀବନକୁ ସୁନ୍ଦର ଓ ସରସ କରିବାକୁ ଚାହିଁବେ, ଭାରତର ଲୋକମାନେ ତାହାଦ୍ଵାରା ପ୍ରଭାବିତ ହେବେ ଏବଂ ଜୀବନର ସରସତା ପାଇଁ ଏହି ସୁବିଧା ଓ ସୁଯୋଗ ଦାବୀ କରିବେ । ଯେଉଁ ସରକାର ଏକ ନୂତନ ପନ୍ଥା ଅନୁସରଣ କରି ଏହି ସୁବିଧା ଓ ସୁଯୋଗରୁ ସେମାନଙ୍କୁ ବଞ୍ଚିତ କରିବାକୁ ଚାହିଁବେ, ସେହି ସରକାର ଶାସନରେ ବେଶୀ ଦିନ ତିଷ୍ଠି ରହି ପାରିବେ ନାହିଁ । ଯେତେବେଳେ ଦେଶ ଓ ଦେଶ ଭିତରେ ଭାବର ଆଦାନ ପ୍ରଦାନ ନ ଥିଲା ଓ ଗୋଟିଏ ଦେଶର ଲୋକ ଅନ୍ୟ ଦେଶକୁ ଯିବାକୁ ସୁବିଧା ଓ ସୁଯୋଗ ପାଉ ନ ଥିଲେ, ସେତେବେଳେ ସ୍ଵତନ୍ତ୍ର ଭାବରେ ଏକ ନୀତି ଅନୁସରଣ କରିବା ହୁଏତ ସହଜ ଥିଲା । କିନ୍ତୁ ବର୍ତ୍ତମାନ ତାହା ସମ୍ଭବ ନୁହେଁ । ଯଦି ଆଲୋପାଥିକ ଚିକିତ୍ସାର ସୁଯୋଗ ଫଳରେ କାନସର୍, ଯକ୍ଷ୍ମା, ହଇଜା, ବସନ୍ତ ଓ ନିମୁନିଆ ପ୍ରଭୃତି କେତେକ ମାରାତ୍ମକ ରୋଗ ଅନ୍ୟ ଦେଶରେ ଉପଶମ କରାଯାଇ ପାରିବ, ଆମକୁ ତାକୁ ଗ୍ରହଣ କରିବାକୁ ପଡ଼ିବ । ପ୍ରଥମେ ତ ଲୋକଙ୍କଠାରୁ ସେଥିପାଇଁ ଦାବୀ ହେବ । ସରକାର ଏହି ଦାବୀକୁ ଅବରୋଧ କରି ପାରିବେ ନାହିଁ । ଦ୍ୱିତୀୟରେ, ଆନ୍ତର୍ଜାତିକ ଗବେଷଣାର ସୁବିଧା ନେଲେ ଆମର ବି ବେଶୀ ହିତ ହେବ । ଅଳ୍ପ ଖର୍ଚ୍ଚରେ ଆମେ ବିଦେଶର ବୈଜ୍ଞାନିକ ଗବେଷଣାକୁ ନିଜର ଉପକାରରେ ଲଗାଇ ପାରିବା । ଯାହା ଆମେ ନିଜ ଖର୍ଚ୍ଚରେ ସାଧନ କରି ନ ପାରନ୍ତେ ତାହା ଆମେ ଅନ୍ୟ ଦେଶରୁ ଗ୍ରହଣ କରି ଆମ ସମାଜର ଉନ୍ନତି କରି ପାରିବା । ଆଲୋପାଥିକ ଚିକିତ୍ସା ଫଳରେ ରୋଗ ନିର୍ଣ୍ଣୟ କରିବା ପାଇଁ ଆଜି ଯେଉଁ ସବୁ ନୂଆ ନୂଆ ଯନ୍ତ୍ର ବାହାରିଛି ଓ ଅସ୍ତ୍ରୋପଚାର ପାଇଁ ଯେଉଁ ସବୁ ଉନ୍ନତିମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି, ତାହା ହୁଏତ ଆମେ ନିଜ ଚେଷ୍ଟାରେ ସଂଗ୍ରହ କରି ପାରି ନ ଥାନ୍ତେ । ତେବେ ବିଦେଶର ବୈଜ୍ଞାନିକ ସିଦ୍ଧାନ୍ତକୁ ଆମ ଦେଶରେ କିପରି କାର୍ଯ୍ୟକାରୀ କରାଯିବ, ସେଥିପାଇଁ ହୁଏତ ଆମ ଦେଶରେ ସ୍ୱତନ୍ତ୍ର ଗବେଷଣା ହେବା ଦରକାର । ଏଥିରେ କେହି ଆପତ୍ତି କରିବେ ନାହିଁ । ଆମ ଦେଶରେ ଯାହାଅଛି, ତା’ର ମଧ୍ୟ ଗବେଷଣା ହେବା ଉଚିତ । କୌଣସି ପନ୍ଥା ପୂରାପୂରି ସ୍ୱୟଂସଂପୂର୍ଣ୍ଣ ନୁହେଁ । ତେଣୁ ସବୁର ଭଲ ବାହାର କରି କାର୍ଯ୍ୟରେ ଲଗାଇବା ସମାଜପକ୍ଷରେ ମଙ୍ଗଳଜନକ ।

 

ବିଭବର ଅଭାବ ନାହିଁ

 

ପ୍ରଶ୍ନ ହେଉଛି ଯେ ଏହି ସବୁ ବହୁମୂଲ୍ୟ ପାଶ୍ଚାତ୍ୟ ବୈଜ୍ଞାନିକ ସିଦ୍ଧାନ୍ତକୁ ଗ୍ରହଣ କରିବାର ଆମର ଶକ୍ତି ନାହିଁ–ଏହି ସବୁ ସିଦ୍ଧାନ୍ତକୁ ଗ୍ରହଣ କଲେ, କେତେଜଣ ମାତ୍ର ସୁବିଧା ପାଇବେ । ଫଳରେ ଦେଶରେ ବିଭେଦ ସୃଷ୍ଟି ହେବ । ଆମର ଶକ୍ତି ନାହିଁ ବୋଲି କହିବା ଏକ ଦୁର୍ବଳ ଯୁକ୍ତି । ସୁଇଜରଲାଣ୍ଡ ପରି ଏକ ଛୋଟ ଦେଶ, ଯାର କି ବେଶୀ କିଛି ପ୍ରାକୃତିକ ବିଭବ ନାହିଁ, ଆଜି ସେ ଦେଶ ନିଜର ଚେଷ୍ଟା ଫଳରେ ଏକ ଶକ୍ତିଶାଳୀ ଦେଶ ହୋଇ ପାରିଛି । ସୁଇଜରଲାଣ୍ଡର ଅଧିବାସୀମାନେ ଏକ ଉନ୍ନତ ଜୀବନଯାପନ କରିବାକୁ କ୍ଷମତା ଅର୍ଜ୍ଜନ କରି ପାରିଛନ୍ତି । ଆମ ଦେଶରେ ପ୍ରଚୁର ବିଭବ ଅଛି । ସେ ବିଭବଗୁଡ଼ିକ କିପରି ବ୍ୟବହୃତ ହେଉଛି, ତାହାହିଁ ବଡ଼ ପ୍ରଶ୍ନ । ଆମେ ଯଦି ଆମର ସଂଗଠନକୁ ଶକ୍ତିଶାଳୀ କରି ପାରିବା, ଲୋକମାନଙ୍କର ଉତ୍ସାହ, ଉଦ୍ଦୀପନା ଏବଂ ସାଧୁତା ଓ କର୍ମନିଷ୍ଠାକୁ ବୃଦ୍ଧି କରି ପାରିବା, ତା’ହେଲେ ଏ ଦେଶରେ ସମ୍ପତ୍ତିର ଅଭାବ ରହିବ ନାହିଁ । ଆର୍ଥନୀତିକ ଉନ୍ନତି କେବଳ ସଂଚୟ ଉପରେ ନିର୍ଭର କରେ ନାହିଁ । ସେଥିପାଇଁ ସଂଗଠନ ମଧ୍ୟ ଦରକାର । ଆସ୍ତେ ଆସ୍ତେ ସଂଗଠନର ଉନ୍ନତି ହେବ । ଆଜିକାଲି ଯୁଗରେ ଏତେ ଏତେ ନୂଆ ନୂଆ ଜିନିଷର ଉଦ୍ଭାବନ କରାଯାଉଛି ଯେ, ଯେ କୌଣସି ଗରିବ ଦେଶ ଦିନେ ଧନୀ ହୋଇ ଯିବାର ସମ୍ଭାବନା ଅଛି । ଯେତେବେଳେ ଲୋକମାନେ କାଠ ଜାଳି, ନିଆଁ ବାହାର କରି ଶକ୍ତିର ଉତ୍ପନ୍ନ କରୁଥିଲେ, ସେତେବେଳେ ପ୍ରତ୍ୟେକ ଦେଶର ଆର୍ଥନୀତିକ ଭିତ୍ତି ଓ ରାଜନୀତିକ କ୍ଷମତା ଜଙ୍ଗଲ ଉପରେ ନିର୍ଭର କରୁଥିଲା । ତାପରେ ଆସିଲା କୋଇଲା । କୋଇଲାର ପ୍ରାଚୁର୍ଯ୍ୟ ଯୋଗୁଁ ଇଂଲଣ୍ଡ ଏକ ଶକ୍ତିଶାଳୀ ଦେଶ ରୂପେ ପୃଥିବୀରେ ପ୍ରସିଦ୍ଧ ଅର୍ଜ୍ଜନ କରିଥିଲା । କୋଇଲା ପରେ ପେଟ୍ରୋଲିଅମ୍, ପେଟ୍ରୋଲିଅମ୍ ପରେ ଜଳ–ବିଜୁଳି ଶକ୍ତି, ପରେ ଥୋରିଅମ୍ ଓ ୟୁରାନିୟମ୍ ପ୍ରଭୃତି ଧାତୁ । ଭାରତରେ ଆମେ ଏବେ ପ୍ରାୟ ୩୬୦ ଲକ୍ଷ ଟନ କୋଇଲା ଖର୍ଚ୍ଚ କରୁଛୁ । ଏହି ୩୬୦ ଲକ୍ଷ ଟନ୍ କୋଇଲାରୁ ଯେତିକି ଶକ୍ତି ଉତ୍ପନ୍ନ ହେଉଛି, ୧୫ ଟନ୍ ୟୁରାନିଅମରୁ ସେତିକି ଶକ୍ତି ଉତ୍ପନ୍ନ କରାଯାଇ ପାରିବ ବୋଲି ବୈଜ୍ଞାନିକମାନେ ହିସାବ କରୁଛନ୍ତି ଏବଂ ଭାରତରେ ପ୍ରଚୁର ୟୁରାନିଅମ୍ ଅଛି ବୋଲି ଜଣା ପଡ଼ିଛି । ଅଧିକ ମଧ୍ୟ ସନ୍ଧାନ କରାଯାଇପାରେ । ତେଣୁ ଆମର ଶକ୍ତି ନାହିଁ ବୋଲି କହିବା ଯୁକ୍ତିସଂଗତ ନୁହେଁ ।

 

ସଭ୍ୟତାର ଦାନ

 

ସଭ୍ୟତାର ବି ଆଉ ଗୋଟିଏ ଦାନ ଅଛି ଯାହାକୁ କେହି ସାଧାରଣତଃ ଧରି ପାରନ୍ତି ନାହିଁ କିନ୍ତୁ ଯିଏ କି ଆମର ଜୀବନକୁ ପ୍ରବଳ ଭାବରେ ପ୍ରଭାବିତ କରେ । ଏହି ଦାନ ହେଉଛି ନୂଆ ଜିନିଷକୁ ପୁରୁଣା କରିବା । ଅନ୍ୟ ଅର୍ଥରେ ବହୁମୂଲ୍ୟ ଜିନିଷକୁ ଅଳ୍ପମୂଲ୍ୟ କରିବା । ବିଜ୍ଞାନର ପ୍ରଗତି ଫଳରେ ଯାହା ଆଜି କେତେଜଣ ମୁଷ୍ଟିମେୟ ଲୋକ ବ୍ୟବହାର କରିବାକୁ ସମର୍ଥ ତାହା କାଲି ସର୍ବସାଧାରଣ ବ୍ୟବହାର୍ଯ୍ୟ । ପ୍ରଥମେ ଯେତେବେଳେ ମଟର କାର୍‍ର ଆବିଷ୍କାର ହେଲା, ସେତେବେଳେ ମଟର କାର୍‍ର ଦାମ୍ ଏତେ ଅଧିକ ଥିଲା ଯେ ସାରା ପୃଥିବୀରେ ସାମାନ୍ୟ କେତେ ଜଣ ଲୋକ ତାହା ବ୍ୟବହାର କରିବାକୁ ଶକ୍ତି ଅର୍ଜନ କରିପାରିଥିଲେ । ପ୍ରଥମ ମହାଯୁଦ୍ଧବେଳକୁ କଟକ ସହରରେ ଖଣ୍ଡିଏ ମଟର କାର୍ ଚଳୁଥିଲା ବୋଲି ସଂବାଦ ଶୁଣିବାକୁ ମିଳେ । ତା’ ପରେ ହେନେରି ଫୋର୍ଡ଼ ନାମକ ଏକ ଶିଳ୍ପପତି ଆସି ମଟରକାରକୁ ଏତେ ଶସ୍ତାରେ ଉତ୍ପାଦନ କଲେ ଯେ, ଆମେରିକାର ଘରେ ଘରେ ମଟରକାର ରହିଲା । ଆମ କଟକ ସହରରେ ଏବେ ବୋଧହୁଏ ୩ ହଜାର ମଟର ଓ ଟ୍ରକ୍ ଥିବ । ଭାରତରେ ଯେତେବେଳେ ଟ୍ରେନ ଚଳାଚଳର ବ୍ୟବସ୍ଥା ହେଲା, ସେତେବେଳେ ବି ଅନେକ ଲୋକ ଭାରତରେ ଆପତ୍ତି କରିଥିଲେ । ଆଜି ତ ଏକଥା କାହାକୁ ଅବିଦିତ ନାହିଁ ଯେ ଟ୍ରେନ ଏକ ସର୍ବସାଧାରଣଙ୍କର ଯାନବାହନ । ବିଜ୍ଞାନର ଏହି ହେଉଛି ମନୁଷ୍ୟ ସମାଜକୁ ବିରାଟ ଦାନ । ଆମେ ଯେଉଁମାନେ ଏବେ ଆଲୋପାଥିକ ଚିକିତ୍ସା, କଳପାଣି ଓ ଇଲେକ୍‍ଟ୍ରିସିଟିକୁ ବହୁମୂଲ୍ୟ ଭାବି ଆପତ୍ତି କରୁଛୁ, କାଲି ହୁଏତ ଏହି ଜିନିଷଗୁଡ଼ିକ ଏତେ ଶସ୍ତା ହେବ ଯେ, ଯେ କୌଣସି ଅବସ୍ଥାର ଲୋକେ ଏହାକୁ ସହଜରେ ବ୍ୟବହାର କରି ପାରିବେ । ଯେଉଁ ପେନିସିଲିନ୍ ଓ ସଲ୍‍ଫା ଅଳ୍ପ କେତେବର୍ଷ ତଳେ ଦୁର୍ମୂଲ୍ୟ ଥିଲା, ତାହା ଆଜି ସର୍ବସାଧାରଣଙ୍କର ବ୍ୟବହାର ଉପଯୋଗୀ ହୋଇସାରିଲାଣି । ମହୀଶୂର ରାଜ୍ୟରେ ଇଲେକ୍ଟ୍ରିସିଟି ଏତେ ଶସ୍ତା ହୋଇଛି ଯେ, ସେଠାକାର ଗାଁ ଗହଳରେ ଇଲେକ୍‍ଟ୍ରିକ୍ ପ୍ରଚଳନ ହୋଇ ପାରିଛି । ଆଜି ଯେପରି ଆମେରିକାର ଘରେ ଘରେ ଇଲେକ୍‍ଟ୍ରିକ୍ ଚୁଲି ବ୍ୟବହୃତ ହେଉଛି, ହୁଏତ ୨୦।୨୫ ବର୍ଷ ଭିତରେ ହୀରାକୁଦ, ଟିକରପଡ଼ା ଓ ନରାଜ ବନ୍ଧ ଯୋଗୁ ଆମ ଓଡ଼ିଶାରେ ସାଧାରଣ ଲୋକମାନେ ଇଲେକ୍‍ଟ୍ରିକ୍ ଚୁଲି ବ୍ୟବହାର କରି ପାରିବେ । ତେଣୁ ଦୁର୍ମୂଲ୍ୟ ଭାବି ବିଜ୍ଞାନର ଦାନକୁ ଦେଶରେ ପ୍ରଚଳନ ନ କରିବାକୁ ଉଦ୍ୟମ କରିବା ଅର୍ଥ ସଭ୍ୟତାକୁ ରୋକି ଧରିବା ।

 

ବିଶେଷୀକରଣର ତାତ୍ପର୍ଯ୍ୟ

 

ସମାଜର ଅଗ୍ରଗତି ପାଇଁ ବିଶେଷୀକରଣ (Specialisation) ମଧ୍ୟ ଆଉ ଏକ ଉପାଦାନ । ଆଜିକାଲି ଯୁଗରେ ସମସ୍ତଙ୍କୁ କୃଷକ, କମାର ବା ବର୍ଦ୍ଧକୀ କରିବା ଯେତେ ଆଦର୍ଶଗତ ହେଲେ ମଧ୍ୟ କାର୍ଯ୍ୟରେ ସମ୍ଭବ ନୁହେଁ । କାରଣ ଜୀବନ ଯେତେବେଳେ ସରଳ ଓ ସହଜ ଥିଲା, ଜ୍ଞାନର ବିଶେଷ କିଛି ଅଭିବୃଦ୍ଧି ହୋଇ ନ ଥିଲା । ସେତେବେଳେ କର୍ମବଣ୍ଟନର କୌଣସି ଆବଶ୍ୟକତା ନ ଥିଲା । ଯୁଗ ଥିଲା, ଯେତେବେଳେ ବିଦ୍ଵାନମାନେ କେବଳ ଚାଷୀକୁ ଉତ୍ପାଦକ ବୋଲି ଆଖ୍ୟା ଦେଉଥିଲେ । ଫ୍ରାନ୍‍ସର ଫିଜିଓକ୍ରାଟ୍‍ମାନେ (Physiocrats) କୃଷି ବ୍ୟତୀତ ଅନ୍ୟ କୌଣସି ଧନ୍ଦାକୁ ବେଶୀ ଗୁରୁତ୍ଵ ଦେଇ ନ ଥିଲେ, କାରଣ ସେମାନେ ଭାବିଥିଲେ ଯେ କୃଷିରୁ କେବଳ ବଳକା ଉତ୍ପାଦନ କରାଯାଇ ପାରିବ । ଇଂଲଣ୍ଡର ମର୍ଚ୍ଚାଣ୍ଟାଲିଷ୍ଟ (Merchantalists)ମାନେ କୃଷିଠାରୁ ବ୍ୟବସାୟକୁ ବେଶୀ ଗୁରୁତ୍ଵ ଦେଲେ, କାରଣ ବ୍ୟବସାୟ ଫଳରେ ବିଦେଶରୁ ବେଶୀ ସୁନା ଓ ରୁପା ପ୍ରଭୃତି ବହୁମୂଲ୍ୟଧାତୁ ସଂଗ୍ରହ କରାଯାଇପାରିଲା ଏବଂ ଦେଶର ରାଜନୀତିକ ଓ ଆର୍ଥନୀତିକ ଶକ୍ତି ସେତେବେଳେ ଏହି ସୁନାରୁପା ଉପରେ ନିର୍ଭର କରୁଥିଲା । ତା ପରେ ଆସିଲେ ଆଡ଼ାମ ସ୍ମିଥ (Adam Smith), ଯେ କି ଉତ୍ପାଦନର ବ୍ୟାଖ୍ୟାକୁ ଆଉ ଟିକିଏ ବୃଦ୍ଧି କରି କର୍ମବଣ୍ଟନର ଗୁରୁତ୍ଵ ପ୍ରତିପାଦିତ କରିବାକୁ ଲାଗିଲେ । କିନ୍ତୁ ତାଙ୍କର ବ୍ୟାଖ୍ୟାରେ ମଧ୍ୟ କିଛି ଦୋଷ ଥିଲା । ସେ କେବଳ ପଣ୍ୟଦ୍ରବ୍ୟର ଉତ୍ପାଦନକୁ ଉତ୍ପାଦକ (Productive) ବୋଲି ଆଖ୍ୟା ଦେଇଥିଲେ । ଆଜି କିନ୍ତୁ ଆମେ ଏପରି ଅବସ୍ଥାରେ ଆସି ପହଞ୍ଚିଛୁ ଯେତେବେଳେ କି ସମସ୍ତ ପ୍ରକାର ପଣ୍ୟଦ୍ରବ୍ୟ ଓ ସେବା (Service)କୁ ଉତ୍ପାଦକ ବୋଲି ଗ୍ରହଣ କରାଯାଉଛି । ତା ନ ହୋଇଥିଲେ ବୋଧହୁଏ ସଭ୍ୟତାର ଏତେ ଉନ୍ନତି ହୋଇ ନ ଥାନ୍ତା । ସମାଜର ପ୍ରଗତି ଜଣଙ୍କ ଉପରେ ନିର୍ଭର କରେ ନାହିଁ-। ପ୍ରଗତି ବହୁବିଧ । ତେଣୁ ସମାଜରେ ସଙ୍ଗୀତଜ୍ଞ, ନର୍ତ୍ତକୀ, ଡାକ୍ତର, ଓକିଲ, ଅଧ୍ୟାପକ ଓ ଚାଷୀ ସମସ୍ତଙ୍କର ଆବଶ୍ୟକ । ପୁଣି ବିଶେଷୀକରଣର ଆବଶ୍ୟକତା ଏତେ ବେଶୀ ଯେ, ଯେ ଓକିଲ ହେବ ସେ ଯଦି ଓକିଲାତି ଅଧ୍ୟୟନରେ ସମସ୍ତ ଶକ୍ତି ଓ ସମୟ ବିନିଯୋଗ ନ କରିବ, ତାହାହେଲେ ଓକିଲାତିରେ ସୁନାମ ଅର୍ଜନ କରିବା ତା ପକ୍ଷରେ ସମ୍ଭବ ହେବ ନାହିଁ । ତେଣୁ ଆଜି ରସ୍କିନଙ୍କର ତୃତୀୟ ପନ୍ଥାକୁ ଗ୍ରହଣ କରିବା ଅର୍ଥ ଜ୍ଞାନର ସୀମାକୁ ସଂକୁଚିତ କରିବା । ରସ୍କିନ ବୋଧହୁଏ ଦ୍ୱିତୀୟ ପନ୍ଥାର ଗୁରୁତ୍ଵ ପ୍ରତିପାଦନ କରିବା ପାଇଁ ତୃତୀୟ ପନ୍ଥାର ଅବତାରଣା କରିଥିଲେ-। ଏକଥା ସତ ଯେ ସମାଜରେ ଦିନେ ଯେପରି ଚାଷୀମାନେ ମହତ୍ତ୍ଵ ପାଇଥିଲେ, ଆଜି ସେହିପରି ଓକିଲ, ଡାକ୍ତର ଓ ଇଞ୍ଜିନିଅର ପ୍ରଭୃତି ଶିକ୍ଷିତଲୋକମାନେ ମହତ୍ତ୍ଵ ପାଉଛନ୍ତି । ସମାଜର ମାନଦଣ୍ଡ ବଦଳିବାରେ ଲାଗିଛି । କେତେବେଳେ ବୈଜ୍ଞାନିକମାନଙ୍କୁ ବେଶୀ ଗୁରୁତ୍ଵ ଦିଆ ହେଉଛି ତ କେତେବେଳେ ରାଜନୀତିଜ୍ଞମାନଙ୍କୁ ବେଶୀ ସମ୍ମାନ ଦେଖାଯାଉଛି । ତେଣୁ ସମାଜର ପ୍ରତ୍ୟେକ ପ୍ରକାର ଲୋକ ଏକପ୍ରକାର ସମ୍ମାନ ପାଇବା ସମ୍ଭବ ନୁହେଁ । ଯେଉଁ ଦେଶରେ ସର୍ବହରା ନାମରେ ବିପ୍ଳବ ହେଉଛି ଓ ସର୍ବହରା ନାମରେ ଶାସନ ଚାଲୁଛି, ସେଠି ମଧ୍ୟ ଲେଖକ, ଶାସକ ଓ ବୈଜ୍ଞାନିକ ଅଧିକ ପୂଜା ପାଉଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ଯେ ସମସ୍ତେ ସିନା ସମାନ ହେବେ ନାହିଁ, କିନ୍ତୁ ପ୍ରତ୍ୟେକ ପ୍ରକାର କାମ ସମ୍ମାନ ପାଇବା ଉଚିତ । ଅର୍ଥାତ୍‍ ଆମ ଦେଶରେ ଏବେ ଯେଉଁ କର୍ମ ମର୍ଯ୍ୟାଦାର (dignity of labour) ଅଭାବ ଅଛି, ତାକୁ ପୂରଣ କରିବାକୁ ହେବ । ଆମେରିକା, ଇଂଲଣ୍ଡ ଓ ଜର୍ମାନୀ ପ୍ରଭୃତି ଉନ୍ନତ ପାଶ୍ଚାତ୍ୟ ଦେଶମାନଙ୍କରେ ରସ୍କିନଙ୍କର ତୃତୀୟ ପନ୍ଥାକୁ ଅଗ୍ରାହ୍ୟ କରାଯାଇଥିଲେ ମଧ୍ୟ, ଦ୍ୱିତୀୟ ପନ୍ଥାଟି ଗ୍ରହଣ କରାଯାଇଛି ଏବଂ ଆମର ବିଶ୍ଵାସ ଦ୍ୱିତୀୟଟିର ସାଧନ ପାଇଁ ତୃତୀୟ ପନ୍ଥା ଅନାବଶ୍ୟକ ।

 

ଶ୍ରମର ସମ୍ମାନ ପାଇଁ ତିନୋଟି ପନ୍ଥା

 

ତେବେ ଦ୍ୱିତୀୟ ପନ୍ଥାର ସଫଳତା ପାଇଁ ତିନୋଟି କାର୍ଯ୍ୟ ପଦ୍ଧତି ଗ୍ରହଣ କରାଯାଇ ପାରେ । ଶ୍ରମର ସମ୍ମାନ ଓ ଅସମ୍ମାନ ଆଦି ଆୟ ଓ ବେଶଭୂଷା ଉପରେ ବିଶେଷ ଭାବରେ ନିର୍ଭର କରୁଛି ବୋଲି ନିଶ୍ଚିନ୍ତରେ କୁହାଯାଇପାରେ । ଯେଉଁମାନେ ଚାଷ କରୁଛନ୍ତି ସେମାନେ ଯେଉଁ ଆୟ ପାଉଛନ୍ତି ବା ଯେଉଁ ପୋଷାକ ପରିଧାନ କରୁଛନ୍ତି, ଯେଉଁମାନେ ଓକିଲାତି ବା ଡାକ୍ତରୀ କାମ କରୁଛନ୍ତି, ସେମାନେ ସେହି ପ୍ରକାରର ଜୀବନଯାପନ କରୁନାହାନ୍ତି । ଏହି ପ୍ରଭେଦ ଦୂର କରିବାକୁ ହେଲେ ସମାଜର ଆର୍ଥନୀତିକ ଅସମାନତାକୁ ଦୂର କରିବାକୁ ପଡ଼ିବ । ବର୍ଣ୍ଣାଡ଼ ଶ’ କହିଥିଲେ ଯେ ସମସ୍ତ ପ୍ରକାର କାମ ପାଇଁ ଏକ ପ୍ରକାର ବେତନ ହେବା ଉଚିତ । କାମର ତାରତମ୍ୟ ନେଇ ପ୍ରଶଂସାର ପ୍ରଭେଦ ରହୁ କିନ୍ତୁ ବେତନର ଫରକ ନ ରହୁ । ହୁଏତ ଆମେ ଏତେ ଦୂର ଯାଇ ପାରିବା ନାହିଁ । କିନ୍ତୁ ସର୍ବୋଚ୍ଚ ଧନୀ ଓ ସର୍ବନିମ୍ନ ଗରିବ ଭିତରେ ପ୍ରଭେଦ ୮ । ୧୦ ଗୁଣରୁ ଅଧିକ ରହିବା ଉଚିତ ନୁହେଁ । ଗାନ୍ଧିଜୀ ଏହାକୁ ୧୦ ଗୁଣ ଭିତରେ ଆବଦ୍ଧ କରି ରଖିବାକୁ ଚାହିଁଥିଲେ । ଆୟର ଏହି ବିଭେଦକୁ ଯଦି ଆମେ ଦୂର କରି ପାରିବା, ତା’ହେଲେ କର୍ମର ମର୍ଯ୍ୟାଦା ଯେ ଆସିବ ତା ନୁହେଁ, ସମାଜରେ ସଂହତି ମଧ୍ୟ ପ୍ରତିଷ୍ଠିତ ହୋଇ ପାରିବ । ଦ୍ଵିତୀୟ ହେଉଛି ଶିକ୍ଷାର ଉନ୍ନତି । ଯେ ଚାଷ କରୁଛି ବା ବଢ଼େଇ କାମ କରୁଛି ତା’ର ଶିକ୍ଷା ଦରକାର ନାହିଁ ବୋଲି ସମସ୍ତେ ଧରି ନେଉଛନ୍ତି । ଶିକ୍ଷାର ମୂଳ ଉଦ୍ଦେଶ୍ୟ ନୁହେଁ କୌଣସି ଏକ କର୍ମ ପାଇଁ ମନୁଷ୍ୟକୁ ପ୍ରସ୍ତୁତ କରିବା । ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଜୀବନକୁ ଉପଯୁକ୍ତ ମାର୍ଗରେ ପରିଚାଳିତ କରିବା । ସେଥିପାଇଁ ସମସ୍ତଙ୍କର ଶିକ୍ଷା ଦରକାର । ଏକ ସର୍ବନିମ୍ନ ଶିକ୍ଷା ଦେଶରେ ବାଧ୍ୟତାମୂଳକ କରିବାକୁ ହେବ––ତା’ପରେ ଯେଉଁମାନେ କୌଣସି ଏକ ବିଶେଷ କାମ ଧରିବେ, ସେମାନେ ସ୍ଵତନ୍ତ୍ର ଶିକ୍ଷା ଆହରଣ କରି ପାରିବେ । ତୃତୀୟ ହେଉଛି ଆର୍ଥନୀତିକ ପ୍ରଗତି । ଆମ ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ କି ଦାରିଦ୍ର୍ୟକୁ ଏକ ଆଦର୍ଶ ବୋଲି ଧରି ନେଉଛନ୍ତି । ସେଥିପାଇଁ ପଣ୍ଡିତ ନେହେରୁ ଥରେ କହିଥିଲେ–‘There is nothing beautiful about poverty. I hate poverty’. ପ୍ରକୃତରେ ଦାରିଦ୍ର୍ୟକୁ ଆଦର୍ଶ କରି ଦେଶରେ ଯେଉଁ କୁପ୍ରଚାର ଚାଲିଛି, ତା ଫଳରେ କର୍ମପ୍ରବଣତାରେ ଯେ କେବଳ ବାଧା ସୃଷ୍ଟି ହେଉଛି, ତା ନୁହେଁ, ମାନସିକ ଚିନ୍ତାଧାରା ମଧ୍ୟ ସଂକୁଚିତ ହୋଇ ଯାଉଛି । ଏବେ ସମୟ ଆସିଛି ଯେତେବେଳେ ଉନ୍ନତ ଜୀବନ ଓ ଉନ୍ନତ ଚିନ୍ତାଧାରାର ସମନ୍ଵୟ ଆଣି ସମାଜକୁ ଗଠନ କରି ହେବ ଓ ସମାଜର ପ୍ରଗତି ହାସଲ କରିବାକୁ ହେବ । ତେଣୁ ଅତୀତର କେତେଜଣଙ୍କର ଆଦର୍ଶକୁ ସମାଜର ଆଦର୍ଶ ବୋଲି ଧରି ଆଜିର ସମାଜକୁ ସମାଲୋଚନା କରିବା ବା ଆର୍ଥନୀତିକ ପ୍ରଗତି ବିରୁଦ୍ଧରେ ମତ ପ୍ରକାଶ କରିବା ସମାଜ ବିରୁଦ୍ଧରେ ଏକ ପାପ (crime against society) ବୋଲି ନିଶ୍ଚିନ୍ତରେ କୁହାଯାଇପାରେ ।

 

ବ୍ୟକ୍ତିଗତ ଆଚରଣରେ ନିୟନ୍ତ୍ରଣ

 

ଆଉ ଗୋଟିଏ କଥା । ସମାଜ ସଂସ୍କାରକଙ୍କ ଆଚରଣ । ଯେଉଁ ପର୍ଯ୍ୟନ୍ତ ସମାଜ ଭିତରେ ବିରାଟ ବ୍ୟବଧାନ ଅଛି, ସେ ପର୍ଯ୍ୟନ୍ତ ସମାଜ ସଂସ୍କାରକମାନଙ୍କୁ ଏକ ନିୟନ୍ତ୍ରିତ ଜୀବନ ଘେନି ଚଳିବାକୁ ପଡ଼ିବ । ଏହାକୁ ଆମେ ଏକ ଆବଶ୍ୟକୀୟ ପନ୍ଥା ବୋଲି ଧରି ନେବୁ । ତା ନ ହେଲେ ସମାଜ ସଂସ୍କାରକ ଓ ସମାଜ ଭିତରେ କୌଣସି ସହଯୋଗ ରହିବ ନାହିଁ । କିନ୍ତୁ ଏହି ବ୍ୟବଧାନକୁ ସରକାରୀ ସୂତ୍ରରେ ଦୂର ନ କଲେ, ବ୍ୟକ୍ତିଗତ ପ୍ରଚେଷ୍ଟାରେ ସମାଜ ସଂସ୍କାରକଙ୍କର ଆଚରଣରେ ବେଶୀ କିଛି ପରିବର୍ତ୍ତନ ହୋଇ ପାରିବ ନାହିଁ, କିମ୍ବା ସମାଜ ସଂସ୍କାରକ ନିଜର ଆଚରଣ ପରିବର୍ତ୍ତନ କରିବାରେ ଏତେ ବ୍ୟସ୍ତ ରହିଯିବେ ଯେ ସମାଜ ସଂସ୍କାରର ମୂଳ ଉଦ୍ଦେଶ୍ୟ ଭୁଲିଯିବେ । ଏହା ପ୍ରତ୍ୟେକ ଧର୍ମରେ ହୋଇଛି । ଅନେକ ନୈଷ୍ଠିକ ହିନ୍ଦୁ ହିନ୍ଦୁଧର୍ମରେ ଅନେକ ଉପଚାର ଖୁବ୍ ବିଶ୍ୱାସର ସହିତ ପାଳନ କରୁଛନ୍ତି ଅଥଚ ହିନ୍ଦୁଧର୍ମର ଯେଉଁ ସାରତତ୍ତ୍ଵ, ତାକୁ ଗ୍ରହଣ କରୁ ନାହାନ୍ତି । କାଠ ପଥରର ପୂଜା ହେଉଛି ଅଥଚ ମନୁଷ୍ୟକୁ ଘୃଣା କରାଯାଉଛି । କେବଳ ହିନ୍ଦୁ ଧର୍ମରେ ନୁହେଁ, ସବୁ ଧର୍ମରେ ଏହି କଥା । ସେହିପରି ଯେଉଁ ରାଜନୀତିକ ଦଳ ବା ସାମାଜିକ ଗୋଷ୍ଠୀମାନେ ସମାଜସଂସ୍କାରକୁ ନିଜର ନୀତି ବୋଲି ଧରିଛନ୍ତି, ସେମାନେ ନିଜର ଭେକ ନେଇ ଏତେ ବ୍ୟସ୍ତ ଯେ ଉଦ୍ଦେଶ୍ୟକୁ ପୂରାପୂରି ଭୁଲିଗଲେଣି । ସେଥିପାଇଁ କିଏ ପ୍ୟାଣ୍ଟ୍‍ ପିନ୍ଧିଲା କି କିଏ କଣ୍ଟା ଚାମଚରେ ଖାଇଲା, ଏଥିପ୍ରତି ବେଶୀ ଦୃଷ୍ଟି ଦେବା ଉଚିତ ନୁହେଁ । ପ୍ୟାଣ୍ଟ୍‍ ପିନ୍ଧିବା ବା କଣ୍ଟା ଚାମଚାରେ ଖାଇବାକୁ ତ ଆମେ ବୈଦେଶିକ ଢଙ୍ଗ ବୋଲି ଅପସନ୍ଦ କରୁ ନାହୁଁ । କାରଣ ବିଦେଶର ଭଲ ଜିନିଷକୁ ସାଦରେ ଗ୍ରହଣ କରି ନେବା ଉଚିତ । ଆମର ପ୍ରଶ୍ନ ହେଉଛି ଯେ, ଆମ ଦେଶର ଲୋକମାନେ ବର୍ତ୍ତମାନ ଏପରି ସ୍ତରରେ ଅଛନ୍ତି ଯେ ପ୍ୟାଣ୍ଟ୍‍, କୋଟ୍‍ ଓ କଣ୍ଟା ଚାମଚ ସେମାନଙ୍କ ପକ୍ଷରେ ସ୍ୱପ୍ନ । କିନ୍ତୁ ଏକଥା କଣ ସତ ନୁହେଁ ଯେ ଆମ ଦେଶରେ ଏତେ ଅଭାବ ଅଛି ଯେ, ସାମାଜିକ ମାନଦଣ୍ଡରୁ ଆମର ଜୀବନକୁ ଯଦି ବିଚାର କରାଯାଏ ତା’ହେଲେ ଆମର କୌଣସି ଘର କରି ରହିବା ଏବଂ ମାଛ, ମାଂସ, ଦୁଧ ଓ ଅଣ୍ଡା ପ୍ରଭୃତି ଖାଇବା ମଧ୍ୟ ଅନ୍ୟାୟ । ତେଣୁ ସମାଜସଂସ୍କାର ପାଇଁ ବ୍ୟକ୍ତିଗତ ଆଚରଣକୁ କେତେଦୂର ନିୟନ୍ତ୍ରଣ କରାଯାଇ ପାରିବ ତାହା ଏକ ଜଟିଳ ପ୍ରଶ୍ନ । ଏ ବିଷୟରେ କୌଣସି ସାମାଜିକ ନିୟମ ସ୍ଥିର କରାଯାଇ ପାରିବ ନାହିଁ । ବୋଧହୁଏ ଦେଶର ଆର୍ଥନୀତିକ ଅଗ୍ରଗତି ହେଲେ ଓ ଆର୍ଥିକ ପ୍ରଭେଦର ଅବସାନ ହେଲେ, ଏହି ପ୍ରଶ୍ନର ଗୁରୁତ୍ୱ ଅନେକାଂଶରେ କମିଯିବ ।

Image

 

ସମାଜ ସଂସ୍କାର ଓ ଧର୍ମାନ୍ଧତା

 

ବିଭିନ୍ନ ଚିନ୍ତାଧାରାର ପ୍ରୟୋଜନୀୟତା

 

ସମାଜର ସଂସ୍କାର କରିବାପାଇଁ ସବୁ ଯୁଗରେ ଉଦ୍ୟମ କରାଯାଇଛି । ପ୍ରଚଳିତ ସମାଜର ଯେତେ ଗୁଣ ଥିଲେ ମଧ୍ୟ, ଚିନ୍ତାଶୀଳ ବ୍ୟକ୍ତିମାନେ ସେଥିରେ ସନ୍ତୁଷ୍ଟ ନ ହୋଇ ନୂତନ ସମାଜର ପରିକଳ୍ପନା କରିଛନ୍ତି । ଯେଉଁମାନଙ୍କର ପରିକଳ୍ପନା କାର୍ଯ୍ୟରେ ସଫଳ ହୋଇଛି, ସେମାନେ ସମାଜରେ ଉଚ୍ଚ ଆସନ ଲାଭ କରିଛନ୍ତି । ସମାଜର ପରିବର୍ତ୍ତନ ପାଇଁ ସେମାନେ ଯେତିକି ଉଦ୍ୟମ କରିଛନ୍ତି ବା ଚିନ୍ତା ଖଟାଇଛନ୍ତି, ସମାଜ ସେମାନଙ୍କର ସ୍ମୃତିରକ୍ଷା କରିବାପାଇଁ ତା’ଠାରୁ ଅଧିକ ଉଦ୍ୟମ କରିଛି । ଯୁଗସ୍ରଷ୍ଟା ହିସାବରେ ସେମାନେ ଅଭିହିତ ହୋଇ ଯୁଗେ ଯୁଗେ ପୂଜା ପାଇଛନ୍ତି । କିନ୍ତୁ ଯେଉଁମାନଙ୍କର ସ୍ୱପ୍ନ ସଫଳ ହୋଇ ପାରିନାହିଁ, ସେମାନେ ଇତିହାସରେ ସମ୍ମାନ ନ ପାଇଥିଲେ ମଧ୍ୟ, ସେମାନଙ୍କର ଚିନ୍ତାଧାରାର ପ୍ରଭାବ ସମାଜରୁ ଲୁପ୍ତ ହୋଇନାହିଁ । ସମାଜ ଏକ ଜଡ଼ ପଦାର୍ଥ ନୁହେଁ––ଏହାର ବି ଏକ ଜୀବନୀ ଶକ୍ତି ଅଛି । ଭିନ୍ନ ଭିନ୍ନ ଚିନ୍ତାଧାରାର ସମଷ୍ଟିକୁ ଏହି ଜୀବନୀଶକ୍ତି ବୋଲି ଆଖ୍ୟା ଦିଆଯାଇ ପାରେ । ଏକ ଏକ ବ୍ୟକ୍ତି ଯୁଗପ୍ରବର୍ତ୍ତକ ରୂପେ ଖ୍ୟାତି ଅର୍ଜ୍ଜନ କରିଥିଲେ ମଧ୍ୟ ସମାଜ କେତେଜଣଙ୍କର ଆଦର୍ଶ ବା ପରିକଳ୍ପନାକୁ ଅନୁସରଣ କରିନାହିଁ । ତେଣୁ ପ୍ରତ୍ୟେକ ପ୍ରକାର ଚିନ୍ତାଧାରାର ଆବଶ୍ୟକତା ସମାଜରେ ଅଛି––ଏହା ଆମକୁ ସ୍ୱୀକାର କରିବାକୁ ହେବ । ଏପରି କି ଯେଉଁମାନେ ପରିପନ୍ଥୀ ବୋଲି ଏବେ ନିନ୍ଦିତ ହେଉଛନ୍ତି, ସେମାନେ ମଧ୍ୟ ସମାଜର ଅଗ୍ରଗତିରେ ସାହାଯ୍ୟ କରୁଛନ୍ତି । କାରଣ, କୌଣସି ଚିନ୍ତାଧାରା ପୂରାପୂରି ଭାବରେ ପ୍ରଗତିଶୀଳ କି ପୂର୍ଣ୍ଣମାତ୍ରାରେ ପ୍ରତିକ୍ରିୟାଶୀଳ ନୁହେଁ । ଯେଉଁମାନେ ଯୁବକସୁଲଭ ଭାବପ୍ରବଣତାଦ୍ୱାରା ପ୍ରଭାବିତ ହୋଇ ଗୋଟିଏ ଚିନ୍ତାଧାରାକୁ ପ୍ରଗତିଶୀଳ ବୋଲି ଧରି ନେଉଛନ୍ତି, ସେମାନଙ୍କର ଦୃଷ୍ଟିକୋଣ ପରିମାର୍ଜିତ ନୁହେଁ ବୋଲି ନିଃସନ୍ଦେହରେ କୁହାଯାଇପାରେ । ଅନ୍ୟ ଅର୍ଥରେ ସେମାନେ ଏକଦିଗଦର୍ଶୀ । କିନ୍ତୁ ଏହି ଏକଦିଗଦର୍ଶୀ ଭାବପ୍ରଣତାର ମଧ୍ୟ ଏକ ଐତିହାସିକ ଆବଶ୍ୟକତା ଅଛି । କାରଣ, ସମାଜର ସଂସ୍କାର ପାଇଁ ଚିନ୍ତାଧାରାର ବୈଶିଷ୍ଟ୍ୟ ଯେତିକି ଆବଶ୍ୟକ, ଉତ୍ସାହ, ପ୍ରେରଣା ଓ କର୍ମପ୍ରବଣତା ସେତିକି ବା ତା’ଠାରୁ ଅଧିକ ଆବଶ୍ୟକ । ଅର୍ଥାତ୍ ସମାଜ ସଂସ୍କାରରେ ଧର୍ମାନ୍ଧତା ପରିଲକ୍ଷିତ ନ ହେଲେ, ପ୍ରଚଳିତ ପଦ୍ଧତିକୁ ଆଘାତ କରି ନୂତନର ପ୍ରତିଷ୍ଠା କରିବା ସହଜସାଧ୍ୟ ହେବ ନାହିଁ । ଯେଉଁମାନେ ଏ ପର୍ଯ୍ୟନ୍ତ ଯୁଗସ୍ରଷ୍ଟା ବୋଲି ଇତିହାସରେ ଖ୍ୟାତ ଅର୍ଜ୍ଜନ କରିଛନ୍ତି, ସେମାନେ ଧର୍ମାନ୍ଧତାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପ୍ରଶ୍ରୟ ଦେଇ ନିଜର ଉଦ୍ଦେଶ୍ୟ ସିଦ୍ଧି କରଛନ୍ତି । ଭିନ୍ନ ଭିନ୍ନ ବିଚାର ଧାରାର ସମନ୍ୱୟ ଯୁକ୍ତିଯୁକ୍ତ ହୋଇପାରେ, କିନ୍ତୁ ପ୍ରଭାବଶାଳୀ ନୁହେଁ ।

 

ମତ ପ୍ରଚାରରେ ଧର୍ମାନ୍ଧତା

 

ଇତିହାସରେ ଏହାର ଦୃଷ୍ଟାନ୍ତ ବିରଳ ନୁହେଁ । ତେବେ ଆଧୁନିକ ଚିନ୍ତାଧାରା ପ୍ରତି ଦୃଷ୍ଟି ନିକ୍ଷେପ କଲେ ଏହା ପରିଷ୍କାର ଭାବରେ ଉପଲବ୍‍ଧି କରିହେବ ଯେ ଯେଉଁ ଚିନ୍ତାଧାରା ଯେତେ ଅଧିକ ଧର୍ମୋନ୍ମାଦ, ସେ ପରିକଳ୍ପନା ସେତେ ଅଧିକ ପ୍ରଭାବଶାଳୀ । କମ୍ୟୁନିଜମ୍ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଯେଉଁମାନେ କମ୍ୟୁନିଜମରେ ବିଶ୍ୱାସ କରନ୍ତି, ସେମାନେ ମାର୍କସ ଓ ଲେନିନ୍‍ଙ୍କ ପ୍ରତ୍ୟେକ ବାକ୍ୟକୁ ବେଦର ଗାରରୂପେ ମାନନ୍ତି; ମାର୍କସ ଓ ଲେନିନ୍‍ଙ୍କର ପରିକଳ୍ପନାରେ ଯେ କୌଣସି ରକମ ଭୁଲ ରହିପାରେ, ତାହା ସେମାନେ କେବେହେଲେ କଳ୍ପନା କରିପାରନ୍ତି ନାହିଁ । ମାର୍କସଙ୍କ ସମାଜ ବଦଳି ଯାଇପାରେ, ଆର୍ଥନୀତିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରେ, କିନ୍ତୁ କମ୍ୟୁନିଷ୍ଟମାନଙ୍କର ଦୃଷ୍ଟିକୋଣ ବଦଳେ ନାହିଁ । ସେମାନେ ମାର୍କସ ଓ ଲେନିନ୍‍ଙ୍କର ଗ୍ରନ୍ଥର ବାକ୍ୟ ଉଦ୍ଧାର କରି ନିଜ କର୍ମପନ୍ଥାର ସତ୍ୟତା ପ୍ରମାଣ କରିବାକୁ ଚେଷ୍ଟା କରନ୍ତି । ଏଥିପାଇଁ ମାର୍କସ ବା ଲେନିନ୍‍ଙ୍କୁ ଦୋଷ ଦିଆଯାଇପାରିବ ନାହିଁ । ସେମାନେ ସମାଜର ସଂସ୍କାର ପାଇଁ ନିଜର ଚିନ୍ତାଧାରା ସମାଜ ଆଗରେ ପରିବେଷଣ କରିଛନ୍ତି । ସମାଜ କିପରି ଭାବରେ ତାକୁ ଗ୍ରହଣ କଲା, ସେମାନେ ସେଥିପାଇଁ ଦାୟୀ ନୁହନ୍ତି ।

 

ତଥାପି ମାର୍କସ ଓ ଲେନିନ୍‍ଙ୍କର ପରିକଳ୍ପନାରେ ଧର୍ମାନ୍ଧତା ପାଇଁ ପ୍ରଭୂତ ଅବକାଶ ଥିଲା । ଶ୍ରେଣୀ ସଂଘର୍ଷ, ଶ୍ରେଣୀହୀନ ସମାଜ, ସର୍ବହରାର ଏକଛତ୍ର ଶାସନ ଓ ଦ୍ଵନ୍ଦ୍ୱମୂଳକ ବସ୍ତୁବାଦ ପ୍ରଭୃତି କଳ୍ପନା ମାର୍କସୀୟ ଭାବୁକମାନଙ୍କ ମନରେ ଯେ ଏକ ପ୍ରେରଣା ଜାଗ୍ରତ କରୁଥିଲା, ତା ନୁହେଁ, ମାର୍କସବାଦ ପ୍ରତି ଏକ ଆସକ୍ତି ବା ଅନୁରାଗ ସୃଷ୍ଟି କରୁଥିଲା । ଯେଉଁମାନେ ଏସବୁ ଗୂଢ଼ ତଥ୍ୟର ଅର୍ଥ ବିଶ୍ଳେଷଣ କରିବାକୁ ସମର୍ଥ ହେଉଥିଲେ, ସେମାନେ ମଧ୍ୟ ମାର୍କସଙ୍କର ପରିକଳ୍ପନାକୁ ନିଜର ସମ୍ପତ୍ତିରୂପେ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁ ନ ଥିଲେ । ମାର୍କସ ସିନା ବ୍ୟକ୍ତିଗତ ସମ୍ପତ୍ତିର ପକ୍ଷପାତୀ ନ ଥିଲେ, କିନ୍ତୁ ମାର୍କସବାଦୀମାନେ ମାର୍କସବାଦକୁ ନିଜର ସମ୍ପତ୍ତିରୂପେ ଗ୍ରହଣ କରି ନେଇଥିଲେ ।

 

ଗାନ୍ଧିଜୀ କିନ୍ତୁ ସର୍ବୋଦୟ ସମାଜର ପରିକଳ୍ପନା କରି ଏକ ସମନ୍ୱୟର ଆଦର୍ଶ ସମାଜ ଆଗରେ ଉପସ୍ଥାପିତ କରିଥିଲେ । ଏହି ଆଦର୍ଶରେ ଦ୍ୱନ୍ଦ୍ୱ ନ ଥିଲା । ସମସ୍ତଙ୍କର ଉଦୟ ବା ମଙ୍ଗଳଜନକ ଚିନ୍ତାଧାରାରେ ନିବିଡ଼ ଆସକ୍ତି ସହଜସାଧ୍ୟ ନୁହେଁ । ସତ୍ୟ ଓ ଅହିଂସାରୂପକ ନୀତିରେ ଧର୍ମାନ୍ଧତା ସହଜରେ ମୁଣ୍ଡ ଟେକି ଉଠି ପାରେନାହିଁ । ଗାନ୍ଧିଜୀ ସବୁ ଧର୍ମର ସାର ନେଇ, ସବୁ ମତର ବିଶେଷତ୍ଵ ଗ୍ରହଣ କରି ସର୍ବଜନ କଲ୍ୟାଣ ପାଇଁ ଏକ ପରିକଳ୍ପନା ସମାଜ ଆଗରେ ପରିବେଷଣ କଲେ । ଧର୍ମାନ୍ଧତାର ସେ ଏତେ ବିରୋଧୀ ଥିଲେ ଯେ, ସେ ତାଙ୍କର ପ୍ରାର୍ଥନା ସଭାରେ କୋରାନ, ବାଇବେଲ ଓ ଗୀତାରୁ ବାକ୍ୟ ଉଦ୍ଧାର କରି ସତ୍ୟର ଅବତାରଣା କରୁଥିଲେ । କିନ୍ତୁ ଇତିହାସର ଏ କି ବିପର୍ଯ୍ୟୟ ଯେ, ଯେଉଁମାନେ ଗାନ୍ଧିଜୀଙ୍କ ଆଦର୍ଶରେ ସମାଜକୁ ପୁନର୍ଗଠନ କରିବାପାଇଁ ଆଗଭର ହୋଇ ଉଠିଲେ, ସେମାନେ ମଧ୍ୟ ଧର୍ମାନ୍ଧତାର ଆଶ୍ରୟ ନେଲେ । ନିଜକୁ ଏକ ଗାନ୍ଧୀ ଦଳରୂପେ ପରିଚିତ କରିବାପାଇଁ ସ୍ଵତନ୍ତ୍ର ଭେକ ଗ୍ରହଣ କଲେ । ସହଯୋଗ, ସମନ୍ୱୟ, ସର୍ବଜନ କଲ୍ୟାଣବାର୍ତ୍ତା ମୁଣିରେ ଭରପୂର କରି, କଥାକଥାକେ ବିଷ ଉଦ୍‍ଗାର କଲେ ।

 

ଧର୍ମାନ୍ଧତାର ଦୋଷ ଓ ଗୁଣ

 

ତେଣୁ ଆଦର୍ଶ ଯେତେ ମହତ ହେଲେ ମଧ୍ୟ, ଆଦର୍ଶର କାର୍ଯ୍ୟକାରିତା ପାଇଁ ଧର୍ମାନ୍ଧତାକୁ ପ୍ରଶ୍ରୟ ଦେବା ଆବଶ୍ୟକ ପଡ଼େ । ଏଥିରେ ଆଦର୍ଶର ମହତ୍ତ୍ଵ କ୍ଷୁଣ୍ଣ ହୁଏ । ଯେଉଁମାନେ କୌଣସି ଏକ ଆଦର୍ଶ ପ୍ରଚାର କରନ୍ତି, ପ୍ରଚାରର ସୁବିଧାପାଇଁ ତାକୁ କେତୋଟି ସୂତ୍ର (Formula) ଆକାରରେ ଅବତାରଣା କରି ତାର ବିଶେଷତ୍ଵ ନଷ୍ଟ କରନ୍ତି । କାରଣ, କୌଣସି ଏକ ଜୀବନ୍ତ ବା ଗତିଶୀଳ ମତବାଦ ସୂତ୍ର ଆକାରରେ ପରିବେଷିତ ହେଲେ, ସେଇ ମତବାଦର ଜୀବନୀଶକ୍ତି ନଷ୍ଟ ହୋଇଯାଏ । କିନ୍ତୁ ସର୍ବସାଧାରଣଙ୍କର ବୋଧଗମ୍ୟ ହେବାପାଇଁ ସୂତ୍ର ଆକାରରେ ପ୍ରଚାରିତ ହେବା ଦରକାର ପଡ଼ିବାରୁ ମତବାଦର ସ୍ରଷ୍ଟା ପ୍ରଚାରକମାନଙ୍କର ଏହି କାର୍ଯ୍ୟକ୍ରମକୁ ମାନି ନିଅନ୍ତି ବା ସହି ଯାଆନ୍ତି । ବୁଦ୍ଧ, ଯୀଶୁ ଓ ମହମ୍ମଦ ପ୍ରଭୃତି ଯେଉଁ ତ୍ୟାଗପୂତ ମନୀଷୀମାନେ ସମାଜର ଦୋଷ ଓ ଦୁର୍ଗୁଣରେ ବ୍ୟସ୍ତ ହୋଇ ନୂତନ ସତ୍ୟର ଅନୁସନ୍ଧାନ କରିଛନ୍ତି, ସେମାନେ ମଧ୍ୟ ସତ୍ୟର ଅପଳାପରୁ ବଞ୍ଚିତ ହୋଇ ନାହାନ୍ତି । ଅର୍ଥାତ୍, ସେମାନଙ୍କର ପ୍ରଚାରକମାନେ ଧର୍ମାନ୍ଧତାର ବଶବର୍ତ୍ତୀ ହୋଇ ଯୁକ୍ତିଯୁକ୍ତ ବିଚାରପନ୍ଥାକୁ ଛାଡ଼ି କାର୍ଯ୍ୟକାରିତା ଦୃଷ୍ଟିରୁ ଅଯୌକ୍ତିକ ପନ୍ଥାର ଆଶ୍ରୟ ନେଇଛନ୍ତି ।

 

ସମାଜ ସଂସ୍କାରକ ଓ ପ୍ରଚାରକ

 

ତେଣୁ ପ୍ରତ୍ୟେକ ସମାଜସଂସ୍କାରକଙ୍କ ମହତ୍ତ୍ଵ ଓ ପ୍ରତିଭା ସମାଜସଂସ୍କାରକଙ୍କ ଉପରେ ଯେତିକି ନିର୍ଭର କରେ, ତାହାଠାରୁ ବେଶୀ ନିର୍ଭର କରେ ତାଙ୍କର ପ୍ରଚାରକ ଦଳ ଉପରେ । ପ୍ରଚାରକ ଦଳ ଯଦି ସାଧୁ ଉଦ୍ଦେଶ୍ୟରେ ସନ୍ଥଙ୍କର ପରିକଳ୍ପନାକୁ କାର୍ଯ୍ୟକାରୀ କରିବାକୁ ଚାହାନ୍ତି, ତାହା ହେଲେ ସନ୍ଥଙ୍କର ମତବାଦ ଯେ କେବଳ କାର୍ଯ୍ୟକାରୀ ହୁଏ, ତା ନୁହେଁ, ସମାଜର ପରିବର୍ତ୍ତନ ମଧ୍ୟ ସହଜ ଓ ସୁଗମ ହୁଏ । ନିଜେ ମନୀଷୀ ନିଜର ପ୍ରତିଭା ବଜାୟ ରଖିବାକୁ ସୁବିଧା ଓ ସୁଯୋଗ ପା’ନ୍ତି । ପ୍ରଚାରକ ଦଳଙ୍କର ମତାନ୍ଧତାରେ ମନୀଷୀଙ୍କର ପରିକଳ୍ପନାର ବିଶେଷତ୍ଵ କେତେକ ପରିମାଣରେ ନଷ୍ଟ ହେଲେ ମଧ୍ୟ, ପରିକଳ୍ପନା ବିକଳାଙ୍ଗ ହୁଏ ନାହିଁ । କିନ୍ତୁ ମନୀଷୀଙ୍କର ବ୍ୟକ୍ତିତ୍ଵର ସୁବିଧା ନେଇ ଯଦି କେତେକ ସ୍ଵାର୍ଥାନ୍ୱେଷୀ ଲୋକ ମନୀଷୀଙ୍କର ପରିକଳ୍ପନାକୁ ମତାନ୍ଧଭାବରେ ପ୍ରଚାର କରି ନିଜର ସୁବିଧା ହାସଲ କରିବାକୁ ଉଦ୍ୟମ କରନ୍ତି, ତା’ହେଲେ ପରିକଳ୍ପନା ଯେ କେବଳ ବିକଳାଙ୍ଗ ହୁଏ, ତା ନୁହେଁ, ପରିକଳ୍ପନାର ସ୍ରଷ୍ଟାଙ୍କ ନିଜ ପ୍ରତିଭା ମଧ୍ୟ ନଷ୍ଟ ହୁଏ ।

Image